ଟୋକିଓ ଅଲିମ୍ପିକ୍ସ ଖେଳିବେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା

ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ଖେଳିଥିଲେ ୪ ଜଣ

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ ପାଇଁ ଭାରତୀୟ ମହିଳା ହକି ଟିମ ଘୋଷଣା ହୋଇଛି । ଏହି ଟିମ୍‌ରେ ଜଣେ ଓଡ଼ିଆ ଝିଅଙ୍କୁ ସାମିଲ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ଟିମ୍‌ରେ ଓଡ଼ିଶାରୁ ଦୀପଗ୍ରେସ୍ ଏକ୍କା ଖେଳିବେ ।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକରେ ୮ ଜଣ ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ଅଭିଜ୍ଞତା ସଂପନ୍ନ ଖେଳାଳିଙ୍କ ତାଲିକାରେ ଅଛନ୍ତି ଦୀପଗ୍ରେସ୍ । ଭାରତୀୟ ମହିଳା ଟିମରେ ୮ ଜଣ ନବାଗତଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଓଡ଼ିଶାରୁ ଏକାଧିକ ମହିଳା ଖେଳାଳିଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଥିଲା । ଭାରତୀୟ ମହିଳା ହକି ଟିମରେ ଅଲିମ୍ପିକ୍ସ ପାଇଁ ୪ ଜଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଅନେକ ଭାବୁଥିଲେ । କିନ୍ତୁ ଭାରତୀୟ ମହିଳା ଟିମ ଘୋଷଣା ହେବା ପରେ ଏବେ ଜଣାଯାଇଛି ଯେ, କେବଳ ଜଣେ ମାତ୍ର ଓଡ଼ିଆ ଝିଅ ଏହି ଅନ୍ତର୍ଜାତୀୟ କ୍ରୀଡାରେ ଓଡ଼ିଶାରୁ ସାମିଲ ହେବେ ।

ଉଲ୍ଲେଖଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସ-୨୦୨୦ ଆସନ୍ତା ଜୁଲାଇ ୨୪ରୁ ଅଗଷ୍ଟ ୬ ତାରିଖ ଯାଏଁ ଜାରି ରହିବ । ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ରାଜ୍ୟରୁ ୪ ଜଣ ଓଡ଼ିଆ ଝିଅ ଭାରତୀୟ ମହିଳା ଟିମରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର