ବ୍ରହ୍ମପୁର : ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳିକା (୯)ଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମାମଲାର ବିଚାରଣା କରି ସ୍ବତନ୍ତ୍ର ଫାଷ୍ଟକ୍ଲାସ୍ କୋର୍ଟ ବିଚାରପତି ଗୁରୁପ୍ରସାଦ ସାହୁ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୭ ମସିହା ଜୁଲାଇ ୧୧ ତାରିଖ ଦିନ ପୁରୁଷୋତ୍ତମପୁର ଥାନା ଇଲାକାର ଜଣେ ନାବାଳିକା ନିଜ ମାଆଙ୍କ ସହ ଭାଇର ନିର୍ବନ୍ଧ ପାଇଁ ନିକଟସ୍ଥ ଗ୍ରାମକୁ ଯାଇଥିଲେ। ନାବାଳିକା (୯ ବର୍ଷ) ଜଣକ ଅପରାହ୍ଣ ଦୁଇଟା ବେଳେ ଗାଁରେ ଖେଳୁଥିବା ବେଳେ ସିଦ୍ଧାନ୍ତ ବେହେରା ଓରଫ ଗୋଜି ତାଙ୍କୁ ଟେକି ନେଇଥିଲା।
ନିଜ ଘର ଛାତ ଉପରକୁ ନେଇ ମୋବାଇଲ୍ରେ ରଖିଥିବା ଅଶ୍ଳୀଳ ଫିଲ୍ମ ଦେଖାଇବା ସହ ଦୁଷ୍କର୍ମ କରିଥିଲା। ପରେ ଛୁରୀ ଦେଖାଇ ଏକଥା ବାହାରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ନାବାଳିକଜଣକ ଘଟଣା ବିଷୟରେ ମାଆଙ୍କୁ ସବୁ କହିବା ପରେ ଥାନାରେ ଏତଲା ଦିଆଯାଇଥିଲା। ପକ୍ସୋ ଆକ୍ଟ୍ ସମେତ ଆଇପିସିର ବିଭିନ୍ନ ଦଫା ଅନୁସାରେ ମାମଲା ରୁଜ ସହ ସିଦ୍ଧାନ୍ତକୁ ଗିରଫ କରଯାଇଥିଲା। ଏହି ମାମଲାରେ ୧୬ ଜଣଙ୍କଠୁ ସାକ୍ଷ୍ୟ ଗ୍ରହଣ ସହ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତ ସିଦ୍ଧାନ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ପୁଣି ଏକ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଜଘନ୍ୟ ଘଟଣା ହୋଇଥିବା ଯୋଗୁଁ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ପିପି ନରେଶ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/prisoner-in-prison_03667dfa-33c4-11e8-8c5f-3c6cc031651e.jpg)