ଦଳଭର୍ତ୍ତି ଗାଡ଼ିଆରୁ ୩ ଜୀବନ୍ତ ହରିଣ ଉଦ୍ଧାର

ଗୋପ/ପୁରୀ : ବାଲୁଖଣ୍ଡ ଅଭୟାରଣ୍ୟରୁ ଉଭାନ୍‌ ହରିଣଙ୍କୁ ଖୋଜୁଛି ବନ ବିଭାଗ, ହେଲେ ପୋଖରୀ ଗାଡ଼ିଆରେ ହରିଣ ପଡ଼ି କଲବଲ ହେଉଛନ୍ତି। ଆଜି ଗୋପ ବ୍ଳକ ଛଇତନା ଗାଁର ଏକ ଦଳଭର୍ତ୍ତି ଗାଡ଼ିଆରୁ ୩ଟି ହରିଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ହରିଣ ତିନିଟି ‌ଭୟଭୀତ ଅବସ୍ଥାରେ ରହିଛନ୍ତି। ୩ ତାରିଖ ‘ଫନି’ ତାଣ୍ଡବରେ ଉଜୁଡ଼ିଗଲା ବାଲୁଖଣ୍ଡ ଅଭୟାରଣ୍ୟ। ସେଥିରେ ଥିବା ୪ ହଜାରରୁ ଅଧିକ ହରିଣଙ୍କ ଅନ୍ତର୍ଦ୍ଧାନ ବନ ବିଭାଗକୁ ନାନା ଆଶଙ୍କାରେ ପକାଇଲା। ବନ ବିଭାଗ କର୍ମଚାରୀ ଜଙ୍ଗଲ ଓ ଗାଁ ଗଣ୍ଡାରେ ‌ହରିଣଙ୍କୁ ଖୋଜି ବୁଲୁଥିବା ବେଳେ ଆଜି ଛଇତନା ଅଞ୍ଚଳର ଏକ ଦଳ ଭର୍ତ୍ତି ଗାଡ଼ିଆରେ ୩ଟି ହରିଣ ପଡ଼ିଥିବା ନେଇ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଦଳଭର୍ତ୍ତି ଗାଡ଼ିଆରୁ ୩ଟି ଯାକ ହରିଣକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଖବର ଲେଖା ହେବା ବେ‌ଳକୁ ସେମାନଙ୍କୁ ଜଙ୍ଗଲ ଭିତରେ ଛାଡ଼ି ଦିଆଯାଇଥିଲା। ଏବେ ଜଙ୍ଗଲ ଆଖପାଖ ଗାଡ଼ିଆ, ପୋଖରୀରେ ହରିଣଙ୍କୁ ଖୋଜାଯିବ ବୋଲି ପୁରୀ ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର