ଚାରିଆଡ଼େ ପାଣି, ଟାପୁରେ ହରିଣ ପଲ

ବନ ବିଭାଗ ରାସ୍ତା ଉପରେ ଜଗି ରହିଛି, ବାଲୁଖଣ୍ତରୁ ଆସୁଛି ୧୦ ଜଣିଆ ଟିମ୍

ବ୍ରହ୍ମଗିରି : ଖାଦ୍ୟ ଅନ୍ବେଷଣରେ ଆସିଥିବା ଏକ ହରିଣ ପଲ ନଈର ଟାପୁରେ ଫସି ରହିଛନ୍ତି। ଭୋକିଲା ଅବସ୍ଥାରେ ହରିଣ ପଲ ଟାପୁରେ ଫସି ରହିଥିବା ବେଳେ ରାତି ୭ଟା ସୁଦ୍ଧା ବନବିଭାଗ ଏହାକୁ ଉଦ୍ଧାର କରିପାରିନାହିଁ।

ଖବର ନେବାରେ ଜଣାପଡ଼ିଛି ବ୍ରହ୍ମଗିରି ରେଞ୍ଜ୍‌ କଣ୍ଠପୁର ଗାଁ ନିକଟ ମଙ୍ଗଳା ନଈରେ ଆଜି ମହାନଦୀର ବନ୍ୟା ପାଣି ପ୍ରବଳ ଆସିବା ପରେ ନଦୀ ଫୁଲି ଉଠିଛି। ନଦୀଟି ସମୁଦ୍ରରେ ମିଶିଥିବାରୁ ବନ୍ୟା ପାଣି ଧୀରେଧୀରେ ଖଲାସ ହେଉଛି। ସମୁଦ୍ରଠାରୁ ମାତ୍ର ଅଳ୍ପ କିଛି ଦୂରରେ ନଦୀ ଭିତରେ ଥିବା ଏକ ଟାପୁରେ ହରିଣ ପଲ ଫସି ରହିଛି। ନିକଟସ୍ଥ ସିପସରୁବାଲି ଜଙ୍ଗଲରୁ ହରିଣ ଖାଦ୍ୟ ଅନ୍ବେଷଣରେ ଆସିଥିବାବେଳେ ହଠାତ୍ ବନ୍ୟା ପାଣି ଆସି ଯିବାରୁ ସେମାନେ ଆଉ ସେଠାରୁ ବାହାରି ପାରିନାହାନ୍ତି। ରାସ୍ତାରେ ଯାଉଥିବା କିଛି ଯୁବକ ହରିଣ ପଲ ଟାପୁରେ ଫସି ରହିଥିବା ଜାଣିବା ପରେ ବ୍ରହ୍ମଗିରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଂଧ୍ୟାରେ ବନ ବିଭାଗର ଜଣେ ଫରେଷ୍ଟର, ଜଣେ ଗାର୍ଡ ଏବଂ ଜଣେ ୱାଚର ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିନ୍ତୁ ନଦୀର ଟାପୁରେ ଫସି ଥିବା ହରିଣଙ୍କ ପାଖକୁ ଯାଇ ପାରିନାହାନ୍ତି।

ଅନ୍ୟପଟେ ନଦୀରେ ପାଣିର ସ୍ତର ବଢିବାରେ ଲାଗିଛି। ଏହା ସହିତ ହରିଣ ପଲ ଭୋକିଲା ଅବସ୍ଥାରେ ରହିଛନ୍ତି। ଏନେଇ ବ୍ରହ୍ମଗିରି ବନବିଭାଗର କହିବା କଥା ହେଲା ଆମେ ହରିଣ ଉପରେ ନଜର ରଖିଛୁ। ସଂଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କାମରେ ବାଧା ଉପୁଜିଛି। ନଦୀରେ ପାଣି ବଢିଛି। କିଭଳି ହରିଣଙ୍କୁ ଟାପୁରୁ ଉଦ୍ଧାର କରାଯାଇ ପାରିବ ସେ ନେଇ ଉପରିସ୍ଥ ଅଧିକାରିଙ୍କ ସହିତ ଆଲୋଚନା ଚାଲିଛି। ତେବେ ଦୀର୍ଘ ସମୟ ଧରି ହରିଣ ପଲ ଟାପୁରେ ଭୋକିଲା ରହିବା ଏବଂ ପାଣି ବଢିବା ପରେ ସେମାନଙ୍କ ଜୀବନ ପ୍ରତି ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ବ୍ରହ୍ମଗିରି ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରା କହିଛନ୍ତି ମଙ୍ଗଳା ନଈ ଟାପୁରେ ୫ରୁ ୬ଟି ହରିଣ ପଲ୍ଲ ଫସି ରହିଛନ୍ତି। ସେଠାରେ ଆମର କର୍ମଚାରୀ ଜଗି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଛି। ସ୍ବତନ୍ତ୍ର ତାଲିମପ୍ରାପ୍ତ ୧୦ ଜଣିଆ ଟିମ୍ ବାଲୁଖଣ୍ତରୁ ଉଦ୍ଧାର ପାଇଁ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି। ନଦୀର ପାଣି ସ୍ତର କମୁଛି। ତେବେ ସ୍ବତନ୍ତ୍ର ତାଲିମପ୍ରାପ୍ତ କର୍ମଚାରୀ ଉଦ୍ଧାର ପାଇଁ ଘଟଣାସ୍ଥାଳକୁ ତୁରନ୍ତ ଯିବା ପାଇଁ ବ୍ୟବସ୍ଥା ହେଉଥିବା ସେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର