କାନ୍ଦି ପକାଇଲେ ଦୀପାଳି, ମୁଁ କେବେ ବି ଭାବି ନଥିଲି ମୋ ବାପାଙ୍କ ନାମରେ ସ୍ବର୍ଗତ ଲାଗିବ

ବାପାଙ୍କ ପ୍ରତି ଭଲପାଇବା ଜନସମୁଦ୍ର ବୟାନ କରୁଛି

ଝାରସୁଗୁଡ଼ା : ସଭା ମଞ୍ଚରେ କାନ୍ଦି ପକାଇଲେ ନବଙ୍କ ଝିଅ ଦୀପାଳି। ଏତେ ବଡ଼ ସଭା ଯିଏ ନିଜେ ଆୟୋଜନ କରୁଥିଲେ, ମଞ୍ଚ ଉପରୁ ଭାଷଣ ଦେଉଥିଲେ ସେ ଆଜି ମଞ୍ଚରେ ନଥିଲେ, ସେ ମଞ୍ଚ ଉପରେ ଫଟୋ ପାଲଟି ଯାଇଥିଲେ। ଝାରସୁଗୁଡ଼ାବାସୀ ତାଙ୍କ ନେତାଙ୍କୁ ହରାଇଲେ, ରାଜ୍ୟ ଜଣେ ଦକ୍ଷ ମନ୍ତ୍ରୀଙ୍କୁ ହରାଇଲା। ପରିବାର ସଦସ୍ୟ ସବୁଦିନ ପାଇଁ ନବଙ୍କୁ ହରାଇଲେ। ଜୀବନକାଳ ମଧ୍ୟରେ ଅନେକ ଲୋକଙ୍କ ବ୍ୟକ୍ତିଗତ କାମରେ ସହାୟତାର ହାତ ବଢ଼ାଇଥିବା ନବଙ୍କୁ ଆଜି ସାରା ଜିଲ୍ଲା ଝୁରୁଛି। ସମସ୍ତଙ୍କ ଆଖିରେ ଲୁହ। ବିରାଟ ଶ୍ରାଦ୍ଧସଭାରେ ଝିଅ ଦୀପାଳି ଓ ପୁଅ ବିଶାଳ ବାପାଙ୍କ ଫଟୋଚିତ୍ର ପାଖରେ ଛିଡ଼ା ହୋଇ ହଜାର ହଜାର ଲୋକଙ୍କୁ ହାତଯୋଡ଼ି ନମସ୍କାର କରୁଥିବା ବେଳେ ବହୁ ଲୋକ ତାଙ୍କ ପାଖକୁ ଆସି ଭୋ ଭୋ କାନ୍ଦି ପକାଉଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବବିହ୍ବଳ କରିପକାଇଥିଲା। ବହୁ ମହିଳା ଆସି ଦୀପାଳିଙ୍କୁ କୁଣ୍ଢାଇ କାନ୍ଦୁଥିବା ବେଳେ ନବଙ୍କ ସ୍ମୃତିଚାରଣ କରି ସେ ତାଙ୍କୁ କରିଥିବା ସାହାଯ୍ୟ କଥା ଉଲ୍ଲେଖ କରି କୋହ ସମ୍ଭାଳି ପାରୁନଥିଲେ। ଦୀପାଳି ମଧ୍ୟ ଧୈର୍ଯ୍ୟର ସହିତ ସମସ୍ତଙ୍କ କଥା ଶୁଣିବା ପରେ ମଞ୍ଚ ଉପରୁ ସମସ୍ତଙ୍କୁ ସମ୍ବୋଧିତ କରିବା ବେଳେ ତାଙ୍କ କୋହକୁ ସମ୍ଭାଳି ନପାରି କାନ୍ଦି ପକାଇଥିଲେ।

ସେ କହିଲେ ଯେ ମୋ ବାପାଙ୍କ ହାତ ମୋ ମୁଣ୍ଡ ଉପରେ ସବୁବେଳେ ରହିଥିଲା। ଏମିତି ଅନେକ ସଭାରେ ମୁଁ କହିଲା ବେଳେ ବାପା ପଛରୁ ଉତ୍ସାହ ଦେଉଥିଲେ। ଏବେ ସେହି ଉତ୍ସାହ ଦେବା ପାଇଁ ମୋ ପାଖ‌ରେ ବାପା ଆଉ ନାହାନ୍ତି। ମୁଁ କେବେ ବି ଭାବି ନଥିଲି ବାପାଙ୍କ ନାମ ଆଗରେ ସ୍ବର୍ଗତ ଲାଗିବ ବୋଲି। ଆଜି ଏତେ ବଡ଼ ଶ୍ରଦ୍ଧାଞ୍ଜଳି ସଭାରେ ହଜାର ହଜାର ଲୋକ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ‌ମୁଁ ନିଜକୁ ଆଉ ଅସହାୟ ବୋଲି ଭାବୁନାହିଁ। ବାପା ସିନା ନାହାନ୍ତି, କିନ୍ତୁ ଏତେ ବିରାଟ ନବ ପରିବାର ମୋତେ ଦେଇ ଯାଇଛନ୍ତି। ମୋ ବାପାଙ୍କ ପ୍ରତି ଥିବା ଭଲ ପାଇବା ଆଜି ଏହି ଜନସମୁଦ୍ର ହିଁ ବୟାନ କରୁଛି। ବାପା ଆମ ପାଖରେ ନାହାନ୍ତି, କିନ୍ତୁ ସେ ସ୍ବର୍ଗରୁ ଆମକୁ ସବୁବେଳେ ଆଶୀର୍ବାଦ ଦେଉଥିବ‌େ। ବାପା ସବୁବେଳେ ଝାରସୁଗୁଡ଼ାର ବିକାଶ କଥା କହୁଥିଲେ। ରାସ୍ତାଘାଟ ଠାରୁ ହାର୍ଟ ହସ୍ପିଟାଲ, କମ୍ୟୁନିଟି ସେଣ୍ଟର ଠାରୁ ଜଳଯୋଗାଣ। ବସ୍‌ଷ୍ଟାଣ୍ଡ, ରେଳ ଓଭରବ୍ରିଜ ଆହୁରି ଅନେକ କଥା ଚିନ୍ତା କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଓ ନେତୃତ୍ବରେ ଅନେକ କାମ ‌ସେ କରି ଯାଇଛନ୍ତି। ଅନେକ କାମ ବାକି ରହିଛି। ତେଣୁ ଆମେ ଶୋକ ନକରି ତାଙ୍କର ବିକାଶ କାମ ଗୁଡ଼ିକ କିଭଳି ତ୍ବରାନ୍ବିତ ହେବ ସେକଥାକୁ ବୁଝିବାର ବେଳେ ଅସିଛି ବୋଲି ସେ କହିଥିଲେ।

ପୁତ୍ର ବିଶାଳ କହିଥିଲେ ବାପାଙ୍କ ଅକାଳ ବିୟୋଗ ପରେ ଆମେ ହଠାତ୍‌ ଭାଙ୍ଗି ପଡ଼ିଥିଲୁ କିନ୍ତୁ ଝାରସୁଗୁଡ଼ା ଜନସାଧାରଣ ଯେଭଳି ଭାବରେ ସମବେଦନା ଜଣାଇଛନ୍ତି, ଆମ ପାଖକୁ ଆସି ଛିଡ଼ା ହୋଇ ସାହସ ଦେଇଛନ୍ତି ଏବଂ ବାପାଙ୍କ ବିୟୋଗରେ ଯେଭଳି ଆତ୍ମହରା ହୋଇ କାନ୍ଦିଛନ୍ତି, ତାହା ହିଁ ବାପାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅଟେ। ବାପାଙ୍କ ପ୍ରତି ଲୋକଙ୍କ ଥିବା ଏଭଳି ଭଲ ପାଇବା ଭାବନା ତାଙ୍କର କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର