ଖୋର୍ଦ୍ଧା: ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡ଼ିଛି। ସ୍ବାଭାବିକ ଭାବେ ଏହି ସମୟରେ ଅଧିକ ବର୍ଷା ଅନୁଭୂତ ହେବା କଥା, କିନ୍ତୁ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ଚାଷୀଙ୍କୁ ନିରାଶ କରିଛି। ଅଗଷ୍ଟ ମାସରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି। ,ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ କୃଷି ବିଭାଗ ମଧ୍ୟ ଆଶଙ୍କା ପ୍ରକଟ କରିଛି।
ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧ଲକ୍ଷ ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଅଗଷ୍ଟ (ଶ୍ରାବଣ) ମାସ ଶେଷ ହୋଇ ଭାଦ୍ରପଦ ମାସ ଆସିଲାଣି ଜିଲ୍ଲାରେ ୯୦ ପ୍ରତିଶତ ଜମିରେ ତଳି ରୁଆ ଆରମ୍ଭ ହୋଇଥିବା ବେଳେ ୯୦ ପ୍ରତିଶତ ଢିପ ଜମିରେ ତଳି ପକା କାମ ଆରମ୍ଭ ହୋଇପାରିନାହିଁ। ବୋଲଗଡ଼, ବେଗୁନିଆ ଆଦି ଅପେକ୍ଷାକୃତ ଉଚ୍ଚ ଅଞ୍ଚଳରେ ତଳି ପଡ଼ିଥିବା ଜମିରେ ବର୍ଷା ଅଭାବରୁ ପାଣି କମିବା ଆରମ୍ଭ ହେଲାଣି। ଏନେଇ କୃଷି ବିଭାଗ ଡେପୁଟି ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯଦିଓ ଅଗଷ୍ଟ ମାସରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି, କିନ୍ତୁ ଯେତିକି ବର୍ଷା ହୋଇଛି ସେଥିରେ ଚାଷୀ ଚାଷ କାମ ଆରମ୍ଭ କରିସାରିଛି। ଅଗଷ୍ଟ ତୃତୀୟ ସପ୍ତାହରେ ମିଳିଥିବା ସୂଚନାରେ ଜିଲ୍ଲାରେ ପ୍ରାୟ ୧୦-୧୨ ହଜାର ହେକ୍ଟର ଜମିରେ ପାଣି ଅଭାବରୁ ତଳି ରୁଆ କାମ ହୋଇପାରିନାହିଁ। ଯଦି ଆଗାମୀ ୧୦-୧୫ ଦିନ ବର୍ଷା କମିଯାଏ କିମ୍ବା ନହୁଏ ତେବେ ଜମିରେ ପାଣି ଅଭାବର ଆଶଙ୍କା ରହିଛି।
ଅଗଷ୍ଟ ମାସରେ ସ୍ବାଭାବିକ ଭାବେ ୧୫ରୁ ୧୬ ଦିନ ମଧ୍ୟମରୁ ପ୍ରବଳ ବର୍ଷା​ରେ ୩୨୦.୬୦ ମିଲିମିଟର ବର୍ଷା ହୋଇଥାଏ। ପାଣିପାଗ ବିଭାଗର ସୂଚନାନୁସାରେ, ଚଳିତ ଅଗଷ୍ଟ ମାସରେ ଜିଲ୍ଲାରେ ହାରାହାରି ୨୬୭.୭୮ ମିମି ବର୍ଷା ହୋଇଛି। ଚାଷ ଜମି ନଥିବା ଭୁବନେଶ୍ବର ମହାନଗର ନିଗମର ଦକ୍ଷିଣ-ପଶ୍ଚିମ ଜୋନ୍ରେ ସର୍ବାଧିକ ୪୩୬ ମିମି ବର୍ଷା ହୋଇଛି। ତେବେ ଭୁବନେଶ୍ବର ୪ଟି ବର୍ଷା ମାପକ କେନ୍ଦ୍ରଥିବା ଜୋନରେ ମୋଟ ୨୯୯ ମିମି ବର୍ଷା ହୋଇଥିବା ବେଳେ ବାଲିଅନ୍ତା ବ୍ଲକରେ ସର୍ବାଧିକ ୪୨୯ ମିମି ବର୍ଷା ରେକର୍ଡ କରାଯାଇଛି। ବାଲିପାଟଣାରେ ୨୯୪ ମିମି, ବାଣପୁରରେ ୧୯୪ ମିମି, ବେଗୁନିଆ ୧୬୪ ମିମି, ଭୁବନେଶ୍ବର ବ୍ଲକରେ ୩୩୯ ମିମି, ବୋଲଗଡ଼ ୧୫୪ ମିମି, ଚିଲିକା ୨୫୨ ମିମି, ଜଟଣୀ ୨୧୬ ମିମି, ଖୋର୍ଦ୍ଧା ୧୮୯ ମିମି ଓ ଟାଙ୍ଗୀରେ ୩୧୯ ମିମି ବର୍ଷା ହୋଇଛି। ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସର୍ବାଧିକ ଧାନ ଚାଷ ହେଉଥିବା ବାଲିପାଟଣା, ବାଲିଅନ୍ତା,ବୋଲଗଡ଼, ବେଗୁନିଆ ଓବାଣପୁର ବ୍ଲକରୁ ବାଲିଅନ୍ତା, ବାଲିପାଟଣା ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ସ୍ବାଭାବିକ ଠାରୁ ପ୍ରାୟ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି। ଏହି ଦୃଷ୍ଟିରେ ଜିଲ୍ଲାରେ ଆଗାମୀ ଦିନରେ ବର୍ଷାର ଅଭାବରେ ଧାନ ଚାଷ ସଂପୂର୍ଣ୍ଣ ରୂପେ ପ୍ରଭାବିତ ହେବା ସମ୍ଭାବନା ରହିଛି ବୋଲି ଚାଷୀ ମହଲରୁ ଆଶଙ୍କା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rains.jpg)