ରାଉରକେଲା: ଟାଟା ପାୱାର ବିଦ୍ୟୁତ୍‌ ସେବା ହାତକୁ ନେବା ପରେ ଲୋକଙ୍କ ସମସ୍ୟା ହଟିବା ପରିବର୍ତ୍ତେ ବଢ଼ୁଛି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ମାସ ମାସ ଧରି ଅନେକ ଗାଁକୁ ବିଜୁଳି ସଂଯୋଗ ହୋଇପାରୁନି।  ଅଧିକାଂଶ ସ୍ଥାନରେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହେଉ ନଥିବାରୁ ପ୍ରଭାବିତ ହେଉଛି ବିଜୁଳି ସେବା। ଏମିତି ସମସ୍ୟା ଉପୁଜିଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ। ଉପାନ୍ତ ବ୍ଲକର ଅଧିକାଂଶ ଗାଁକୁ ବିଜୁଳି ସେବାକୁ ସେମିତି ବିଭାଗ ଭୁଲି ଯାଇଛନ୍ତି। ନୂଆଗାଁ ବ୍ଲକରେ ମାସେ କି ଦୁଇ ମାସ ନୁହେଁ ପ୍ରାୟ ୬ ମାସ ଧରି ବିଜୁଳି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି।

Advertisment

କେବଳ ସାଧାରଣ ଲୋକ ନୁହେଁ ସରକାରୀ ଅଫିସ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଲୋକମାନେ ଦାୟିତ୍ବରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଗୋଟିଏ ଦୁଇଟି ନୁହେଁ ମାସକୁ ମାଳ ମାଳ ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ବିଦ୍ୟୁତ୍‌ ସଂଯୋଗ ନଥିବାରୁ ପ୍ରବାହିତ ହୋଇଛି ସ୍ବାସ୍ଥ୍ୟ। କେତେବେଳେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଚାର୍ଚ୍ଚ ଲାଇଟ୍‌ ଅନ୍ୟ କେତେବେଳେ ମୋବାଇଲ୍‌ ଲାଇଟ୍‌ରେ ରୋଗୀ ସେବା  କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। କେବଳ ଏତିକି ନୁହେଁ ବ୍ଲକର ଏକାଧିକ ଗାଁ ଏବେ ଅନ୍ଧାରରେ ରହିଛି। ବିଦ୍ୟାଳୟଗୁଡ଼ିକ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ହେଉଥିବାରୁ ସ୍ମାର୍ଟକ୍ଲାସ କ୍ଲାସରେ ଠିକ୍‌ ଭାବେ ହୋଇପାରୁନି। ଅଞ୍ଚଳବାସୀଙ୍କ କହିବାନୁଯାୟୀ ହାତୀବାରିରେ ବିଦ୍ୟୁତ୍‌ ବିଭାଗର ସେକ୍ସନ ଅଫିସ୍‌ ରହିଚଇ। ବିଭାଗୀୟ ଯନ୍ତ୍ରୀ ସେଠାକୁ କେବେ ଯାହାନ୍ତି ନାହିଁ। ସପ୍ତାହରେ ମାତ୍ର ୩/୪ ଦିନ ଲିଣ୍ଡ୍ରା ସବ୍‌ଷ୍ଟେସନରେ ବସୁଛନ୍ତି। କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ଲିଣ୍ଡ୍ରାସ୍ଥ ଅଫିସ୍‌ ଭିତରେ ରହୁଥିଲେ ହେଁ ବାହାରେ ତାଲା ଝୁଲିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କୁ କିଛି କର୍ମଚାରୀ ଭିତରକୁ ଛାଡୁ ନଥିବା ଅଭିଯୋଗ ହେଉଛି। ଫଳରେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକେ ଘଣ୍ଟା ଘଣ୍ଟା ଛିଡା ହୋଇ‌ ଫେରିଯିବାକୁ  ବାଧ୍ୟ ହେଉଛନ୍ତି। ଖରିଟୋଲା ସ୍ବାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ହୋଇପାରୁ ନାହିଁ। ଫଳସ୍ବରୂପ ସେଠାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ଜଣକ ଲୋଆରାମ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରୁଛନ୍ତି। ସୋରଡା ହାଇସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଉ ନଥିବାରୁ ପିଲାମାନେ ସ୍ମାର୍ଟ କ୍ଲାସରୁ ବଞ୍ଚିତ ହେଉଛନ୍ତି। ମାସ ମାସ ଧରି ଅଧିକାଂଶ ସ୍କୁଲରେ ଏଭଳି ସମସ୍ୟା ଉପୁଜୁଥିଲେ ହେଁ, କିଛି ପଦକ୍ଷେପ ନିଆଯାଉ ନାହିଁ। ଅନୁରୂପ ଭାବେ ବଡଯୋଜଦା ପଞ୍ଚାୟତର ଚିଟିକିଦରି, ପାହାନ ଟୋଲା, ବାରିବେଡା ସହଦର ବସ୍ତି, ଚୁଆଁ ବାହାଲ ପାହାନ ଟୋଲା, ଖଡିଆଟୋଲି, ରେଲପୋଶେ, ମାର୍ଟିନ୍‌ ଟୋଲି ଭଳି ଅନେକ ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଜଳିଯାଇଛି। ଏସବୁ ବସ୍ତି ଓ ଗାଁର ଲୋକମାନେ ଗତ ପ୍ରାୟ ୬ ମାସ ଧରି ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି।

ଟ୍ରାନ୍ସଫମଁର ଲଗାଇବାରୁ ବସ୍ତିବାସିନ୍ଦା ବାରମ୍ବାର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ବିଭାଗୀୟ ଯନ୍ତ୍ରୀ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ମାସ ମାସ ଧରି ସମୟ ଗଡାଇ ଚାଲିଛନ୍ତି। ସାଧରଣ ଗ୍ରାହକଟିଏ ନୁହେଁ ବରଂ ନୂଆଗାଁର ନାଏବ ସରପଞ୍ଚ ବିଜୁଳି ସଂଯୋଗ ପାଇଁ ଅନେକ ଦିନ ଧରି  ଆବେଦନ କରିଛନ୍ତି। ଏମିତି ଭାବେ ବର୍ତ୍ତମାନ ସୁଦ୍ଧା ବ୍ଲକରେ ପାଖାପାଖି ୨୦୦ରୁ ଅଧିକ ଗ୍ରାହକ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରିଛନ୍ତି। ଆଜି ପର୍ଯ୍ୟନ୍ତ ଆବେଦନ କରିଥିବା ଜଣେ ‌ହେଲେ ଗ୍ରାହକଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଉ ନାହିଁ। ନୂଆଗାଁ ବ୍ଲକର ଟାଟା ପାୱାର ଏଭଳି ଅବହେଳାକୁ ନେଇ ଜନଅସନ୍ତୋଷ ତେଜୁଛି। ଆଗାମୀ ଦିନରେ ଏସବୁ ଦିଗରେ ପ୍ରତି ପ୍ରାଥମିକତା ନ ଦେଲେ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି।