ଭୁବନେଶ୍ୱର : ଗତ ଶୁକ୍ରବାର ରାତିରେ ସୁନ୍ଦରପଦା ହଜ୍ ପୋଖରୀ ନିକଟରେ ଘଟିଥିବା ନୂଆସାହି ଦୀପକ ରାଉତରାୟ ହତ୍ୟା ମାମଲାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଘଟଣାକୁ ୩ ଦିନ ବତି ଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ ଓ ତା’ର ସହଯୋଗୀଙ୍କ ମଧ୍ୟରୁ କାହାକୁ ଜଣକୁ ଗିରଫ କରିପାରିନଥିବାରୁ ସୋମବାର ସନ୍ଧ୍ୟାରେ ଗ୍ରାମବାସୀମାନେ ଏୟାର୍ଫିଲ୍ଡ ଥାନା ଘେରାଉ କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ନାରାବାଜି କରିଥିଲେ। ନୂଆ ଏସିପି ଅନିରୁଦ୍ଧ ରାଉତରାୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତକୁ ଗିରଫ କରିବାକୁ ଆଉ କିଛି ଘଣ୍ଟା ମହଲତ ଦେବାକୁ ପୁଲିସ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ଓହରିଥିଲେ। ତେବେ ପୁଲିସ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେଲେ, ଗ୍ରାମବାସୀମାନେ ପୁଣି ଥାନା ଘେରାଉ କରିବା ସହ ଆନ୍ଦୋଳନକୁ ଜୋର୍ଦାର କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏକ ପୁଲିସ ଟିମ୍ ପଡ଼ୋଶୀ ରାଜ୍ୟକୁ ଯାଇଥିବା ଜଣାପଡ଼ିଛି। କୌଣସି ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ହଜ୍ ପୋଖରୀ ନିକଟରେ ପୁଲିସ ମୁତୟନ କରାଯାଇଛି। ଗାଁର ବରିଷ୍ଠ ନାଗରିକମାନେ ଶାନ୍ତି ବଜାୟ ରଖିବା ପାଇଁ ଯୁବକମାନଙ୍କୁ ନିବେଦନ କରିଛନ୍ତି।
ପୁଲିସ ଗ୍ରାମବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିବା ପରେ ଥାନାରୁ ଫେରି ଗ୍ରାମବାସୀମାନେ ପୁଣି ପାଲା ମଣ୍ଡପ ନିକଟରେ ଏକ ବୈଠକ କରିଥିଲେ। ଏହି ବୈଠକରେ ଗ୍ରାମବାସୀଙ୍କ ସହ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ, ଏୟାର୍ଫିଲ୍ଡ ଥାନା ପୁଲିସ ଉପସ୍ଥିତ ଥିଲେ। ଅଭିଯୁକ୍ତ ଧରାପଡ଼ିବା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଥିଲେ। ଅବଶ୍ୟ ପରେ ପୁଲିସ ବୁଝାଇବା ପରେ ସେମାନେ ଗ୍ରାମବାସୀମାନେ ଏହି ଦାବି ପ୍ରତ୍ୟାହାର କରିନେଇଥିଲେ। ହଜ୍ ପୋଖରୀର ବାକି ୩ ପାର୍ଶ୍ବରେ ଆଲୋକୀକରଣ କରିବା ଓ କପିଳେଶ୍ବର ଗ୍ରାମ ପଟୁ ହଜ୍ ପୋଖରୀ ରାସ୍ତାକୁ ପାଚେରି ପକାଇ ବନ୍ଦ କରାଯାଉ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାରେ ସ୍ଥାନୀୟ ବିଧାୟକ ଓ ବିଏମ୍ସି କମିସନର ସହଯୋଗ କରିବା ପାଇଁ ଆସନ୍ତା ମଙ୍ଗଳବାର ସେମାନଙ୍କୁ ସାକ୍ଷାତ କରାଯିବ ବୋଲି ମଧ୍ୟ ନିଷ୍ପତି ହୋଇଛି।
ପ୍ରକାଶଯୋଗ୍ୟ, ଜିରୋ ନାଇଟ୍ ପାଳନ ବେଳେ ହଜ୍ ପୋଖରୀ ନିକଟରେ କପିଳେଶ୍ବର ଓ ସୁନ୍ଦରପଦାର କିଛି ଯୁବକମାନଙ୍କ ମଧ୍ୟରେ ଗଣ୍ଡୋଗଳ ଲାଗିଥିଲା। ସୁନ୍ଦରପଦାର ଯୁବକମାନେ ସେଠାରୁ ଚାଲିଯିବା ପରେ ସୁନ୍ଦରପଦା ହଜ୍ ପୋଖରୀ ସୁରକ୍ଷା ଦାୟିତ୍ୱରେ ଥିବା ନୂଆସାହିର ଦୀପକ ରାଉତରାୟ(୫୪)ଙ୍କୁ ଭିକି ମଲିଆ ଓ ତା ସହଯୋଗୀମାନେ ଆକ୍ରମଣ କରିଥିଲେ। ବୀଭତ୍ସ ଭାବେ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡ ଓ ପାଟିକୁ ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।