ଦୀଘାରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ: ଉତ୍ତର ଓଡ଼ିଶା ଅସ୍ତବ୍ୟସ୍ତ

ଆଜି ବି ଭୀଷଣ ବର୍ଷିବ, ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ବର/ ଜଳେଶ୍ବର : ଆସନ୍ତା ୬ରୁ ୮ ଘଣ୍ଟା ବାଲେଶ୍ବର ଓ ମୟୂରଭଞ୍ଜରେ ଭୀଷଣ ବର୍ଷା ହେବ। ଆଜି ବି କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ବୈତରଣୀରେ ବନ୍ୟା ଆସିବା ସମ୍ଭାବନା ଅଧିକ। ଗଭୀର ଅବପାତ ଶୁକ୍ରବାର ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ରାଜ୍ୟ ସରକାର ଶୁକ୍ରବାର ଦିନ ଏଭଳି ସତର୍କ ସୂଚନା ଜାରି କରିଛନ୍ତି। ଯେହେତୁ ସେସବୁ ଅଞ୍ଚଳରେ ବର୍ଷା ଜାରି ରହିଛି ଓ ପରିସ୍ଥିତି ଗମ୍ଭୀର ଆଡ଼କୁ ଯାଇପାରେ, ଏଣୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଆଜି ରାତି ୯ଟା ବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି ଓ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ବରିଷ୍ଠ ଅଧିକାରୀ କ୍ୟାମ୍ପ କରିଛନ୍ତି ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପୂରା ସଜାଗ ଅଛନ୍ତି।

ତାଳସାରିରେ ୪ ଫୁଟ୍‌ ଉଚ୍ଚର ଜୁଆର, ଫସି ରହିଛନ୍ତି ମତ୍ସ୍ୟଜୀବୀ, ହେଲିକପ୍ଟର ନିୟୋଜିତ
ବୈତରଣୀରେ ଆସିପାରେ ବନ୍ୟା
ଭୟଭୀତ ହୁଅନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ବାଂଲାଦେଶ ଓ ମ୍ୟାଁମାର୍‌ ଉପକୂଳସ୍ଥ ଉତ୍ତର-ପୂର୍ବ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଲଘୁଚାପବଳୟ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସହ ଆଜି ସକାଳେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଥିଲା। ପରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ସକାଳ ସାଢ଼େ ୮ଟା ସୁଦ୍ଧା ଉତ୍ତର ଓଡ଼ିଶାର ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘା ନିକଟରେ ଘନୀଭୂତ ହୋଇଥିଲା। ସଂଧ୍ୟା ୭ଟାରୁ ୮ଟା ମଧ୍ୟରେ ଏହା ଗଭୀର ଅବପାତ ରୂପନେବା ସହ ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ରାତିରେ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ହୋଇଛି। ବିଶେଷକରି ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଭୀଷଣରୁ ଅତିଭୀଷଣ ବର୍ଷା ଜାରି ରହିଛି। ଗଭୀର ଅବପାତଟି ସ୍ଥଳଭାଗ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ମୁହାଁ ହେବ ଏବଂ ଧୀରେଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଆମ ଜଳେଶ୍ବର ଓ ବାଲେଶ୍ବର ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୀଘା ନିକଟରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ବିସ୍ତୀର୍ଣ୍ଣ ସାମୁଦ୍ରିକ ବେଳାଭୂମି ରହିଥିବାରୁ ସମୁଦ୍ର ତଟବର୍ତ୍ତୀ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଲଘୁଚାପ ପ୍ରଭାବରେ ଭୋଗରାଇର ତାଳସାରି, ଉଦୟପୁର, ବିଚିତ୍ରପୁର, ଚନ୍ଦ୍ରାବାଲି ଆଦି ଗାଁ ନିକଟରେ ସମୁଦ୍ରର ଉତ୍ତାଳ ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଶୁକ୍ରବାର ଅପରାହ୍ନରେ ୪ ଫୁଟ୍‌ ଉଚ୍ଚର ସମୁଦ୍ର ଜୁଆର ତାଳସାରି ପଥରବନ୍ଧରେ ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଲଘୁଚାପ ପ୍ରଭାବରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ତୁହାକୁତୁହା ବର୍ଷା ଲାଗି ରହିଛି। ଅପରାହ୍ନରେ ଭୋଗରାଇ ଓ ବାଲିଆପାଳ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ପାଖାପାଖି ଥିଲା। କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛି। ଦିନତମାମ ବିଜୁଳି ବନ୍ଦ ରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହୋଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ଝଡ଼ବର୍ଷା ପାଇଁ କୀର୍ତ୍ତନିଆରୁ ଉଦୟପୁର ବେଳାଭୂମି ନିକଟବର୍ତ୍ତୀ ଗାଁର ଲୋକଙ୍କୁ ମାଇକ୍‌ ଯୋଗେ ସତର୍କ କରାଯାଇଛି। ଏଥିସହିତ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜିଠାରୁ ଆସନ୍ତାକାଲି ଯାଏ ବନ୍ଦ ରଖାଯାଇଛି। ତେବେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହିବେ। ନଦୀ ଓ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ଲାଗି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ଦିନ ଯାଏ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ଦୀଘା ଉପକୂଳଠାରୁ ୬୦ କିମି ଗଭୀର ସମୁଦ୍ର ଭିତରେ ପଶ୍ଚିମବଙ୍ଗର ଏକ ମା‌ଛଧରା ଟ୍ରଲର୍‌ ଫସିରହିଛି। ଉକ୍ତ ଟ୍ରଲରରେ ୧୪ ଜଣ ମତ୍ସ୍ୟଜୀବୀ ରହିଥିବାବେଳେ ସମୁଦ୍ର ଅଶାନ୍ତ ରହିଥିବାରୁ ସେମାନେ କୂଳକୁ ଫେରି ପାରୁନାହାନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଏକ ଜାହାଜ ଓ ହେଲିକେପ୍ଟର ସେଠାକୁ ଯାଇଥିବା ଜଣାପଡ଼ିଛି।

Image Courtesy of Zee News

ଗଭୀର ଅବପାତ ପ୍ରଭାବରେ ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ଫୁଲବାଣୀରେ ସର୍ବାଧିକ ୪୭.୮ ମିମି, ପୁରୀରେ ୪୫ ମିମି, ମାଲକାନଗିରିରେ ୪୪.୪ ମିମି ଓ ଜଗତସିଂହପୁରରେ ୪୧ ମିମି ବର୍ଷା ହୋଇଛି। ଗଭୀର ଅବପାତଟି ଧୀରେଧୀରେ ଛତିଶଗଡ଼ମୁହାଁ ହେଉଥିବା ବେଳେ ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ବରଗଡ଼, ‌ସୋନପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିମି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଣୁ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏହାବ୍ୟତୀତ ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କାକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଗଭୀର ଅବପାତ ପ୍ରଭାବରେ ଏବେ ସମୁଦ୍ର ଅଶାନ୍ତ ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବହିବ ବୋଲି ଦର୍ଶାଇ ୨୦ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ବାରଣ କରିଛି। ଏହାପରେ ୨୧ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିବ। ଦୁଇ ଦିନ ପାଗ ଶୁଖିଲା ରହିବା ପରେ ପୁଣି ଥରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୩ ତାରିଖ ଦିନ ଅନୁଗୁଳ, କଟକ, ‌ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ଜଗତସିଂହପୁର, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି।

ଭୟଭୀତ ହୁଅନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଲାଗି ରହିବ। ତାହାର ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶୁକ୍ରବାର ରାତିରୁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏଥିରେ ଅଯଥାରେ ଭୟଭୀତ ନ ହୋଇ ପ୍ରଶାସନର କଥା ମାନନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ନିଜେ ସୁରକ୍ଷିତ ରୁହନ୍ତୁ, ନିଜ ପରିବାରର ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ।

ସମ୍ବନ୍ଧିତ ଖବର