ସମ୍ବଲପୁର : ମୋତିଝରଣସ୍ଥିତ ଡିଅର୍‌ ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ଏହାର ନାଁ ପୂର୍ବରୁ ‘ଡିଅର୍ ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ବନ ବିଭାଗ ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର ଭାବେ ନାମିତ କରିଛି। ୧୯୮୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ୧୩ ହେକ୍ଟର ଅଞ୍ଚଳରେ ରହିଥିବା ବେଳେ ଗତବର୍ଷ ୪ ହେକ୍ଟର ଜାଗାରେ ଉଦ୍ଭିଦ ଉଦ୍ୟାନ ମଧ୍ୟ ଖୋଲା ଯାଇଛି। ସେଠାରେ ବିଭିନ୍ନ ପ୍ରଜାତିର ୬୦୦୦ରୁ ଅଧିକ ଗଛ ଲଗାଯାଇଛି।

Advertisment

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏହାର ନାଁ ପରିବର୍ତ୍ତନ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୨୭ଟି ଏନ୍‌କ୍ଲୋଜର ଓ ୧୫ ପ୍ରଜାତିର ୩୩୩ଟି ପ୍ରାଣୀ ଅଛନ୍ତି। କଲରାପତରିଆ, ଭାଲୁ, ଚଉସିଙ୍ଗା, ଅଜଗର, ମୟୂର ଆଦି ରହିଥିବା ବେଳେ ସର୍ବାଧିକ ୧୨୩ଟି ହରିଣ ଓ ୪୧ଟି ସମ୍ବର ଅଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ କାଫେଟେରିଆ, ପିଇବା ପାଣି, ଶୌଚାଳୟ, ପାର୍କିଂ ସୁବିଧା କରାଯାଇଛି।