କଟକ ଇନଡୋର ଷ୍ଟାଡିୟମ୍‌ରେ ତ୍ରିରଙ୍ଗାର ଅବମାନନା

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର : ଗତ ୮ତାରିଖରେ କଟକ ଇନଡୋର ଷ୍ଟାଡିୟମ୍‌ରେ ପ୍ରଜାତନ୍ତ୍ରର ପ୍ରତିଷ୍ଠା ଉତ୍ସବରେ ଜାତୀୟ ପତାକାର ଅବମାନନା କରାଯାଇଛି। ଏହି ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ ଉଭୟ ଦଳର ତୁଙ୍ଗ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ଜାତୀୟ ପତାକାକୁ ଅପମାନିତ କରାଯାଇଥିଲା। ସଭା ଗୃହରେ ବହୁ ସ୍ଥାନରେ ଜାତୀୟ ପତାକା ତଳେ ପଡ଼ି ରହିଥିବା ଚିତ୍ର ସାମାଜିକ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ମାତ୍ର ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏହାର ବିରୋଧରେ କହି ନ ଥିଲେ। ତେଣୁ ଜାତୀୟ ପତାକାର ଅବମାନନା କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ କଂଗ୍ରେସ।

ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, କାର୍ଯ୍ୟକ୍ରମରେ ଜାତୀୟ ପତାକା ସମ୍ମାନ ନିୟମ ୧୯୭୧ ଉପଧାରା-୨କୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସ୍ବାଧୀନତାର ୭୫ବର୍ଷ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାର ବାର୍ତା ଦେଉଛନ୍ତି। ମାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ବରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଘଟଣାରେ ଚୁପ୍ ରହିଲେ। ଯେଉଁମାନେ ତ୍ରିରଙ୍ଗାର ଅବମାନନା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଜନୀ ମହାନ୍ତି, ମନୋରଂଜନ ଦାଶ ଓ ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର