ମିଥ୍ୟା ଅଭିଯୋଗ ନେଇ ବିଜେପି ନେତା ସମ୍ବିତ ପାତ୍ରଙ୍କ ନାମରେ ମାନହାନି ମକଦ୍ଦମା ଦାୟର କଲେ ମହମ୍ମଦ ମୋକିମ

କଟକ: ବିଜେପି ମୁଖପାତ୍ର ଡ.ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର । ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ । ମୋକିମଙ୍କ ଅଭିଯୋଗ ମୁତାବକ ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଜାତୀୟ ଗଣମାଧ୍ୟମରେ କଂଗ୍ରେସର ନଅ ଜଣ ବିଧାୟକଙ୍କ ବିରୋଧରେ ଅନେକ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ।

ବିଧାୟକମାନେ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ । ଏପରିକି ଏହି ଘଟଣାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାଣିଥିଲେ । ଯାହାକୁ ପ୍ରତିବାଦ କରି ତାଙ୍କ ବିରୋଧରେ ଡିସେମ୍ବର ୭ ତାରିଖରେ ପ୍ରଥମେ ଓକିଲ ନୋଟିସ୍ ଜାରି କରିଥିଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍ । ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ସ୍ୱାଭିମାନକୁ ଉପହାସ କରାଯାଇଛି । ଏହାଦ୍ୱାରା ସେମାନଙ୍କ ଆତ୍ମସମ୍ମାନରେ ମଧ୍ୟ କ୍ଷତି ଘଟିଛି ।

ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ । ଏହାରି ଭିତରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସମ୍ବିତ କ୍ଷମା ପ୍ରାର୍ଥନା କରିନାହାନ୍ତି । ଶେଷରେ କଂଗ୍ରେସ ବିଧାୟକ ମୋକିମ୍ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଏସଡିଜେଏମ୍ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ।

ସମ୍ବନ୍ଧିତ ଖବର