ବେତନଟା ସଦର: ମୌସୁମୀର ଲୁଚକାଳି ଖେଳ। ଶ୍ରାବଣ ସରିବାକୁ ବସିଲାଣି। ହେଲେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଆଖପାଖ ଅଞ୍ଚଳରେ ପ୍ରାୟତଃ ଜମି ଶ୍ରାବଣରେ ପଡିଛି ଶୁଖିଲା। ମୁଣ୍ଡରେ ହାତ ଦେଇ ବସିଛନ୍ତି ଶତାଧିକ ଚାଷୀ। ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ ବର୍ଷା ପରିମାଣ କମିଗଲା। ଜୁଲାଇ ମାସ ସ୍ଥିତିରେ ପରିବର୍ତନ ହେବ ବୋଲି ଆଶା ରହିଥିଲା। କିନ୍ତୁ ଉକ୍ତ ମାସର ମଧ୍ୟ ପ୍ରଥମ ୧୫ଦିନରେ ୯୦ ପ୍ରତିଶତ ବର୍ଷା କମ ହୋଇଥିଲା ବେଳେ ବାକି ୧୫ଦିନରେ ମୟୂରଭଞ୍ଜର ଅନ୍ୟ ସବୁ ସ୍ଥାନରେ ପ୍ରାୟତଃ ଆଉ ୯୫ପ୍ରତିଶତ ବର୍ଷା ହୋଇଯାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ବେତନଟୀ ଓ ବୈଶିଙ୍ଗା ଆଖପାଖ ଅଞ୍ଚଳରେ ଆବଶ୍ୟକୀୟ ପରିମାଣର ବର୍ଷା ହୋଇନଥିବାରୁ ଶ୍ରାବଣରେ ମଧ୍ୟ ଚାଷ କାମ ଆଗେଇ ପାରିଲାନାହିଁ।

Advertisment

ଏବେବି ହଳ ପରେ ଏକର ଏକର ଭୂଇଁ ଶୁଖିଲା ପଡିଛ। ଅନ୍ୟପଟେ ରୁଆ ସରିଥିବା ଧାନ କିଆରୀ ମଧ୍ୟ ଶୁଖି ଗଲାଣି। ଶିଳ୍ପ ବିହୀନ ବେତନଟୀ ବ୍ଲକ ଅଞ୍ଚଳରେ ଚାଷ ହିଁ ଏକମାତ୍ର ଜୀବିକା। କିନ୍ତୁ ନଦୀନଳ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ସେଚ ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କରିବାରେ ପ୍ରଶାସନର ଉଦାସୀନତା ଚାଷୀଙ୍କୁ ହୀନସ୍ତା ହେବାକୁ ପଡୁଛି। ଚାଷୀ ଆଜି ବି ଭଡାରେ ଆଣି ପେଟ୍ରୋଲ ଓ ବିଦ୍ୟୁତ ଚାଳିତ ପାଣିପମ୍ପରେ ଜମିକୁ ପାଣି ମାଡାଉଛନ୍ତି। ତଥାପି ଅଗଷ୍ଟ ମାସ ଆରମ୍ଭରେ ବର୍ଷାକୁ ଭରସା କରି ବସିଥିଲେ ବୈଶିଙ୍ଗା ଅଞ୍ଚଳର ଚାଷୀ। ହେଲେ କାଁ ଭାଁ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଉଛି, କିନ୍ତୁ ଅନ୍ୟ ଆଡେ ଶୁଖିଲା ଭୂଇଁ।

ସରକାରୀ ସୂଚନା ଅନୁଯାଇ ଏବେବି ବେତନଟୀ ବ୍ଲକରେ ୫୨୦୫ହେକ୍ଟର ଜମି ଶୁଖିଲା ପଡିଛି। ବ୍ଲକ କୃଷି ଅଧିକାରୀଙ୍କ କହିବା ଅନୁଯାଇ ଅଗଷ୍ଟ ମାସରେ ଯଦି ବର୍ଷା ଠିକଠାକ ହୁଏ ତେବେ ମାସ ଶେଷ ବେଳକୁ ସବୁ ଜମିରେ ଧାନ ରୁଆ କାମ ସରିଯିବ।