ବ୍ରଜରାଜନଗର: ଖରାର ପ୍ରକୋପ ବଢ଼ିବାରେ ଲାଗିଛି।  କୋଇଲା ଖଣି ଯୋଗୁ  ଭୂତଳ ଜଳ ନିମ୍ନଗାମୀ ହେବା ଫଳରେ ମାର୍ଚ୍ଚ ମାସରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ଥିବା କୂଅ ପୋଖରୀ ଶୁଖିଯାଉଛି। ଫଳରେ ଜନସାଧାରଣ  ତଥା ବସ୍ତିବାସିନ୍ଦାଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ସହିତ ଜଙ୍ଗଲ ଜୀବଜନ୍ତୁଙ୍କ ଉପରେ ପଡ଼ୁଛି।  ଏହି ଅଞ୍ଚଳରେ ଥିବା ଜଙ୍ଗଲରେ  ନିଆଁ ଲାଗିବା ସହିତ ଜଳାଭାଵ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଏବେ ସହରମୁହାଁ ହେବାରେ ଲାଗିଛିନ୍ତି।

Advertisment

ଆଜି ସକାଳେ ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ୨ନମ୍ବର ୱାର୍ଡର  ଠୁଙ୍ଗିଆଡେରାରେ ଏକ ହରିଣ ନିକଟ ଜଙ୍ଗଲରୁ ପାଣି ପିଇବା ଉଦ୍ଦେଶ୍ୟରେ ବସ୍ତି ଅଞ୍ଚଳକୁ ପଶି ଆସିଥିଲା। ହରିଣକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ସେଠାରେ ଥିବା ଯୁବକମାନେ ପହଞ୍ଚି ହରିଣକୁ ରକ୍ଷା କରିଥିଲେ। ଖବରପାଇ  ବେଲପାହାଡ଼ର ପୂର୍ବତନ ନଗରପାଳ ପର୍ଶୁରାମ ସାହୁ ମଧ୍ୟ ସେଠାରେ ପହଞ୍ଚି ଅଞ୍ଚଳର ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଉଦ୍ଧାର ହରିଣଟି ବ୍ରଜରାଜନଗର ବନାଞ୍ଚଳ ଅଧୀନରେ ଆସୁଥିବାରୁ ବ୍ରଜରାଜନଗର ବନ ବିଭାଗକୁ ଏହା ହସ୍ତାନ୍ତର କରାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଛି।