ପୁରୀ/ସାକ୍ଷୀଗୋପାଳ: ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଛି। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆଜିର ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖିବା ସହ ପୁରୀର କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। ବିଭିନ୍ନ ରାଜନୈତିକ ଦଳ ଆରୋପ ପ୍ରତ୍ୟାରୋପ ଆରମ୍ଭ କରି ଦେଇଛନ୍ତି।

Advertisment

୫-ଟି ସଚିବ ଆଜି ପୂର୍ବାହ୍ଣରେ ନିମାପଡ଼ା, କାକଟପୁରରେ କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ଜିଲ୍ଲାର ଶେଷ କାର୍ଯ୍ୟକ୍ରମ ଭାବେ ୟୁଜିଏସ୍‌ କଲେଜ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। କାଳି ପଡ଼ିବା ପରେ କିନ୍ତୁ ୫-ଟି ସଚିବ ଓ ଜିଲ୍ଲାପାଳ ପଳାଇ ନ ଯାଇ ଅତ୍ୟନ୍ତ ସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ଏପରିକି ପୂର୍ବବତ୍ ମହିଳାଙ୍କ ପାଖକୁ ଯାଇ ହାତ ମିଳାଇବା ସହ ସେମାନଙ୍କ ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି ମହିଳା ତାଙ୍କ ମୁହଁରୁ କାଳି ପୋଛିଦେବା ସହ ହାତରେ ରାକ୍ଷୀ ବାନ୍ଧିଥିଲେ। କାର୍ଯ୍ୟକ୍ରମ ସରିବା ପରେ ୫-ଟି ସଚିବ ଭୁବନେଶ୍ବର ଫେରି ଯାଇଥିଲେ।

ଜିଲ୍ଲାପାଳ ବି ବାଦ୍ ପଡ଼ିଲେନି
ମହିଳା ପୋଛିଦେଲେ ପାଣ୍ଡିଆନ୍‌ଙ୍କ ମୁହଁ
କାଳି ଫିଙ୍ଗିଥିବା ଭାସ୍କର ଅଟକ
ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା
ଗତ ନିର୍ବାଚନରେ ବିଧାୟକଙ୍କ ସହ ପ୍ରଚାରରେ ବୁଲୁଥିଲେ ଭାସ୍କର

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣାରେ ଗଣମାଧ୍ୟମକୁ କହିଛନ୍ତି, ବିଜେପି ଏଭଳି କୁଚକ୍ରାନ୍ତ କରିଛି। ଯୋଜନାବଦ୍ଧ ଭାବେ ସମ୍ପୃକ୍ତ ଯୁବକଙ୍କୁ ପଠାଇ ଏଭଳି କାଣ୍ଡ ଘଟାଇଛି। ବିଜେଡି ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି କାଳିମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ବିକାଶ ଚାହୁନାହାନ୍ତି, ସେମାନେ ଏଭଳି ବିରୋଧ କରୁଛନ୍ତି। ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଠାଇଛନ୍ତି, ସେଠି ଏଭଳି କାର୍ଯ୍ୟ ନିନ୍ଦନୀୟ । ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଘଟଣାକୁ ଦୃଢ଼ ନିନ୍ଦା କରି କହିଛନ୍ତି ଏଭଳି କାଳିମାଡ଼ ଭୀରୁତାର ପରିଚୟ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି, ଯଦି ଜଣେ କୌଣସି କାରଣରୁ ଅସନ୍ତୁଷ୍ଟ ଅଛି, ସେ ପ୍ରତିବାଦ କରିପାରିବ। କିନ୍ତୁ କାଳିମାଡ଼ ଗ୍ରହଣୀୟ ନୁହେଁ। ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, କାଳିମାଡ଼ କରିଥିବା ବ୍ୟକ୍ତି ହେଉଛନ୍ତି ଜଣେ ଅସନ୍ତୁଷ୍ଟ ବିଜେଡି କର୍ମୀ। ପୂର୍ବରୁ ତାଙ୍କ ଘର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପଞ୍ଚାୟତରେ ଥିଲା। ବିଧାୟକଙ୍କ ସହ ବୁଲି ସେ ବିଜେଡି ପାଇଁ ପ୍ରଚାର କରୁଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ସେ ନିଜ ପଞ୍ଚାୟତରୁ ବିଜେଡି ସମର୍ଥନରେ ସମିତି ସଭ୍ୟ ପାଇଁ ଲଢ଼ିବାକୁ ଚାହୁଥିଲେ। କିନ୍ତୁ ବିଧାୟକ ତାଙ୍କ ବଦଳରେ ନିଜ ଝିଆରି ଜ୍ବାଇଁ ସଂଜୟ କୁମାର ମାନସିଂହଙ୍କୁ ଏଠାରୁ ବିଜେଡି ସମର୍ଥିତ ସମିତି ସଭ୍ୟ କରିଥିଲେ। ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ କବିତା ବୈରୀଗଂଜନ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ଭାସ୍କର ନିର୍ବାଚନ ଲଢ଼ିଥିଲେ। କାଳିମାଡ଼ ବିଧାୟକଙ୍କ ସହ କଳିର ପ୍ରତିଫଳନ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଲୋକ ପ୍ରତିନିଧିଙ୍କ କଣ୍ଠରୋଧ ଓ କୋଣଠେସା କରି ପ୍ରାଶାସନିକ ଅଧିକାରୀମାନେ ରାଜନେତା ଭଳି ପ୍ରଚାର କରିବା, କାଳିମାଡ଼ର ଅନ୍ୟତମ କାରଣ ବୋଲି ମଧ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖଥାଉକି, ଭାସ୍କର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌। ସେ ସାମାଜିକ ଗଣମାଧ୍ୟମ ଜରିଆରେ ଗାଁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବିଶେଷକରି ଦୟା ନଦୀ ସୁରକ୍ଷା ଅଭିଯାନ ନାମରେ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟ ଜାରି ରଖିଥିଲେ। ଭୁବନେଶ୍ୱର ମହାନଗରର ପ୍ରଦୂଷିତ ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରୁଛି l ଏହାକୁ ମଧ୍ୟ ସେ ବିରୋଧ କରିବା ସହିତ ଦୟା ନଦୀର ସୁରକ୍ଷା ନିମନ୍ତେ ସେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l କେବଳ ସେତିକି ନୁହେଁ, ନିକଟରେ ବଡାଲ୍‌ରୁ ହରିପୁର ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପାଇପ ବିଛା ଯାଇଥିଲା। କୌଣସି କାରଣରୁ ଏହା ଅଧାରେ ଅଟକି ରହିଛି। ଏସବୁ ଅସନ୍ତୋଷର ପ୍ରତିଫଳନ ସ୍ବରୂପ ସେ ଏଭଳି କରିଥିବା ଚର୍ଚ୍ଚା ହେଉଛି।