ଭୁବନେଶ୍ବର : ଓଁ ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୁର୍ମା ଅମୃତଂ ଗମୟ, ଓଁ ଶାନ୍ତିଃ, ଶାନ୍ଥିଃ, ଶାନ୍ତିଃ। ଅର୍ଥାତ୍‌ ହେ ଜଗତ୍‌କର୍ତ୍ତା ଈଶ୍ବର ଆମକୁ ଅବାସ୍ତବରୁ ବାସ୍ତବକୁ ବାଟ ଦେଖାଅ। ଅଜ୍ଞାନରୂପୀ ଅନ୍ଧାରରୁ ଜ୍ଞାନରୂପକ ଆଲୋକ ଆଡ଼କୁ ନେଇଚାଲ। ଆମକୁ ଅମରଣଶୀଳ କର। ସର୍ବତ୍ର ଶାନ୍ତି ବିରାଜମାନ କରୁ। ଏହାହିଁ ପବିତ୍ର ଦୀପ ଦାନର ମହତ୍ତ୍ବ।

Advertisment

ଆଜି କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପଡ଼ୁଥିବା ଦୀପାବଳି ଅମାବାସ୍ୟା ନଥିଲା। ତଥାପି ସମସ୍ତେ ଦୀପ ଜାଳିଲେ। ହୁଳହୁଳି ପକାଇଲେ, ହରିବୋଲ ପଡ଼ିଲା, ଶଙ୍ଖ ବାଜିଲା ନାମ ସଂକୀର୍ତ୍ତନ ବି ହେଲା। ଏପରିକି କେଉଁଠି କେଉଁଠି ବାଣ ବି ଫୁଟିଲା।

ମାନବଜାତିର ବିଲୋପ କରିବାକୁ କରାଳ କାୟା ବିସ୍ତାର କରିଥିବା କରୋନା ରାକ୍ଷସ ବିରୋଧରେ ସଂଗ୍ରାମ କରୁଥିବା ହଜାର ହଜାର ଡାକ୍ତର, ମେଡିକାଲ କର୍ମଚାରୀ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପାଇଁ ସମସ୍ତେ ଏକାକାର ହେଲେ। ରାତି ୯ଟା ବାଜିବା ମାତ୍ରେ ମହିଳା ଓ ପୁରୁଷଙ୍କଠାରୁ ଆରମ୍ଭ କରି ଛୋଟ ପିଲାଟିଏ ବି ଦୀପଟିଏ ଜାଳି ଘର ସାମନାକୁ ଚାଲି ଆସିଲେ। ଲାଗୁଥିଲା ପୁଣି ଗୋଟିଏ ଦୀପାବଳି ଆସିଛି। କରୋନା ରୋଗୀଙ୍କୁ ଚିକିତ୍ସାା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ଅବଦାନ ଅତୁଳନୀୟ। ନିଜ ଜୀବନକୁ ବାଜି ଲଗାଇ ସେମାନେ ଶହଶହ କରୋନା ଆକ୍ରାନ୍ତ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି। ଦେଶର ଏହି ଘଡ଼ସନ୍ଧି ମୂହୁର୍ତ୍ତରେ ସେମାନଙ୍କ ପଛରେ ସମସ୍ତେ ଠିଆ ହୋଇଛନ୍ତି। ଏପରି ଯୋଦ୍ଧାଙ୍କୁ ସାହାସ ଦେବା ପାଇଁ ରବିବାର ଠିକ୍‌ ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୩ ତାରିଖରେ ୧୩୦ କୋଟି ଭାରତବାସୀଙ୍କୁ ଆହ୍ବାନ ଦେଇଥିଲେ। କାରଣ ଏକତା ହିଁ ସବୁବେଳେ ଦୁଷ୍ଟ ଶକ୍ତି ଓ ଶତ୍ରୁକୁ ଜୟ କରିବାରେ ରାସ୍ତା ଦେଖାଇଥାଏ। ଏକାଗ୍ରତା ସହ ଦୀପ ପ୍ରଜ୍ବଳନ କଲେ ଯେଉଁ ଶକ୍ତି ଜାଗ୍ରତ ହେବ, ତାର ପ୍ରତିଫଳନ କରୋନା ମହାମାରୀକୁ ପ୍ରତିହତ କରିବାରେ ସଫଳତା ଆଣିବ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଲୋକେ। ନିଜ ନିଜ ଘରର ଲାଇଟ୍‌ ବନ୍ଦ କରି ଦୀପ ଜାଳି ନୂଆ ଜାଗରଣ ସୃଷ୍ଟି କରିପାରିଛନ୍ତି। ଏପରିକି ମହମବତୀ, ଟର୍ଚ୍ଚ ଲାଇଟ୍‌, ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ ପକାଇ କରୋନାକୁ ମୁକାବିଲା କରିବାରେ ସମସ୍ତେ କିପରି ଏକଜୁଟ୍‌, ତାର ନିଦର୍ଶନ ଦେଖିବାକୁ ମିଳିଛି।

ଭୁବନେଶ୍ବର, କଟକ, ଭଦ୍ରକ ସହର ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ତାଲାବନ୍ଦ ରବିବାର ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ଥିଲା। ସମ୍ପୂର୍ଣ୍ଣ ତାଲାବନ୍ଦ ଅବଧି ପରେ ପରେ ଲୋକମାନେ ନିଜ ଘର ଆଗରେ ଦୀପ, ମହମବତୀ ସଜାଡ଼ି ସମୟକୁ ଅପକ୍ଷା କଲେ। ରାଜଧାନୀ ଭୁବନେଶ୍ବରରେ ରାଜି ୯ଟା ବାଜିବାମାତ୍ରେ ଦୀପ, ମହମବତୀ, ଏମର୍ଜେନ୍‌ସି ଲାଇଟ୍‌ ଓ ମୋବାଇଲ୍‌ ଫ୍ଲାସ୍‌ ଲାଇଟ ସମସ୍ତଙ୍କ ଦୁଆରେ ଜଳି ଉଠିଲା। ହଜାର ହଜାର ସଂଖ୍ୟାରେ ଲୋକମାନେ ନିଜ ନିଜ ଘର ଦୁଆର ଆଗରେ, ବାଲକୋନୀରେ ଛାତ ଉପରେ ଠିଆ ହୋଇ ନୀରବ ମନରେ ପ୍ରାର୍ଥନା କରିବା ଦେଖିବାକୁ ମିଳିଥିଲା। ଏପରିକି କାଗଜ ନିର୍ମିତ ଆକାଶଛତାରେ ଦୀପଜାଳି ଆକାଶକୁ ଛାଡ଼ିଥିଲେ। କେତେକ ଛାତ୍ରାବାସରେ ଛାତ୍ରଛାତ୍ରୀମାନେ ଆଲୋକ ଜଳାଇବା ସହ ଜନତା କର୍ଫ୍ୟୁ ଦିନ ଭଳି ତାଳି ମାରିବା ସହ ଥାଳି ଓ ବାସନକୁସନ ବଜାଇଥିଲେ।

ଏହି ୯ ମିନିଟ୍‌କୁ ଆଲୋକର ପର୍ବକୁ ପାଳନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଥିଲେ। ଏଥିପାଇଁ ସବୁ ଗ୍ରୀଡ୍‌ଗୁଡ଼ିକରେ କର୍ମଚାରୀ ସଜାଗ ରହିଥିଲେ। କୌଣସି ବ୍ୟକ୍ତି ଯେପରି ନିଜ ଘରର ମେନ୍‌ ସୁଇଚ୍‌ ବନ୍ଦ ନ କରି କେବଳ ଲାଇଟ୍‌ ବନ୍ଦ କରିବେ ସେଥିପାଇଁ ମଧ୍ୟ ସରକାର ସଚେତନ କରାଇଥିଲେ। ଘରର ଫ୍ୟାନ୍‌,ଏସି, କମ୍ପ୍ୟୁଟର୍‌ ଓ ଟେଲିଭିଜନ୍‌ ସେଟ୍‌ ଚାଲୁ ରଖିବାକୁ ବି ପରାମର୍ଶ ଦିଆଯାଇଥିଲା। ଏହାସହ ପ୍ରତ୍ୟେକ ଗଳିର ଷ୍ଟ୍ରିଟ୍‌ ଲାଇଟ୍‌ ବି ଜଳି ରହିଥିଲା। ଏହି ସମୟତକ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ କୌଣସି ପ୍ରକାର ବିଜୁଳି କାଟ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।