ହରିଣ ପୋଷି ପାରିବନି ନାଲ୍‌କୋ, ବନ୍ଦ ହେବ ଡିୟର ପାର୍କ

ନିର୍ଦ୍ଦେଶ ଦେଲେ ସେଣ୍ଟ୍ରାଲ୍ ଜୁ ଅଥରିଟି

ସାତକୋଶିଆ ଯିବେ ନାଲ୍‌କୋର ହରିଣ
ଅନୁଗୁଳ ବନଖଣ୍ଡ କରୁଛି ବ୍ଲୁ-ପ୍ରିଣ୍ଟ୍‌

ନାଲକୋନଗର, (ସୁଜିତ ବେହେରା): ହରିଣମାନଙ୍କୁ ଏମିତି ପୋଷି ପାରିବନି ନାଲକୋ। ପାର୍କ ଭିତରେ ବନ୍ଦୀ କରି ରଖି ପାରିବ ନାହିଁ। ବେଆଇନ୍‌ ଭାବେ ନାଲକୋନଗର ଟାଉନ୍‌ସିପ୍‌ ଭିତରେ ଚଳାଇଥିବା ଡିୟର ପାର୍କକୁ ବନ୍ଦ କରିବ। ପୋଷା ହରିଣଙ୍କୁ ଜଙ୍ଗଲକୁ ଛଡ଼ାଯିବ। କେନ୍ଦ୍ରୀୟ ଚିଡିଆ ଘର ପ୍ରାଧିକରଣ (ସେଣ୍ଟ୍ରାଲ୍ ଜୁ ଅଥରିଟି) ନାଲକୋ କର୍ତୃପକ୍ଷଙ୍କୁ ଏ ପ୍ରକାର ନିର୍ଦ୍ଦେଶ ଦେବାପରେ ଗତ ଦଶନ୍ଧି ଦଶନ୍ଧି ଧରି ନାଲକୋ ଟାଉନସିପ୍‌ରେ ବେଆଇନ୍‌ ଭାବେ ଚାଲିଥିବା ଡିୟର ପାର୍କ ଏକପ୍ରକାର ବନ୍ଦ ହେବାକୁ ଯାଉଛି। କେନ୍ଦ୍ରୀୟ ଚିଡିଆ ଘର ପ୍ରାଧିକରଣଙ୍କ ନିର୍ଦ୍ଦେଶନାମା ମୁତାବକ, ଡିୟର ପାର୍କରେ ଥିବା ପୋଷା ହରିଣମାନଙ୍କୁ ଜଙ୍ଗଲରେ ଛାଡ଼ିବାକୁ ଅନୁଗୁଳ ବନଖଣ୍ଡକୁ ପିସିସିଏଫ୍‌(ୱାଇଲ୍‌ଡ ଲାଇଫ୍‌) ଚିଠି ଲେଖିଛନ୍ତି। ଅନୁଗୁଳ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସହିତ ମିଶି ହରିଣଙ୍କୁ ଜଙ୍ଗଲରେ ଛାଡ଼ିବାକୁ ଏକ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ନାଲ୍‌କୋନଗରରେ ଠିଆ ହୋଇଥିବା ବେଆଇନ୍‌ ଡିୟର ପାର୍କଟି ମାତ୍ର ହାତ ଗଣତି କେଇଟା ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା। ନାଲକୋ ସେତେବେଳେ ସଉକରେ ସିନା ହରିଣ କେଇଟାକୁ ପାଳିଥିଲା, କିନ୍ତୁ ଭାରତ ସରକାରଙ୍କ ନିୟମ ଅନୁସାରେ ବନ୍ୟଜନ୍ତୁ ପାଳନ ପାଇଁ ସରକାରଙ୍କଠାରୁ କୌଣସି ଅନୁମତି ଆଣିଲା ନାହିଁ। ହାତ ଗଣତିରେ ଆରମ୍ଭ ହୋଇଥିବା ହରିଣଙ୍କ ବଂଶ ବିସ୍ତାର ଏମିତି ହେଲା, ବର୍ତ୍ତମାନ ଏ ପାର୍କର ହରିଣଙ୍କ ସଂଖ୍ୟା ପ୍ରାୟ ୫୦ ହୋଇଛି। କେଇ ଦଶନ୍ଧି ଏ ଡିୟର ପାର୍କଟି ବିସ୍ତାରିତ ହୋଇଛି। ସମସ୍ତଙ୍କ ମନକୁ ଛୁଇଁ ପାରିଛି।

କେନ୍ଦ୍ରୀୟ ଚିଡିଆ ଘର ପ୍ରାଧିକରଣଙ୍କ ବିନା ଅନୁମତିରେ ଚାଲିଥିବା ଏ ପାର୍କ ନାଲକୋ କର୍ତୃପକ୍ଷଙ୍କ ପାଇଁ ଏକ ପ୍ରକାର ବୋଝ ସଦୃଶ ହୋଇଥିଲା। ତେଣୁ ନାଲକୋ କର୍ତୃପକ୍ଷ ଏ ପାର୍କଟିକୁ ଭାଙ୍ଗି ଦେଇ ହରିଣମାନଙ୍କୁ ଜଙ୍ଗଲରେ ଛାଡ଼ି ଦେବାକୁ ମଝିରେ ଜଙ୍ଗଲ ବିଭାଗକୁ ଅନୁରୋଧ କରିଥିଲେ।

ପାର୍କରେ ପୋଷା ବନିଥିବା ହରିଣ ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ମେଳରେ ବଞ୍ଚିବା ମୁସ୍କିଲ୍। ଜଙ୍ଗଲରେ ରହିବାର ଅଭ୍ୟାସ ସେମାନଙ୍କର ଜନ୍ମରୁ ନାହିଁ। ତେଣୁ ଏ ଅଡ଼ୁଆ ଭିତରେ ପଶିବାକୁ ବନ ବିଭାଗ ମନା କରି ଦେଇଥିଲା। କେନ୍ଦ୍ରୀୟ ଚିଡିଆ ଘର ପ୍ରାଧିକରଣଙ୍କଠାରୁ ଅନୁମତି ଆଣି ଡିୟର ପାର୍କ ଚଳାଇବାକୁ ନାଲକୋ ପାଖରେ ଏକମାତ୍ର ବିକଳ୍ପ ପନ୍ଥା ରହିଥିଲା। ତେଣୁ, ନାଲକୋ କର୍ତୃପକ୍ଷ ମଝିରେ ଅନ୍ୟତ୍ର ଏକ ସୁବିସ୍ତୀର୍ଣ୍ଣ ଜାଗାରେ ନୂଆ ଡିୟର ପାର୍କ କରି ହରିଣମାନଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। କିନ୍ତୁ, ହରିଣମାନଙ୍କୁ ପାର୍କରେ ରଖିବାକୁ କେନ୍ଦ୍ରୀୟ ଚିଡିଆ ଘର ପ୍ରାଧିକରଣ ନାଲକୋ କର୍ତୃପକ୍ଷଙ୍କୁ ମନା କରିଛି। ସେମାନଙ୍କୁ ପୋଷିବା ଅପେକ୍ଷା ଜଙ୍ଗଲରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ପିସିସିଏଫ୍‌ଙ୍କୁ ମଧ୍ୟ ଚିଠି ହୋଇଛି। ପିସିସିଏଫ୍‌ଙ୍କ ଚିଠି ଅନୁସାରେ, ଅନୁଗୁଳ ବନଖଣ୍ଡ ହରିଣମାନଙ୍କର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ଯେହେତୁ, ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ହେଉଛି ଏକ ଅଭୟାରଣ୍ୟ। ତେଣୁ ହରିଣମାନଙ୍କୁ ସାତକୋଶିଆ ଜଙ୍ଗଲରେ ଛାଡିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ନାଲ୍‌କୋ ଡିୟର ପାର୍କରୁ ହରିଣମାନଙ୍କୁ ସୁରକ୍ଷିତ ଭାବେ ନେଇ ଅନୁଗୁଳ ବନଖଣ୍ଡ ସାତକୋଶିଆରେ ଛାଡ଼ିବ। ସାତକୋଶିଆ କର୍ତୃପକ୍ଷ ପୋଷା ହରିଣମାନଙ୍କୁ ଜଙ୍ଗଲ ପରିବେଶ ସହିତ ଅଭ୍ୟସ୍ତ କରାଇ ଧୀରେ ଧୀରେ ସେମାନଙ୍କୁ ଜଙ୍ଗଲକୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି ବୋଲି ଅନୁଗୁଳ ଡିଏଫ୍‌ଓ ବିବେକ କୁମାର ‘ସମ୍ବାଦକୁ କହିଛନ୍ତି। କିଛି ବର୍ଷ ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ମଧ୍ୟ ହରିଣମାନଙ୍କୁ ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଥିଲା। ସେହି ପ୍ରକ୍ରିୟାରେ ନାଲକୋ ହରିଣମାନଙ୍କୁ ବି ଛଡ଼ାଯିବ।

ଜଙ୍ଗଲଙ୍କୁ ଛାଡ଼ିବା ପୂର୍ବରୁ ସାତକୋଶିଆରେ ଏକ ଏନ୍‌କ୍ଲୋଜର କରି ସେଠାରେ କିଛି ମାସ ରଖାଯିବ। ସେଠାରେ ସେମାନଙ୍କୁ ଖାଦ୍ୟପେୟ ଦିଆଯିବ। ଏନ୍‌କ୍ଲୋଜର ପାଇଁ ସାତକୋଶିଆରେ ବର୍ତ୍ତମାନ ଏକ ଜାଗା ଖୋଜା ଚାଲିଛି। ଡିୟର ପାର୍କରୁ ଜଙ୍ଗଲରେ ହରିଣମାନଙ୍କୁ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ନାଲକୋ ବହନ କରିବ ବୋଲି ଡିଏଫ୍‌ଓ ଶ୍ରୀ କୁମାର କହିଛନ୍ତି। ପୋଷା ହରିଣମାନଙ୍କୁ ଜଙ୍ଗଲରେ ଛାଡ଼ିବା ପୂର୍ବରୁ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ କିଛି ହରିଣଙ୍କ ବେକରେ ରେଡିଓ କୋଲାର ଖଞ୍ଜାଯିବାକୁ ଯୋଜନା ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର