ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁରରେ ଥିବା ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ର ଟ୍ୟାଙ୍କର୍‌ରେ ଲିକ୍‌ ଯୋଗୁଁ ବହୁ ପରିମାଣର କ୍ଷୀର ନଷ୍ଟ ହୋଇଯାଇଛି। କ୍ଷୀର ପ୍ରୋସେସିଂ କରିବା ପାଇଁ ଥିବା ଟ୍ୟାଙ୍କର୍‌ରେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ହୋଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ, ପ୍ଲାଣ୍ଟ୍‌ କର୍ମଚାରୀଙ୍କ ଅବହେଳା ଯୋଗୁଁ ପ୍ରାୟ ୫ହଜାର ଲିଟର୍‌ କ୍ଷୀର ନଷ୍ଟ ହୋଇଥିବା ରାଜ୍ୟ ଦୁଗ୍ଧ ପରିବହନ ସଂଘର ରାଜ୍ୟ ସଭାପତି ସମୀର ରଂଜନ ଦାଶ ଅଭିଯୋଗ କରିଛନ୍ତି।

Advertisment

ଓମ୍‌ଫେଡ୍‌ ପ୍ଲାଣ୍ଟ୍‌ରେ ପରିଚାଳନାଗତ ତ୍ରୁଟି ଯୋଗୁଁ ବହୁ କ୍ଷୀର ନଷ୍ଟ ହେଉଥିବା ଅଭିଯୋଗ ଆସିଥିଲା। ପ୍ଲାଣ୍ଟ୍‌ରେ ଷ୍ଟୋରେଜ୍‌ ଟ୍ୟାଙ୍କର୍‌ରୁ କ୍ଷୀର ଭାସୁଥିବା ନେଇ ଭିଡ଼ିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବାରମ୍ବାର ଏଭଳି ଘଟଣା ନଜରକୁ ଆସିବାରୁ କିଛି ବ୍ୟବସାୟୀ ଏ ନେଇ ମୁଖ୍ୟମନ୍ତ୍ରୀ ଓ ଓମ୍‌ଫେଡ୍‌ର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ, ଭୁବନେଶ୍ବର ଓମ୍‌ଫେଡ୍‌ର ଏକ ଟିମ୍‌ ଆଜି ବ୍ରହ୍ମପୁର ଆସି ଆଙ୍କୁଶପୁର ସ୍ଥିତ ପ୍ଲାଣ୍ଟ୍‌କୁ ଯାଇଥିଲେ। କିଭଳି ଓ କେଉଁ ପରିସ୍ଥିତିରେ ଟ୍ୟାଙ୍କର୍‌ରୁ କ୍ଷୀର ବୋହିଯାଇ ନଷ୍ଟ ହୋଇଥିଲା, ସେ ନେଇ ବିଭାଗୀୟ କର୍ମଚାରୀ ଓ ପ୍ଲାଣ୍ଟ୍‌ ମ୍ୟାନେଜର୍‌ଙ୍କ ସହିତ ଆଲୋଚନା କରିଥିଲେ ବୋଲି ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା.ମୂରଲୀଧର ବେହେରା କହିଛନ୍ତି।