ବ୍ରହ୍ମପୁର: କିଛି ଦିନର ନିରବତା ପରେ କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର ଦୁଆରେ ଧାରଣା ଦେଇଥିବା ବେଳେ ଏବେ ତାଙ୍କୁ ମିଳିଥିବା ଡିଏନ୍ଏ ରିପୋର୍ଟର ଏକ ଫ୍ଲେକ୍ସ ଲଗାଇ ବସିଛନ୍ତି। ଜନ୍ମିତ ପୁଅକୁ ବାପାର ଅଧିକାର ଏବଂ ତାଙ୍କୁ ପତ୍ନୀର ମାନ୍ୟତା ଦାବି କରି ଦୀପିକା ଏହି ଧାରଣା ଦେଇଥିବା କହିଛନ୍ତି। ପ୍ରକାଶ ଥାଉକି ଉପରୋକ୍ତ ଦାବି ନେଇ ଦୀପିକା ଗତବର୍ଷ ଠାରୁ ଦିନେଶ୍ଙ୍କ ଘର ଦୁଆରେ ଧାରଣା ଦେଇ ଆସୁଥିଲେ। କିଛି ଦିନ ଏଥିରୁ ନିବୃତ୍ତ ରହିବା ପରେ ଗତ ତିନି ଦିନ ଧରି ପୁଣି ଧାରଣା ଆରମ୍ଭ କରିଛନ୍ତି।
ଡିଏନ୍ଏ ରିପୋର୍ଟରେ ତାଙ୍କ ପୁଅର ବାପା ଦିନେଶ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ। ତେଣୁ ନ୍ୟାୟ ପାଇଁ ପୁଣି ସେ ଧାରଣା ଆରମ୍ଭ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଧାରଣାର ପ୍ରଥମ ଦିନ ତାଙ୍କ ଉପରେ ଦିନେଶଙ୍କ ମା’ ଓ ଜେଜେମା’ ଲଙ୍କାଗୁଣ୍ଡ ପାଣି ପକାଇଥିବା ନେଇ ସେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ଏଥିପୂର୍ବରୁ ବି ଦୀପିକା ଧାରଣା ଦେବା ସମୟରେ ବିଭିନ୍ନ ବିବାଦ ଉପୁଜିଥିଲା। ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଏନେଇ ବଡ଼ବଜାର ଥାନା ଅଧିକାରୀଙ୍କୁ ପଚାରିବାରେ ଡିଏନ୍ଏ ରିପୋର୍ଟ ମିଳିବା ତାଙ୍କର ଅଧିକାର ରହିଛି। ଏବେ ସେ ଏହି ରିପୋର୍ଟକୁ ଧରି ଧାରଣା ଦେଇଛନ୍ତି। ଶାନ୍ତିଶୃଙ୍ଖଳା ବଜାର ରଖିବା ପାଇଁ ସେଠାରେ ୬ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ସେ କହିଛନ୍ତି।