ଯୁଯୁମୁରା: ଯୁଯୁମୁରା ବ୍ଲକ ଅଞ୍ଚଳରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନକୁ ନେଇ ଚର୍ଚ୍ଚାରେ ଥିବା ଏକାଧିକ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ଏଥର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ସେମାନଙ୍କ ମଧ୍ୟରେ ପ୍ରଥମେ ଆସୁଥିବା ନାଁ ହେଲା ନିକଟରେ ଦଳ ଛାଡ଼ିଥିବା ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ବରୁଣ ଦେହୁରୀ। ବରୁଣ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଯଦିଓ, ବରୁଣ ଏଥର ନିର୍ବାଚନରେ ନିଜେ ପ୍ରତିଦ୍ବନ୍ଦ୍ବିତା କରିନଥିଲେ। ହେଲେ ତାଙ୍କ ପତ୍ନୀ ସମିତି ସଭ୍ୟ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। କୟାକୁଦ ପଞ୍ଚାୟତରେ ବରୁଣଙ୍କ ପତ୍ନୀ ରଶ୍ମିତା ଓ ସୁମିତ୍ରା ବିଶ୍ବାଳଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା।
ଏଥିରେ ରଶ୍ମିତା ୧୮ ଖଣ୍ଡ ଭୋଟ୍ରେ ପରାଜିତ ହୋଇଛନ୍ତି। ପୂର୍ବରୁ କେବେ ରାଜନୀତିକୁ ଆସି ନଥିବା ଓ ଜଣେ ସାଧାରଣ ପରିବାର ସୁମିତ୍ରା ଏକ ରାଜନୈତିକ ପରିବାରରୁ ଆସିଥିବା ରଶ୍ମିତାଙ୍କୁ ପରାଜିତ କରିଥିବାରୁ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ରଶ୍ମିତା ୧୦୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ସୁମିତ୍ରା ୧୦୪୬ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ଗଡ଼ଲୋଇସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶ୍ୱିନୀ କୁମୁରାଙ୍କ ପତ୍ନୀ ଝୁମିରାଣୀ କୁମୁରା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ଲାଗି ଲଢେଇ କରି ପରାସ୍ତ ହୋଇଛନ୍ତି।
ସେ ଏହି ପ୍ରତିଦ୍ବନ୍ଦ୍ବିତାରେ ୩୩୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ପୂର୍ବତନ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଯୁଯୁମୁରା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ଯୁଯୁମୁରା ଅଂଚଳରେ ସେ ବିଜେପିର ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କ ବିଜୟକୁ ନେଇ ପଞ୍ଚାୟତରେ ଜୋରଦାର ଚର୍ଚ୍ଚା ହେଉଥିଲା। ତେବେ, ସେ ଜଣେ ଯୁବ ଇଞ୍ଜିନିୟର ଜୟନ୍ତ ପ୍ରଧାନଙ୍କଠାରୁ ପରାସ୍ତ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ୬୩୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଜୟନ୍ତ ୬୮୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।
ଯୁଯୁମୁରା ଜୋନ୍ ୨ରେ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଦସ୍ୟା ଥିବା ରୀନା ବେହେରା ଚଳିତ ନିର୍ବାଚନରେ ଝାଙ୍କରପାଲି ପଞ୍ଚାୟତରୁ ସରପଞ୍ଚ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ତାଙ୍କର ମଧ୍ୟ ଶୋଚନୀୟ ପରାଜୟ ହୋଇଛି। ସେ ଏହି ପଞ୍ଚାୟତରେ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସରପଞ୍ଚ ଥିବା ସୁରେଶ୍ବରୀ ମାଝି ଚଳିତ ନିର୍ବାଚନରେ ଲଢ଼େଇ କରି ପରାଜିତ ହୋଇଛନ୍ତି। ସେ ପାଇଥିବା ଭୋଟ୍କୁ ଦେଖିଲେ ପଞ୍ଚାୟତବାସୀ ତାଙ୍କ ଉପରେ ପ୍ରବଳ ଅସନ୍ତୋଷ ଥିବା ଦେଖାଯାଇଛି। ସେ ମାତ୍ର ୮୧ ଖଣ୍ଡ ଭୋଟ୍ ପାଇ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ଘେନୁପାଲି ପଞ୍ଚାୟତର ସରପଞ୍ଚ ଥିବା ସାବିତ୍ରୀ ମିର୍ଦ୍ଧିା ଚଳିତ ନିର୍ବାଚନରେ ସମିତି ସଭ୍ୟ ପଦ ଲାଗି ଲଢେ଼ଇ କରି ହାରି ଯାଇଛନ୍ତି।
ସେ ୮୯୯ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବୀରସିଂଗଡ଼ ପଞ୍ଚାୟତର ସରପଞ୍ଚ ଥିବା ରିଫାରାଣୀ ବେହେରା ମଧ୍ୟ ଚଳିତ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଛନ୍ତି। ସେ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ିଥିବା ବେଳେ ତାଙ୍କୁ ମାତ୍ର ୨୯୩ ଖଣ୍ଡ ଭୋଟ୍ ପାଇ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି କଂସର ପଞ୍ଚାୟତରୁ ସରପଞ୍ଚ ପଦରେ ଲଢେଇ କରି ହାରିଛନ୍ତି ଯୁଯୁମୁରା ବ୍ଲକ୍ ଯୁବ ବିଜେଡି ସଭାପତି ନନ୍ଦ ରଞ୍ଜିତ। ସେ ୭୩୭ ଖଣ୍ଡ ଭୋଟ ପାଇଥିବା ବେଳେ ନବାଗତ ଦିବାକର ବେହେରା ୧୦୩୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି କଂସର ପଞ୍ଚାୟତର ସରପଞ୍ଚ ଥିବା ସସ୍ମିତା ପ୍ରଧାନ ଚଳିତ ଥର ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଛନ୍ତି। ସେ ୩୮୪ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।