ଘଟଗାଁ : ହରିଣ ମାରି ଘରେ ଛାଲ ସାଇତି ରଖିଥିଲା ଜଣେ ଶିକାରୀ। ବନ ବିଭାଗ ଆଜି ଅଚାନକ ଚଢ଼ଉ କରି ୩ଟି ହରିଣ ଚମଡ଼ା ଜବତ କରିଛି। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ କାଦବାହାଳି ଗ୍ରାମର ଯଦୁମଣି ନାଏକ(୪୦)ଙ୍କୁ ଗିରଫ କରାଯାଇଛି।

Advertisment

ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆଜି ବନ ବିଭାଗର ଏକ ଦଳ ବାଘ ଗତିବିଧି ଅନୁସନ୍ଧାନ ପାଇଁ କାଦବାହାଳି ଅଞ୍ଚଳକୁ ଯାଇଥିଲେ। ଗ୍ରାମର ଯଦୁମଣିଙ୍କ ଘରେ ହରିଣ ଚମଡ଼ା ଥିବା ସୂଚନା ପାଇଥିଲେ। ସୂଚନା ଆଧାରରେ ବନ ବିଭାଗ ଟିମ୍ ଯଦୁମଣିଙ୍କ ଘରେ ଚଢ଼ଉ କରି ତିନିଟି ହରିଡ଼ ଚମଡ଼ା ଜବତ କରିଥିଲେ। ତାକୁ ପଚରାଉଚରା ପରେ ସେ ହରିଣ ଶିକାର କରିଥିବା ସ୍ବୀକାର କରିଥିଲା। କିଛିଦିନ ତଳେ ବୈତରଣୀ ନଦୀରେ ଭାସି ଯାଉଥିବା ଏକ ଛୁଆ ହରିଣଙ୍କୁ ଉଦ୍ଧାର ପରେ ମାଂସ ଖାଇବା ସହିତ ଚମଡ଼ା ସାଇତି ରଖିଥିଲା। ପୂର୍ବରୁ ମଧ୍ୟ ଫାଶ ବସାଇ ଗୋଟିଏ ବଡ଼ ହରିଣ ମାରି ଚମଡ଼ାକୁ ରଖିଥିଲା ବୋଲି କହିଥିଲା।

କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତ ଘଟଗାଁ ଆସି ଏହାର ସରଜମିନ ତଦନ୍ତ କରିବା ସହିତ ବନପ୍ରାଣୀ ସୁରକ୍ଷା ଆଇନ ବଳରେ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଚଢ଼ଉ ବେଳେ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁଙ୍କ ସହିତ ଫରେଷ୍ଟଗାର୍ଡ ଦୀପକ କୁମାର ସ୍ବାଇଁ, ମଂଜୁଲତା ମୋଦୀ ଓ କେତେକ ପାରା ଫରେଷ୍ଟ କର୍ମଚାରୀ ଉପସ୍ଥିତ ଥିଲେ।