ଖୋର୍ଦ୍ଧା: ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁଁ ୫ଟି ବ୍ଲକରେ ୧୨ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ସମବାୟ ବିଭାଗର ଅବହେଳା ଯୋଗୁଁ ଅନେକ ଚାଷୀ ଫସଲ ବୀମା ଯୋଜନାରେ ଯୋଡ଼ି ହୋଇନଥିବାରୁ ବର୍ତମାନ ଏହି ଚାଷୀମାନେ ବୀମା ଯୋଜନାରୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଚଳିତ ଖରିଫ ଋତୁରେ ୧ଲକ୍ଷ ୨୦ ହଜାର ହେକ୍ଟର ଜମିରେ ଧାନ ଫସଲ କରିବା ଲକ୍ଷ୍ୟ ରଖାଯାଇଥିଲା। ବିଳମ୍ବିତ ବର୍ଷା ଯୋଗୁଁ ଏହି ପରିମାଣ ୯୦ ହଜାର ହେକ୍ଟରକୁ କମି ଆସିଥିଲା। ଏବେ ନିଅଣ୍ଟିଆ ବର୍ଷା ଯୋଗୁଁ ଅମଳ ହୋଇପାରିବା ଭଳି ଧାନ ଜମି ସଂଖ୍ୟା ପୁଣି ୭୦-୮୦ ହଜାର ହେକ୍ଟରକୁ ହ୍ରାସ ପାଇଛି। ଡିଆର୍ସିଏସ୍ କାର୍ଯ୍ୟାଳୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୱେବ୍ସାଇଟ୍ରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ୪୩ ହଜାର ୫୩୬ ଚାଷୀ ପିଏମ୍ଏଫ୍ବିୱାଇରେ ବୀମାମୁକ୍ତ ହୋଇଛନ୍ତି। ବୀମାଭୁକ୍ତ ଧାନ ଫସଲ ପରିମାଣ ହେଉଛି ୨୧ ହଜାର ହେକ୍ଟର। ଏହା ମଧ୍ୟରୁ ବାଲିଅନ୍ତାରେ ୪୦୧୬ ଚାଷୀଙ୍କ ୧୫୩୧.୮୫ ହେକ୍ଟର, ବାଲିପାଟଣା ବ୍ଲକରେ ୬୦୩୫ ଚାଷୀଙ୍କ ୨୪୯୪ ହେକ୍ଟର, ବାଣପୁରରେ ୬୦୩୫ ଚାଷୀଙ୍କ ୨୩୫୭ ହେକ୍ଟର, ଜଟଣୀରେ ୧୮୪ ଚାଷୀଙ୍କ ୭୪.୮୮ ହେକ୍ଟର, ବେଗୁନିଆରେ ୫୭୮୪ ଚାଷୀଙ୍କ ୩୧୭୧ ହେକ୍ଟର, ବୋଲଗଡ଼ରେ ୧୨୫୭୦ ଚାଷୀଙ୍କ ୬୪୩୧.୫୭ ହେକ୍ଟର, ଭୁବନେଶ୍ବରରେ ୨୫୯ ଚାଷୀଙ୍କ ୧୨୯.୪୧ ହେକ୍ଟର, ଚିଲିକାରେ ୧୪୬୭ ଚାଷୀଙ୍କ ୮୯୩ ହେକ୍ଟର, ଖୋର୍ଦ୍ଧାରେ ୩୯୦୧ ଚାଷୀଙ୍କ ୨୧୦୯.୬୪ ହେକ୍ଟର, ଟାଙ୍ଗୀରେ ୩୯୯୬ ଚାଷୀଙ୍କ ୧୬୪୬.୯୨ ହେକ୍ଟର ବୀମାଭୁକ୍ତ ହୋଇଛି।
କୃଷି ବିଭାଗ ଦ୍ବାରା ନିକଟରେ ପ୍ରସ୍ତୁତ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ନିଅଣ୍ଟିଆ ବର୍ଷାଜନିତ କ୍ଷୟକ୍ଷତି ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଖୋର୍ଦ୍ଧାରେ ୫୩୫୨ ହେକ୍ଟର, ଟାଙ୍ଗୀରେ ୨୨୩୯ ହେକ୍ଟର, ବୋଲଗଡ଼ରେ ୨୨୯୪ ହେକ୍ଟର, ବେଗୁନିଆରେ ୨୦୫୪ ହେକ୍ଟର, ଚିଲିକାରେ ୫୪୦ ହେକ୍ଟର, ଭୁବନେଶ୍ବର ବ୍ଲକରେ ୨୩ ହେକ୍ଟର ଧାନ ଚାଷ ହୋଇଥିବା ଜମି ମଏଶ୍ଚର ଷ୍ଟ୍ରେସ୍ ( ଆଦ୍ରହୀନତା ବା ଚାପଗ୍ରସ୍ତ)ରେ ରହିଥିଲା। ଯଦି ଉଭୟ ରିପୋର୍ଟକୁ ତୁଳନା କରାଯାଏ ତେବେ ଅନେକ ବ୍ଲକରେ ବିଶେଷତଃ ଖୋର୍ଦ୍ଧା ବ୍ଲକ, ଟାଙ୍ଗୀ ବ୍ଲକରେ ବୀମାଭୁକ୍ତ ହୋଇଥିବା ଚାଷୀଙ୍କ ଜମି ଠାରୁ ଅଧିକ ପରିମାଣରେ ଜମି କ୍ଷତିଗ୍ରସ୍ତ ହୋଇଛି। କେବଳ ଏହାନୁହେଁ, ଯେଉଁଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍ ସେମାନଙ୍କ ଫସଲ ଅମଳ ଉପରେ ଆଶାବାଦୀ। ଅପରପକ୍ଷରେ ଯେଉଁ ଚାଷୀମାନେ ଧାନ ଫସଲ ନଷ୍ଟ ହୋଇଛି ସେମାନେ ଧାନ ବିକ୍ରି କରିବାକୁ ଆବେଦନ କରିନଥିବେ ନିଶ୍ଚିତ। ଏଭଳି ସ୍ଥିତିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ପିଏମଏଫ୍ବିୱାଇ ବୀମାରୁ ବଞ୍ଚିତ ହୋଇଛି।
ଏଆର୍ସିଏସ୍ ଅନନ୍ତ ନାୟକ କହିଛନ୍ତି ଯେ ବର୍ତମାନ କ୍ରପ କଟିଂ ଆରମ୍ଭ ହୋଇଛି। ଏହି ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତ ଚାଷୀ ଓ ଜମି ସଂଖ୍ୟାର ତଥ୍ୟ ସ୍ପଷ୍ଟ ହୋଇଯିବ। ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ି ହୋଇଛନ୍ତି ସେମାନଙ୍କୁ ବୀମା କ୍ଷତିପୂରଣ ମିଳିଯିବ, କିନ୍ତୁ ଯେଉଁମାନେ ବୀମା କରିନାହାନ୍ତି ସେମାନେ ବୀମାରୁ କୌଣସି କ୍ଷତିପୂରଣ ପାଇବେ ନାହିଁ। ଏଭଳି କ୍ଷେତ୍ରରେ ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାର କ୍ଷତିପୂରଣ ଘୋଷଣା କରନ୍ତି ତେବେ ସମସ୍ତ ଚାଷୀ କ୍ଷତିପୂରଣ ପାଇବେ। ଅପରପକ୍ଷରେ, ଚାଷୀଙ୍କୁ ବୀମାଭୁକ୍ତ କରିବାରେ ଓ ଚାଷୀଙ୍କୁ ଏନେଇ ସଚେତନ କରାଇବାରେ ବିଭାଗର ଅବେହେଳା ସମ୍ପର୍କରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ କ୍ରପକଟିଂ ରିପୋର୍ଟ ଆସିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରୁ କେତେ ବୀମାଭୁକ୍ତ ତାହା ସଠିକ ଜଣାପଡ଼ିବ।