ବଲାଙ୍ଗୀର: ଲୋକେ ଦାନା ପାଇଁ ଦାଦନ ଖଟିବାକୁ ଗଲେ। ବାହାର ରାଜ୍ୟରେ ନିର୍ଯାତନା ପାଇଲେ। ଉଦ୍ଧାର ପାଇଁ କାକୁତିମିନତି ହୋଇ ଘରକୁ ଫେରିଲେ। ଏଭଳି ଖବର ବଲାଙ୍ଗୀର ଜିଲ୍ଲା ପାଇଁ ନିତିଦିନିଆ ଘଟଣା। ଜିଲ୍ଲାରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି। ଦାଦନ ସୁଅ ରୋକିବାକୁ ସରକାର କୋଟି କୋଟି ଟଙ୍କା ମନରେଗା ଯୋଜନାରେ ଅଜାଡ଼ି ଦେଉଛନ୍ତି। କିନ୍ତୁ ନା ଦାଦନ ସ୍ରୋତ କମିଛି, ନା କମିଛି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯାଇ ଉଦ୍ଧାର ହୋଇଥିବା ଲୋକଙ୍କ ସ୍ଥିତି ଜାଣିବାକୁ ‘ସମ୍ବାଦ’ ପହଞ୍ଚିଥିଲା ମୁରିବାହାଲ ବ୍ଲକ୍ କର୍ଲାପିଟା ଗାଁରେ। ବ୍ଲକ୍ ମୁଖ୍ୟାଳୟରୁ ୧୧ କିଲୋମିଟର ଦୂରରେ ୫ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଅବସ୍ଥିତି। ଗାଁକୁ ପହଞ୍ଚିବା ବେଳେ ଏକ ଅଜବ ଦୃଶ୍ୟ ସାମନାକୁ ଆସିଥିଲା।
ପାଖାପାଖି ଶହେ ଘରରୁ ୪୦ରୁ ଅଧିକ ଘରେ ତାଲା ଝୁଲୁଥିଲା। କାରଣ, ଗାଁର ଅଧା ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଗାଁରେ ବୁଲିଲା ବେଳେ ଭେଟ ହୋଇଥିଲେ ରାଧେଶ୍ୟାମ ବାଗ। ତାଙ୍କଠାରୁ ଦାଦନ ଦୁର୍ଦ୍ଦଶାର ଏକ ନିଚ୍ଛକ ଚିତ୍ର ସାମନାକୁ ଆସିଥିଲା। ରାଧେଶ୍ୟାମ ଗତବର୍ଷ ନୂଆଖାଇ ପରେ ଗାଁର କିଛି ଲୋକଙ୍କ ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଇଟାଭାଟିକୁ ଯାଇଥିଲେ। ହେଲେ ହାଇଦ୍ରାବାଦରେ ପୁଲିସ ରାଧେଶ୍ୟାମଙ୍କ ସମେତ ଅନ୍ୟ ଦାଦନଙ୍କୁ ଉଦ୍ଧାର କରି ମୁରିବାହାଲ ପୁଲିସକୁ ହସ୍ତାନ୍ତର କରିଥିଲା। ନିଜ ଭିଟାମାଟିରେ କାମଧନ୍ଦା ଦିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସବୁ ପ୍ରତିଶ୍ରୁତି ପାଣିରେ ମିଳେଇ ଗଲା। ବର୍ଷେ ହେଲା ରାଧେଶ୍ୟାମ କାମଧନ୍ଦା ପାଉନାହାନ୍ତି।
ଗୋଟିଏ ଏକର ଜମିରେ ଯାହା ଚାଷବାସ ହେଉଛି, ସେତିକିରେ ହିଁ ପରିବାର ଚଳୁଛି। ତେବେ ଧାନ ଅମଳ ପରେ ଗାଁରେ ରୋଜଗାର ପାଇଁ ଆଉ କିଛି ମାଧ୍ୟମ କି ବିକଳ୍ପ ନଥିବାରୁ ରାଧେଶ୍ୟାମ ତାଙ୍କ ସମ୍ପର୍କୀୟଙ୍କ ଗାଁକୁ ଯାଇ କାମ କରୁଛନ୍ତି। ଯାହା ରୋଜଗାର ହେଲା ସେଥିରେ ପରିବାର ଚଳୁଛି। ଗାଁରେ କେବଳ ରାଧେଶ୍ୟାମ ନୁହନ୍ତି, ସବୁ ଲୋକଙ୍କର ଏକ ଭିନ୍ନ ଭିନ୍ନ ସମ୍ବେଦନଶୀଳ କାହାଣୀ ରହିଛି। ହେଲେ ଏହାର କାରଣ କିନ୍ତୁ ଗୋଟିଏ। ତାହା ହେଲା, ସ୍ଥାନୀୟ ଅଞ୍ଚଳରେ କାମଧନ୍ଦାର ଅଭାବ। ମନରେଗାରେ ଗାଁର ଲୋକଙ୍କୁ କାମ ମିଳୁନଥିବା ପଚରାଉଚୁରା ପରେ ଜଣାପଡ଼ିଛି। ଯାହା କାମ ହେଉଛି, ସେସବୁ ମେସିନ୍ ହିଁ କରୁଛି। ଦାଦନଗଡ଼ର ଏଭଳି କରୁଣ ଦୃଶ୍ୟ ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଳଜଳ ଦିଶୁଛି।