ବ୍ରହ୍ମପୁର: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଅଧୀନ ଲଖାରୀ ଅଭାୟରଣ୍ୟକୁ ଭଞ୍ଜବିହାର ହରିଣ ଉଦ୍ୟାନର ୫୫ ହରିଣଙ୍କୁ ସ୍ଥାନାନ୍ତର ଆଜି ଠାରୁ ଆରମ୍ଭ ହୋଇଛି। ନନ୍ଦନକାନନ୍‌ରୁ ଆସିଥିବା ସ୍ବତନ୍ତ୍ର ଗାଡ଼ିରେ ଆଜି ପ୍ରଥମ ଦିନରେ ୭ଟି ହରିଣଙ୍କୁ ନେଇ ଲଖାରୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଛଡାଯାଇଛି। ଏହି ପ୍ରକ୍ରିୟା ୧୦ଦିନ ଧରି ଚାଲିବ ବୋଲି  ଗଜପତି ଦାୟିତ୍ବରେ ଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ସୂଚନା ଦେଇଛନ୍ତି। ଡିଏଫ୍‌ଓ ଶ୍ରୀ ନାୟକ କହିଛନ୍ତି ଯେ, ଆଜି ଭୋର ୫ଟା ବେଳେ ଭଞ୍ଜବିହାର ହରିଣ ପାର୍କରେ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରାଣୀ ଚିକିତ୍ସକ ଉପସ୍ଥିତିରେ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା।  ପାର୍କରୁ ‘ବୋମା’( ବାଉଁଶ ଓ କନା‌ରେ ଆବଦ୍ଧାଞ୍ଚଳ ସକୀର୍ଣ୍ଣ ରାସ୍ତା) ଦେଇ  ହରିଣଙ୍କୁ ଗାଡ଼ିକୁ ଉଠାଯାଇଥିଲା।ପୂର୍ବାହ୍ନ ୭ଟା ୩୦ରେ ୭ଟି ହରିଣକୁ ନେଇ ନନ୍ଦନକାନନ୍‌ର ସ୍ବତନ୍ତ୍ର ଭ୍ୟାନ ଲଖାରୀ ଅଭୟାରଣ୍ୟ ଅଭିୁମୁଖେ ଛାଡିଥିଲା। , ହରିଣଙ୍କୁ ରଖିବା ଲାଗି ଚନ୍ଦ୍ରଗିରି ରେଞ୍ଜ ଅର୍ନ୍ତଗତ ମାଣିକପୁର ଗାଁ ନିକଟସ୍ଥ ଲଖାରୀ ଜଙ୍ଗଲରେ ୨ହେକ୍ଟର ପରିମିତ ଇଲାକାରେ ତାର ଜାଲି ବାଡ଼ ବୁଲାଇ ସ୍ବତନ୍ତ୍ର ଏନ୍‌କ୍ଲୋଜର କରାଯାଇଛି। ୧୧ଟା ବେଳେ ଭ୍ୟାନ୍‌ ପହଁଞ୍ଚିବା ପରେ ସେଠାରେ ପ୍ରସ୍ତୁତ ରହିଥିବା ଏନ୍‌କ୍ଲୋଜରରେ ଛଡାଯାଇଥିଲା।  ସେଠାରେ ହରିଣଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ଏଥିସହ ଏକ ଡାକ୍ତରୀ ଟିମ୍‌ ମୁତୟନ ହୋଇଛନ୍ତି। ଆସନ୍ତାକାଲି ଠାରୁ ପ୍ରତ୍ୟେହ ୧୦ଟି ଲେଖାଏଁ ହରିଣ ‌ସ୍ଥାନାନ୍ତର କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।
Advertisment
ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର ରାଜଭବନ ହରିଣ ପାର୍କରୁ ୨ଟି ହରିଣ ଅଣାଯାଇ ୧୯୮୯ରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ପ୍ରାଣୀ ଉଦ୍ୟାନ ପରିସରରେ ହରିଣ ପାର୍କ ପ୍ରତିଷ୍ଠା ହୋଇଥିଲା।  ହରିଣ ପାର୍କ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ) ମଧ୍ୟ ୨୦୧୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ। ଅବଧି ସରିବା ପରେ ଅନୁମତି ନବୀକରଣ ହୋଇ ନ ଥିଲା, କିନ୍ତୁ ପାର୍କ ଚାଲିଥିଲା। ୨୦୧୩ ମାର୍ଚ୍ଚରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ପାର୍କର ଅନୁମତି ପ୍ରତ୍ୟାହାର କରି ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଲେ।  ୨୦୧୭ ମାର୍ଚ୍ଚ ୩୧ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହରିଣ ସ୍ଥାନାନ୍ତର ପାଇଁ ବ୍ରହ୍ମପୁର ଡିଏଫ୍‌ଓଙ୍କୁ ଚିଠି ଲେଖି ଜଣାଇବା ସହ ହରିଣ ସ୍ଥାନାନ୍ତର ଲାଗି ୧୦ଲକ୍ଷ ଟଙ୍କା ଅଗ୍ରୀମ ଜମା କରିଥିଲେ। ଆଇନଗତ ପ୍ରକ୍ରିୟା ଶେଷ ହେବା ଲାଗି ପ୍ରାୟ ୭ବର୍ଷ ଲାଗିଥିଲା। ‌‌ଶେଷରେ ହରିଣ ସ୍ଥାନାନ୍ତର ଆରମ୍ଭ ହୋଇଛି।