ହକ୍ ନମିଳିବା ଯାଏ ଜାରି ରହିବ ଧାରଣା, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବି: ଦୀପିକା

କୋର୍ଟରେ ମାମଲା ଥିବାରୁ ହାତ ଝାଡିଦେଲେ ମହିଳା କମିଶନ ଅଧ୍ୟକ୍ଷା 

ଭୁବନେଶ୍ୱର: ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାଙ୍କ ପରିଚୟ ଦେବା ପାଇଁ ଧାରଣା ଦେଉଥିବା ବ୍ରହ୍ମପୁରର କେ ଦୀପିକାଙ୍କ ମାମଲାର ଆଜି ରାଜ୍ୟ ମହିଳା ଆୟୋଗରେ ଅନ୍ତ ଘଟିଛି। ନିର୍ଦ୍ଧାରିତ ସମୟରେ ଦୀପିକା ଆୟୋଗ ନିକଟରେ ହାଜର ହୋଇଥିବା ବେଳେ ପ୍ରଥମ ଥର ପାଇଁ ଦିନେଶ ନିଜ ବାପା ଓ ମାଙ୍କ ସହ ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦେଢ଼ ଘଣ୍ଟାର ପ୍ରବଳ ଯୁକ୍ତିତର୍କ ସହ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଦୀପିକାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଦିନେଶ ସିଧାସଳଖ ମନା କରିଦେଇଥିବାବେଳେ ଶିଶୁପୁତ୍ର ପ୍ରତି ସେମାନଙ୍କର ସହାନୁଭୂତି ଥିବା ଦିନେଶଙ୍କ ପରିବାରବର୍ଗ କହିଥିଲେ। ଦୀପିକା ଓ ଦିନେଶଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କମିଶନଙ୍କ କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ଅଧ୍ୟକ୍ଷା।

 

ଏହି ମାମଲାରେ କୋର୍ଟ ଯାହା ବିଚାର କରିବେ ତାହା ଚୂଡାନ୍ତ ବୋଲି ରାଜ୍ୟ ମହିଳା ଆୟୋଗ କହିଛନ୍ତି । ସେପଟେ ଆଜିର ଘଟଣା ପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପିଡିତା ଦୀପିକା। ଦିନେଶ ନିଜ ଅର୍ଥବଳ ବ୍ୟବହାର କରୁଥିବାରୁ ତାଙ୍କୁ ନ୍ୟାୟ ମିଳିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଦୀପିକା। ଆଜି ମହିଳା କମିଶନରୁ ନ୍ୟାୟ ପାଇବାରୁ ନିରାଶ ହେବା ପରେ ସେ ଭାଙ୍ଗି ପଡିବେନି ବରଂ ଧାରଣା ଜାରି ରହିବ ଓ ନିଜ ହକ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଦୀପିକା କହିଛନ୍ତି।

ସମ୍ବନ୍ଧିତ ଖବର