କଟକ: ଓଡ଼ିଶାରେ ପ୍ରଥମ ଥର ଡିପ୍‌ଫେକ୍ ଭିଡିଓ ଘଟଣା ସାମନାକୁ ଆସିଛି। ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି। ଅଭିଯୁକ୍ତ ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ କେଉଟଗୁଡ଼ା ଷ୍ଟେସନ ସାହିର କିଶୋର କୌଶଲ୍ୟ। ସେ ଜଣେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର ହୋଇଥିବା ବେଳେ ତା ନିକଟରୁ ମୋବାଇଲ୍ ଫୋନ୍‌, ଲାପଟପ୍ ଓ ପରିଚୟପତ୍ର ଇତ୍ୟାଦି ଜବତ କରାଯାଇଛି।

Advertisment

କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ମାଧ୍ୟମରେ ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତି ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଏକ ୫ ସେକେଣ୍ଡର ଭିଡିଓ ଫେସ୍‌ବୁକରେ ଭାଇରାଲ୍ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଜଣେ ଓଡ଼ିଆ ମହିଳା ଅଶ୍ଳୀଳ ଅବସ୍ଥାରେ ଏହି ଭିଡିଓରେ ଦେଖାଯାଉଛି। ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓରେ ଟାର୍ଗେଟ୍ କରି ଚରିତ୍ର ସଂହାର ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚରେ ୧୭ ତାରିଖରେ ଅଭିଯୋଗ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ଫେସ୍‌ବୁକରେ ଯେଉଁ ଉତ୍ସରୁ ଏହି ଭିଡିଓ ଛଡ଼ାଯାଇଥିଲା, ତାହାକୁ ଅନୁଧ୍ୟାନ କରିଥିଲା।  କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକରେ ଡିପ୍‌ଫେକ୍ ଭିଡିଓ ଅପଲୋଡ୍ ହୋଇଥିବା ମୂଳ ଆକାଉଣ୍ଟ ଚିହ୍ନଟ କରିଥିଲା। ଅଭିଯୁକ୍ତ କିଶୋର ରାୟଗଡ଼ା ଟିକିରିର ଏକ କନ୍‌ଷ୍ଟ୍ରକ୍ସନ କମ୍ପାନିରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଭାବେ କାମ କରୁଛି। ସେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ ମଧ୍ୟ ନାଁ କରିଛି। ତାର ଫେସ୍‌ବୁକରେ ୨୪ ହଜାର ଅନୁଗାମୀ ଅଛନ୍ତି। ବିଭିନ୍ନ ପ୍ରକାର ରିଲ୍‌ସ କରି ନିଜର ଫଲୋଅର୍ ବଢ଼ାଉଥିଲା କିଶୋର। ଏଥିରେ ଭଲ ଟଙ୍କା ବି ରୋଜଗାର କରୁଥିଲା। ତେବେ ଏହି ନିଶାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରିଥିଲା। କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ କିଶୋରକୁ ବାନ୍ଧିବା ସହିତ ମେଟା ପ୍ଲାଟଫର୍ମ(ଫେସ୍‌ବୁକ)କୁ ଏ ନେଇ ଚିଠି ଲେଖିଥିଲା। ଫେସ୍‌ବୁକରୁ ଏହି ଭିଡିଓକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚର ଚିଠି ପରେ ତାହାକୁ ହଟାଇ ଦିଆଯାଇଛି।