ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ଗତି କରୁଛି ଡିପ୍ ଡିପ୍ରେସନ, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଜି ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆସି ଦିନ ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିଠାରୁ ୭୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ  ଓ କେନ୍ଦୁଝରଠାରୁ ୯୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ । ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ଏହି ଡିପ୍ ଡିପ୍ରେସନ ପ୍ରଭାବର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଦକ୍ଷିଣ ଗୁଜୁରାଟର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଡିପ ଡିପ୍ରେସନ ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର