ପିପିଲି : ପିପିଲି ଫ୍ଲାଇଓଭର୍ ବ୍ରିଜ୍କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଥିବାବେଳେ ବ୍ରିଜ୍ର ଉଭୟ ପାର୍ଶ୍ବରେ ଭାରିଯାନ ବୁଲି ପାରୁ ନାହିଁ। ବିଶେଷତଃ କୋଣାର୍କ, ନିମାପଡ଼ା ଆଦି ସ୍ଥାନରୁ ଏହି ବ୍ରିଜ୍ ଦେଇ ଭୁବନେଶ୍ବର ଅଭିମୁଖେ ଆସୁଥିବା ବସ୍ ଓ ଟ୍ରକ୍ ଆଦି ଜାତୀୟ ରାଜପଥ ଛୁଇଁବାକୁ ବ୍ରିଜ୍ର ପିପିଲି ପାର୍ଶ୍ବରେ ୟୁ-ଟର୍ଣ୍ଣ ନେବା ସମୟରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପିପିଲିରୁ ପୁରୀ ଅଭିମୁଖେ ଯାଉଥିବା ଯାନବାହାନ ବ୍ରିଜ୍ର ଜଗନ୍ନାଥପୁର ପାର୍ଶ୍ବରେ ଜାତୀୟ ରାଜପଥକୁ ଯିବାକୁ ରାସ୍ତା ସଙ୍କୀର୍ଣ୍ଣ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଭୟ ପାର୍ଶ୍ବର ଅଣଓସାରିଆ ରାସ୍ତା ଯୋଗୁ ଭାରୀଯାନଗୁଡ଼ିକ ବୁଲାଣିରେ ବୁଲି ପାରୁ ନାହାନ୍ତି। ଉଭୟ ପାର୍ଶ୍ବରେ ଚାଳକ ଗାଡ଼ିକୁ ଦୁଇ ତିନି ଥର ଆଗପଛ କରିବାକୁ ପଡ଼ୁଛି। ଫଳରେ ଘଟଣାସ୍ଥଳରେ ରାସ୍ତା ଜାମ୍ ହେବା ସହ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ବୈଷୟିକ ତୃଟି ଯୋଗୁ ସେଠାରେ ଏକାଧିକ ଅଘଟଣ ହୋଇଥିବା ଅଭିଯୋଗ ହୋଇଛି।
ପିପିଲି-ନିମାପଡ଼ା ରାସ୍ତାର ତରାକାଜଠାରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ୍ର ସ୍ଥାୟିତ୍ବ ନେଇ ସେତେବେଳେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏହି ବ୍ରିଜ୍ର ମଝି ରାସ୍ତା ବାରମ୍ବାର ଫାଟିବା ସହ ଖାଲ ସୃଷ୍ଟି ହେଉଛି। ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ବିଭାଗ ଏହି ଖାଲକୁ ମରାମତି କରିଛି। ତେବେ ଯେତେ ଲୁଚାଇଲେ ମଧ୍ୟ ଏହା ଲୁଚୁନି। ବ୍ରିଜ୍ର ଉଭୟପାର୍ଶ୍ବ ସଂଯୋଗ ରାାସ୍ତାର ଅଧିକାଂଶ ସ୍ଥାନ ଦବିଗଲାଣି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଜୁଲାଇ ୯ ତାରିଖ ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ରିଜ୍କୁ ଉଦ୍ଘାଟନ କରିଥିଲେ। ଏହି ଅଣଓସାରିଆ ବ୍ରିଜ୍କୁ ନେଇ ପ୍ରଥମରୁ ଅସନ୍ତୋଷ ଓ ବିବାଦ ଲାଗି ରହିଥିଲା। ଏହି ବ୍ରିଜ୍ରେ ଯାତାୟାତ ପାଇଁ ଲୋକେ ଏବେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏକକାଳୀନ ଦୁଇଟି ଗାଡ଼ି ଅତିକ୍ରମ କଲେ ବାଇକ୍ ଓ ସାଇକେଲ ଆରୋହୀଙ୍କର ଅବସ୍ଥା ସଙ୍ଗୀନ। ବୈଷୟିକ ତ୍ରୁଟି ଯୋଗୁ ଏହି ବ୍ରିଜ୍ର ନିର୍ମାଣ ଓ ଉଚ୍ଚତା ଏପରି ହୋଇଛି ଯେ ସାଇକେଲ ଆରୋହୀ ଉକ୍ତ ବ୍ରିଜ୍ ଚଢିବା କଷ୍ଟସାଧ୍ୟ ହୋଇପଡ଼ୁଛି ବୋଲି ଅଭିଯୋଗ ହୋଇଛି। ଏହି ବ୍ରିଜ୍ର ଉଭୟ ପାର୍ଶ୍ବରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି। ସ୍କୁଲ୍ କଲେଜ ଛାତ୍ରଛାତ୍ରୀମାନେ ଏହି ବ୍ରିଜ୍ ଉପରେ ଯିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ବ୍ରିଜ୍ ତଳେ ବଡ଼ ବିପଦପୂର୍ଣ୍ଣ ଅବସ୍ଥାରେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କର ମତ।