ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଣିର ଅଭାବ ଯୋଗୁଁ ଧୀରେ ଧୀରେ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। ବର୍ଷା ଅଭାବରୁ ଚାଷ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତି ଜାରି ରହିଲେ ଫସଲ ଉଜୁଡ଼ିଯିବ। ଏହାକୁ ନେଇ ଚାଷୀ ମହଲରେ ଭାଲେଣି ପଡ଼ିଛି। ସେପଟେ ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍ଏଫ୍ବିୱାଇ)ରେ ମାତ୍ର ୫୬ହଜାର ହେକ୍ଟର୍ ଚାଷ ଜମି ବୀମାଭୁକ୍ତ ହୋଇଛି। ବହୁ ଚାଷ ଜମି ବୀମାଭୁକ୍ତ ହୋଇ ନାହିଁ। ଯଦି ଫସଲ ନଷ୍ଟ ହୁଏ, ତେବେ ଚାଷୀଙ୍କୁ ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
ଗଞ୍ଜାମ ଜିଲ୍ଲାରେ ଚାଷକାର୍ଯ୍ୟ ପାଇଁ ଚାଷୀ ବର୍ଷା ପାଣି ଉପରେ ନିର୍ଭର କରିଥାନ୍ତି। ଚାଷ ପାଇଁ ବର୍ଷାରୁ ପ୍ରାୟ ୬୦ ପ୍ରତିଶତ ପାଣି ଭରଣା ହୋଇଥାଏ। ଚଳିତ ବର୍ଷ ବର୍ଷା ଅଭାବରୁ ଜିଲ୍ଲାରେ ବିଳମ୍ବରେ ଖରିଫ୍ ଚାଷ ଆରମ୍ଭ ହୋଇଛି। ଜୁନ୍ ମାସରେ ଜିଲ୍ଲାରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ଜୁଲାଇ ମାସରେ ମଧ୍ୟ ବର୍ଷାର ପରିମାଣ କମିଛି। ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୨୨୦.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଗତ ଜୁଲାଇ ମାସରେ ୧୯୧.୩୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ପାଣି ଅଭାବ ଯୋଗୁଁ ଚାଷୀ ନିରାଶ ହୋଇ ରହିଛନ୍ତି। ଏଣୁ ଜିଲ୍ଲାରେ ଅଚଳ ହୋଇ ପଡ଼ିଥିବା ସମସ୍ତ ସରକାରୀ ଓ ଘରୋଇ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାଣି ଯୋଗାଣ କରିବାକୁ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି।
ସେପଟେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନା କରାଯାଇଛି। କ୍ଷୁଦ୍ର ଓ ମଧ୍ୟମଧରଣ ଚାଷୀ ଏହି ବୀମା ସୁବିଧା ନେଇ ପାରିବେ। ଗତ ୫ତାରିଖରେ ବୀମା କରାଇବାର ଶେଷ ତାରିଖ ରହିଥିଲା। ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା ସମବାୟ ବ୍ୟାଙ୍କରୁ ଋଣ ନେଇଥିବା ପ୍ରାୟ ୧ଲକ୍ଷ ୩୧ହଜାର ଚାଷୀଙ୍କ ଫସଲ ବୀମା କରାଯାଇଛି। ଗତ ୫ତାରିଖ ସୁଦ୍ଧା ବ୍ରହ୍ମପୁର ସମବାୟ ବ୍ୟାଙ୍କ ଅଧୀନରେ ଋଣ ନେଇଥିବା ୫୨ହଜାର ୫୧ଜଣ ଚାଷୀଙ୍କ ୨୫ହଜାର ୭୪୪ ହେକ୍ଟର୍ ଜମି ବୀମାଭୁକ୍ତ ହୋଇ ସାରିଛି। ସେହିପରି ଆସିକା ସମବାୟ ବ୍ୟାଙ୍କ ଅଧୀନରେ ଋଣ ନେଇଥିବା ୫୫ହଜାର ୮୧୬ଜଣ ଚାଷୀଙ୍କ ପ୍ରାୟ ୩୦ହଜାର ହେକ୍ଟର୍ ଜମି ବୀମାଭୁକ୍ତ ହୋଇଛି। ଆଉ କିଛି ଚାଷୀଙ୍କ ତଥ୍ୟ ପିଏମ୍ଏଫ୍ବିୱାଇର ୱେବ୍ସାଇଡ୍ରେ ଅପ୍ଲୋଡ୍ କରାଯାଉଛି। ଏଣୁ ଚାଷୀଙ୍କ ସଂଖ୍ୟା ସହିତ ବୀମାଭୁକ୍ତ ଜମିର ପରିମାଣ ଆଉ କିଛି ବୃଦ୍ଧି ପାଇବ। ପିଏମ୍ଏଫ୍ବିୱାଇ ପାଇଁ ବୀମାରାଶି ଦେୟ ବାବଦକୁ ହେକ୍ଟର୍ ପିଛା ମାତ୍ର ୧ ଟଙ୍କା ପ୍ରିମିୟମ୍ ଦେବାକୁ ପଡ଼ୁଛି। ବଳକା ବୀମାରାଶି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିଥାନ୍ତି।
ପ୍ରକାଶ ଥାଉ କି ଚଳିତ ଖରିଫ୍ ଋତୁରେ ଗଞ୍ଜାମ ଜିଲ୍ଲାରେ ମୋଟ ୪ଲକ୍ଷ ୫ହଜାର ୫୭୦ ହେକ୍ଟର୍ରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ମଧ୍ୟରେ ଧାନ, ପରିବା, ଡାଲି, ମସଲା ଓ ତେଲ ଜାତୀୟ ଫସଲ ରହିଛି। ସେଥିରୁ ମୋଟ ୧ଲକ୍ଷ ୭୯ହଜାର ୯୪୯ ହେକ୍ଟର୍ ଜମିରେ ଧାନ ଚାଷ କରାଯାଉଛି। ହେଲେ ବହୁ ଜମି ପିଏମ୍ଏଫ୍ବିୱାଇରେ ଅନ୍ତର୍ଭୁକ୍ତ ହୋଇପାରି ନାହିଁ। ଏହି ଯୋଜନା କେବଳ କ୍ଷୁଦ୍ର ଓ ମଧ୍ୟମଧରଣ ଚାଷଙ୍କ ପାଇଁ ଉପଲବ୍ଧ କରାଯାଇଛି।