ସୁନ୍ଦରଗଡ଼: ଓଡ଼ିଶାର ଦିବ୍ୟାଙ୍କ ସରକାରୀ କର୍ମଚାରୀଙ୍କ ପଦୋନ୍ନତିରେ ସଂରକ୍ଷଣ ସୁବିଧା ମିଳୁ ନଥିବା ଅଭିଯୋଗ କରିଛି ଓଡ଼ିଶା ଭିନ୍ନକ୍ଷମ ମଞ୍ଚ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ଉପଧାରା ୩୪ ଅନୁଯାୟୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦେବା କଥା। କିନ୍ତୁ ଏଯାଏଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସଏସଇପିଡି) ଏ ନେଇ କୌଣସି ବିଜ୍ଞପ୍ତି ଜାରି କରି ନାହାନ୍ତି। ଯେଉଁଥିପାଇଁ ରାଜ୍ୟର ୫ ହଜାରରୁ ଅଧିକ ଦିବ୍ୟାଙ୍ଗ କର୍ମଚାରୀ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା, ଗତ ୨୮.୯.୨୦୨୧ରେ ସିଦ୍ଦାରାଜୁ ବନାମ କର୍ଣ୍ଣାଟକ ସରକାରଙ୍କ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଆଦେଶ କରିଥିଲେ। ହେଲେ ସରକାର ତାକୁ ପକାଇ ରଖିଛନ୍ତି। ଯେଉଁଥିପାଇଁ ଭିନ୍ନକ୍ଷମ ମଞ୍ଚ ତୀବ୍ର ଅସନ୍ତୋଷ ପ୍ରକାଶ କରି ପଦୋନ୍ନତିରେ ତୁରନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଜଣାଇଆସୁଛି।

Advertisment

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ଉପଧାରା ୩୪ ପ୍ରଣୟନ ହେବା ପରେ ଭାରତ ସରକାର ତାଙ୍କ ଅଧୀନସ୍ଥ ସମସ୍ତ ବିଭାଗରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏହା ମଧ୍ୟରେ ରେଲୱେ ବୋର୍ଡ ଦିବ୍ୟାଙ୍ଗ କର୍ମଚାରୀଙ୍କ ଗ୍ରୁପ ‘ସି’ରୁ ଗ୍ରୁପ ‘ବି’ ଓ ଗ୍ରୁପ ‘ବି’ରୁ ଗ୍ରୁପ ‘ଏ’କୁ ପଦୋନ୍ନତିରେ ୪ ପ୍ରତିଶତ ଲାଗୁ କରି ସାରିଛନ୍ତି। ସେହିପରି ହରିୟାନା, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାର ମଧ୍ୟ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବା ସହ ଦିବ୍ୟାଙ୍ଗଙ୍କ ପଦୋନ୍ନତିରେ ସଂରକ୍ଷଣ ଦେବା ଆରମ୍ଭ କରିଛନ୍ତି। କିନ୍ତୁ ଆଇନ ଆସିବାର ୭ ବର୍ଷ ଓ ସୁପ୍ରିମକୋର୍ଟଙ୍କ ଆଦେଶକୁ ୨ ବର୍ଷ ବିତିଯିବା ପରେ ବି ଓଡ଼ିଶା ସରକାର ଏହାକୁ କାହିଁକି କାର୍ଯ୍ୟକାରୀ କରି ନାହାନ୍ତି ବୋଲି ପ୍ରଶ୍ନ କରିଛି ମଞ୍ଚ। ଏ ଦିଗରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଦିବ୍ୟାଙ୍ଗ ସରକାରୀ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।