ଭୁବନେଶ୍ବର : ‘ଫନି’ ବାତ୍ୟା ମାଡ଼ରେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରୁ ହରିଣ କୁଆଡ଼େ ଗଲେ ସରକାର କହିପାରୁନାହାନ୍ତି। ବାତ୍ୟା ପ୍ରକୋପ ବେଳେ ହୁଏତ ହରିଣମାନେ ଜଙ୍ଗଲର ଆରପଟକୁ ଚାଲିଯାଇପାରିଥାନ୍ତି। ହରିଣଙ୍କ ବିଷୟରେ ବାସ୍ତବ ତଥ୍ୟ ଦେବା କଷ୍ଟକର। ବାତ୍ୟା ପରବର୍ତ୍ତୀ ଜଙ୍ଗଲ ସମ୍ପଦ ନଷ୍ଟ ନେଇ ସଚିବାଳୟରେ ସମୀକ୍ଷା କରିବା ପରେ ଏହା କହିଛନ୍ତି ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ‘ଫନି’ ବାତ୍ୟା ଯେଭଳି ଭାବେ ଗଛ ଓ ଜୀବଜନ୍ତୁ ନଷ୍ଟ କରିଛି ତାହା ଆଗାମୀ ୨୦ ବର୍ଷ ଭିତରେ ପୂରଣ କରିବା କଷ୍ଟକର ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ‘ଫନି’କ୍ଷତି ଅପୂରଣୀୟ। ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ସମେତ ଅନ୍ୟ ପ୍ରଭାବିତ ଜିଲ୍ଲାରେ ପାଖାପାଖି ୨୦ ଲକ୍ଷ ଗଛ ଏହି ବାତ୍ୟା ଯୋଗୁଁ ନଷ୍ଟ ହୋଇଛି। ପୁଣି ଥରେ ସାନି ବୃକ୍ଷରୋପଣ ଓ ସବୁଜିମା ପାଇଁ କେନ୍ଦ୍ରକୁ ୫୮୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଚଳିତ ବର୍ଷ ୨୦ କୋଟି ଟଙ୍କା ଦେବାକୁ ମଧ୍ୟ ଦାବି କରାଯାଇଛି। ଉଜୂୁଡ଼ା ଜଙ୍ଗଲକୁ ପୁଣି ଥରେ ଗଛଲତା ଲଗାଇ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏ ନେଇ ଅର୍ଥ ମିଳିଲେ ବି ପ୍ରକୃତ ପକ୍ଷେ ବଡ଼ ବଡ଼ ଗଛ ହେବାକୁ ବହୁ ବର୍ଷ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଅଧା ଉପୁଡ଼ି ପଡ଼ି ଗୋଟିଏ ପଟକୁ ଢଳିଥିବା ଗଛକୁ ପୁଣି ଥରେ ବୈଜ୍ଞାନିକ ପଦ୍ଧତିରେ ସିଧା କରି ବଞ୍ଚାଇବାକୁ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ପବନ ଓ ବାତ୍ୟାରେ ଯେଉଁ ଗଛ ସହଜରେ ଉପୁଡ଼ି ପଡ଼ୁନଥିବ ସେହିପରି ବୃକ୍ଷଚାରା ଲୋକଙ୍କୁ ଯୋଗାଇଦେବାକୁ ଜଙ୍ଗଲ ବିଭାଗ ପଦକ୍ଷେପ ନେବ। ବାତ୍ୟାଯୋଗୁଁ ସବୁଜିମା ସହର ଭୁବନେଶ୍ବରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଛି। ଏପରିକି ସରକାରୀ ଜମିରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ବୃକ୍ଷ ଲଗାଇବାକୁ ଚାରା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।
ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପର୍କରେ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ବାଲୁଖଣ୍ଡ ଜଙ୍ଗଲ ଯେପରି କ୍ଷତି ହୋଇଛି ସେପରି ଜଙ୍ଗଲ ସୃଷ୍ଟି କରିବାକୁ ଦୀର୍ଘବର୍ଷ ଲାଗିବ। ଅଭୟାରଣ୍ୟରେ ଥିବା ହରିଣମାନେ ବାତ୍ୟା ପ୍ରକୋପରେ ବୋଧହୁଏ ବହୁ ଭିତରକୁ ଚାଲିଯାଇଛନ୍ତି। ସେମାନଙ୍କ ଭିତରୁ କେତେକ ଫେରିଆସିବା ଦେଖିବାକୁ ମିଳିଛି। ଗୋଟିଏ ଓ ଦୁଇଟି ହରିଣଙ୍କ ମୃତଦେବ ଠାବ କରାଯାଇଛି। ଦୁଷ୍ଟ ପ୍ରକୃତିର ଲୋକେ ବୋଧହୁଏ ହରିଣଙ୍କୁ ବାନ୍ଧି ରଖିଥାଇପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଜଙ୍ଗଲ ପରି ବାତ୍ୟା ପୂର୍ବରୁ ଯେପରି ହରିଣ ଥିଲେ ସେଭଳି ହରିଣଙ୍କ ସଂଖ୍ୟା ଦେଖିବାକୁ ହେଲେ ବହୁ ବର୍ଷ ଲାଗିବ ବୋଲି କହିଛନ୍ତି ମନ୍ତ୍ରୀ।
ନନ୍ଦନକାନ ପ୍ରାଣୀଉଦ୍ୟାନ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଆସନ୍ତା ୨୧ ତାରିଖରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ନନ୍ଦନକାନନରେ କୌଣସି ପ୍ରାଣୀଙ୍କୁ କ୍ଷତି ପହଞ୍ଚିନଥିବାବେଳେ ଗଛଲତା ସବୁଜିମା ନଷ୍ଟ ହୋଇଯାଇଛି। ଏବେ ଖରାଦାଉରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଅସ୍ଥାୟୀ ନଡ଼ାଛପର ଚାଳିଆ କରାଯାଉଛି।