ନୟାଗଡ଼ : ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ରୁ ବିପୁଳ ପରିମାଣର ହରିଣ ମାଂସ ଜବତ ହୋଇଛି। ଜବତ ମାଂସର ପରିମାଣ ୨ କ୍ବିଣ୍ଟାଲ୍ ହେବ ପୁଲିସ ସୂଚନା ଦେଇଛି। ଏତେ ପରିମାଣର ହରିଣ ମାଂସ ଜବତ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ଭୁବନେଶ୍ବର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶିଶୁପାଳଗଡ଼ ଅଞ୍ଚଳର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ପ୍ରଣୟ କିଶୋର ନାୟକ(୪୦)ଙ୍କୁ ନୟାଗଡ଼ ବନଖଣ୍ଡ ପକ୍ଷରୁ ଗିରଫ କରାଯାଇଛି। ପ୍ରଣୟ ଭୁବନେଶ୍ବର ପୁରୁଣା ସହର ପ୍ଲଟ୍ ନମ୍ବର ୮୬୦ରେ ରହୁଛନ୍ତି। ସେ ଏକ ଅଟୋ ଯୋଗେ ଏହି ମାଂସ ପଡ଼ୋଶୀ ଗଞ୍ଜାମ ଜିଲ୍ଲାରୁ ଭୁବନେଶ୍ୱର ଚାଲାଣ କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ସେ ନିଜେ ଅଟୋ ଚଳାଉଥିବା ବେଳେ ଘଟଣାସ୍ଥଳରୁ ଜଣେ ସହଯୋଗୀ ଖସିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ନୟାଗଡ଼ ଟାଉନଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଓ ତାଙ୍କ ଟିମ୍ ମାଛିପଡ଼ାରୁ ପିଟିଏସ୍ ଛକ ମଧ୍ୟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ପାସେଞ୍ଜର୍ ଅଟୋ (ଓଡି୩୩ ଏସ୍ ୬୪୪୭) ଦ୍ରୁତ ଗତିରେ ଆସୁଥିଲା। ଏହା ଦେଖି ସ୍ବାଭାବିକ ଭାବେ ପୁଲିସର ସନ୍ଦେହ ହେବାରୁ ଅଟୋକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। କୌଶଳ କ୍ରମେ ଲେଙ୍କୁଡ଼ିପଡ଼ା ଛକ ନିକଟରେ ଅଟୋକୁ ରୋକିବାରେ ପୁଲିସ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ତଥା ଅଟୋ ଚାଳକ ପ୍ରଣୟ ଗାଡ଼ିରେ ଗୋ-ମାଂସ ଥିବା ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୁଲିସ ଅଟୋକୁ ଯାଞ୍ଚ ପରିବା ପରେ ଏଥିରେ ଅନେକ ପଲିଥିନ୍ରେ ପ୍ୟାକ୍ ହୋଇ ମାଂସ ଖଣ୍ଡ ଥିବା ଦେଖାଯାଇଥିଲା। ଏହା କୌଣସି ବନ୍ୟଜନ୍ତୁଙ୍କ ମାଂସ ବୋଲି ସନ୍ଦେହ ହେବାରୁ ପୁଲିସ ପକ୍ଷରୁ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ନୟାଗଡ଼ ବନ ବିଭାଗର ଟିମ୍ ପହଞ୍ଚି ମାଂସକୁ ଜବତ କରିଛନ୍ତି। ଏହା ହରିଣ ମାଂସ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଧନରାଜ ଏଚ୍ଡି ସୂଚନା ଦେଇଛନ୍ତି। ତେବେ ମାଂସର ପରିମାଣ ଦୁଇ କ୍ବିଣ୍ଟାଲ୍ ହେବ। ଏଥିରେ ଅନ୍ୟ କିଛି ମାଂସ ମିଶିଛି କି ନାହିଁ, ତା’ର ଯାଞ୍ଚ ଚାଲିଥିବା ଶ୍ରୀ ଏଚ୍ଡି କହିଛନ୍ତି। ଗଞ୍ଜାମ ଅଞ୍ଚଳରୁ ଏଭଳି ନିୟମିତ କରାଯାଉଛି କି ନାହିଁ, ଏଥିରେ କେଉଁମାନେ ସଂପୃକ୍ତ, ମାଂସ ଭୁବନେଶ୍ବରର କେଉଁ ହୋଟେଲ ବା ବ୍ୟକ୍ତିବିଶେଷଙ୍କୁ ପଠାଯାଉଛି, ସେଥିନେଇ ସନ୍ଦେହ ଉପୁଜିଛି। ଏଭଳି କାରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ସନ୍ଦେହ ପ୍ରକାଶ ପାଉଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏଭଳି ବନ୍ୟଜନ୍ତୁ ଶିକାରୀଙ୍କ ରୢାକେଟ୍ର ମୂଳରେ ପହଞ୍ଚିବାକୁ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/naya-2.jpg)