ତାମିଲନାଡୁରେ ଜନ୍ମ ହେଲେ ଦୀପା ସାହୁ, ସବ୍ୟସାଚୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର: ଜନ୍ମ ହେଲେ ଦୀପା ସାହୁ ! କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜମାରୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଇଏ ଆଲବମ କ୍ୱିନ ଦୀପା ସାହୁ ନୁହନ୍ତି ବରଂ ଗତକାଲି ତାମିଲନାଡୁରେ ଜନ୍ମ ହୋଇଛନ୍ତି ଜଣେ ନବଜାତ, ଯାହାଙ୍କର ନାମ ପଛରେ ଦୀପାଙ୍କ ସହ ପରୋକ୍ଷ ସମ୍ପର୍କ ରହିଛି | ଗତକାଲି(ସୋମବାର) ଆଲବମ୍‌ ଜଗତର ରାଣୀ ଦୀପାଙ୍କ ଜୀବନ ଦୀପ ଲିଭିଯାଇଥିଲା | ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସୋମବାର ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି।

ତେବେ ଠିକ ଏହି ସମୟରେ ତାମିଲନାଡୁର ହୋଶୂରରେ ସସ୍ମିତା ସାହୁ ନାମକ ମହିଳାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା | ଲକଡାଉନ ଯୋଗୁଁ ତାମିଲନାଡୁରେ ସସ୍ମିତା ଓ ସ୍ୱାମୀ ଫସିରହିଥିବାବେଳେ ପ୍ରସବ ବେଦନା ହେବାରୁ ତାଙ୍କୁ ହୋଶୂର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ସେ ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ କରିଥିଲେ |

ଏହା ପରେ ଯେତେବେଳେ ସସ୍ମିତା ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କୁ ଝିଅର କ’ଣ ନାମ ଦେବେ ବୋଲି ପଚାରିଥିଲେ ସେତେବେଳେ ସବ୍ୟ ଅଭିନେତ୍ରୀ ଦୀପାଙ୍କ ନାମ ରଖିବାକୁ କହିଥିଲେ | ସଂଯୋଗବଶତଃ ଝିଅଟିର ନାମ ଦୀପା ରଖାଯାଇଥିବା ବେଳେ ଦମ୍ପତ୍ତିଙ୍କ ସାଙ୍ଗିଆ ମଧ୍ୟ ସାହୁ ଥିଲା, ଅର୍ଥାତ ତାମିଲନାଡୁରେ ଦୀପା ସାହୁଙ୍କର ଜନ୍ମ ହୋଇଛି ବୋଲି ସବ୍ୟ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି |

ସମ୍ବନ୍ଧିତ ଖବର

Comments are closed.