ବୁର୍ଲା: ସମ୍ବଲପୁର ଜିଲ୍ଲା ପୁଲିସକୁ ନାକେଦମ କରିଥିଲା କମଲୁ ପ୍ରଧାନ। ପେସାଦାର ଅପରାଧୀ ହୋଇନଥିଲେ ସୁଦ୍ଧା ପୁଲିସକୁ ବେଶ୍‌ ହଇରାଣ କରିଥିଲା। ଦୀର୍ଘ ୬ ଦିନର କସରତ ପରେ ଶେଷରେ ଏନ୍‌କାଉଣ୍ଟର କରି କମଲକୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଛି। ତେବେ, ଏନ୍‌କାଉଣ୍ଟର ପୂର୍ବରୁ ଏସ୍‌ଆଇ ଦେବାଶିଷ ଖିଲାରଙ୍କୁ କମଲୁ ଭୁଜାଲିରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଗୁରୁବାର ସକାଳେ ଆ.କଟାପାଲି ଜଙ୍ଗଲରେ କମଲୁ ଛପି ରହିଥିବା ନେଇ ପୁଲିସ ସୂଚନା ପାଇଥିଲା। ବୁର୍ଲା ଥାନା ଆଇଆଇସି ଅନୀଲ ପ୍ରଧାନ, ଏସ୍‌ଆଇ ଦେବାଶିଷ ଖିଲାରଙ୍କ ସହ ସଦଳବଳେ ସେଠାରେ ଚଢ଼ଉ କରିଥିଲା ପୁଲିସ। ଆତ୍ମସମର୍ପଣ ପାଇଁ କହିବାରୁ କମଲୁ ଧାଇଁ ଆସି ଏସ୍‌ଆଇ ଦେବାଶିଷଙ୍କୁ ଭୁଜାଲିରେ ଆକ୍ରମଣ କରିବା ଦ୍ବାରା ତାଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ହୋଇଥିଲା। ଏହା ଦେଖି ଆଇଆଇସି ଅନୀଲ ପ୍ରଧାନ ପୁଣି ଚେତାବନୀ ଦେଇଥିଲେ। ତଥାପି ଆତ୍ମସମର୍ପଣ ନ କରିବାରୁ ଆଇଆଇସି ଶ୍ରୀ ପ୍ରଧାନ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ପାଲଟା ଆକ୍ରମଣ ପାଇଁ ଅଭିଯୁକ୍ତ ପୁଣି ଉଦ୍ୟମ କରିବାରୁ ଆଇଆଇସି ଶ୍ରୀ ପ୍ରଧାନ ତାର ଗୋଡ଼କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ଆଣ୍ଠୁ ତଳ ମାଂସପେଶୀରେ ବାଜିଥିଲା। ଏହା ପରେ ପୁଲିସ ଅଭିଯୁକ୍ତ କମଲୁକୁ  କାବୁ କରିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଏସ୍‌ଆଇ ଦେବାଶିଷ ଓ ଅଭିଯୁକ୍ତ କମଲୁ ବୁର୍ଲା ‘ଭିମ୍‌ସାର’ରେ ଚିକିତ୍ସିତ ହେଉଛନ୍ତି। ଉଭୟ ବିପଦମୁକ୍ତ ଥିବା ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ ସୂଚନା ଦେଇଛନ୍ତି। 

ଦୁଇ ରାଉଣ୍ଡ ଗୁଳି ଚାଳନା କଲା ପୁଲିସ
ଅଭିଯୁକ୍ତ ଆକ୍ରମଣରେ ଏସ୍‌ଆଇ ଆହତ

ସୂଚନାଯୋଗ୍ୟ, ଚଳିତ ମାସ ୪ ତାରିଖରେ ବୁର୍ଲା ଥାନା ଅନ୍ତର୍ଗ ଆ.କଟାପାଲି ନିକଟ ଝରାପାଲି ଗ୍ରାମର କମଲୁ ପ୍ରଧାନ (୫୦) ଓ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। କମଲୁ ରାଗିଯାଇ ଲକ୍ଷ୍ମୀପ୍ରିୟାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଅାତଙ୍କିତ ଅବସ୍ଥାରେ ଥିବା ଲକ୍ଷ୍ମୀପ୍ରିୟା ତାଙ୍କୁ ଉଦ୍ଧାର କରିବା ପାଇଁ ୧୧୨ ନମ୍ବରକୁ କଲ୍‌ କରିଥିଲେ। ପୁଲିସର ଇଆର୍‌ଭି ଭ୍ୟାନ୍‌ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲା। ଭ୍ୟାନ୍‌ରେ ଥିବା କନେଷ୍ଟବଳ ସରୋଜ ଭୋଇ ଉଦ୍ଧାର ପାଇଁ ଘରକୁ ପଶିବା କ୍ଷଣି କମଲୁ ଏକ ମାଂସକଟା ଚାପଡ଼ରେ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସରୋଜଙ୍କ ଡାହାଣ ହାତ ପାପୁଲି ସହ ତିନିଟି ଆଙ୍ଗୁଠି କଟି ଯାଇଥିଲା। ସରୋଜଙ୍କୁ ପ୍ରଥମେ ବୁର୍ଲା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଏବେ ବି ସେ ଚିକିତ୍ସାଧୀନ ରହିଛନ୍ତି। କନେଷ୍ଟବଳ ସରୋଜଙ୍କୁ ଆକ୍ରମଣ ପରେ କମଲୁ ଗାଁରୁ ଚମ୍ପଟ ମାରିଥିଲା। ଡ୍ୟୁଟିରେ ଥିବା ଜଣେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଫେରାର ହୋଇଯିବା ସମ୍ବଲପୁର ଜିଲ୍ଲା ପୁଲିସ ପାଇଁ ଏକ ବଡ଼ ଆହ୍ବାନ ହୋଇଥିଲା। ଏହା ପରେ ପୁଲିସ ଆରମ୍ଭ କରିଥିଲା ‘ଅପରେସନ୍‌ କମଲୁ’। ସମ୍ବଲପୁର ସଦର ଏସ୍‌ଡିପିଓ ଓ ହୀରାକୁଦ ଏସ୍‌ଡିପିଓଙ୍କ ଅଧୀନରେ ଥିବା ସମସ୍ତ ଥାନାର ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ବତନ୍ତ୍ର ଫୋର୍ସ ଏଥିରେ ସାମିଲ ହୋଇଥିଲେ। ଦୀର୍ଘ ୬ ଦିନର କସରତ ପରେ ପୁଲିସ କମଲୁକୁ କାବୁ କରିବା ପାଇଁ ଏନ୍‌କାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା।