ଶ୍ରାବଣରେ ସୁନ୍ଦରଗଡ଼ ଶୁଖିଲା; ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା

ଅଧା ଜମି ପଡ଼ିଆ, ଚିନ୍ତାରେ ଚାଷୀ

ସୁନ୍ଦରଗଡ଼: ଆଉ ମାତ୍ର ୮ ଦିନ ପରେ ଶ୍ରାବଣ ଯିବ। ଏହି ସମୟରେ ଘନଘୋର ବର୍ଷା ହୋଇ ନଦୀନାଳରେ ବନ୍ୟା ଆସି ଯାଇଥାଏ। ହେଲେ ଏଯାଏ ସୁନ୍ଦରଗଡ଼ ଶୁଖିଲା ପଡ଼ିଛି। ଜିଲ୍ଲାର ପ୍ରମୁଖ ନଦୀ ଇବ୍, ବ୍ରାହ୍ମଣୀ, ଶଂଖ, କୋଏଲ, ଇଚ୍ଛା, ସଫେଇ ଫୁଲି ଉଠିବା ପରିବର୍ତ୍ତେ କ୍ଷୀଣ ଧାର ବହି ଚାଲିଛି। ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଆଗକୁ ମଧ୍ୟ ନିଅଣ୍ଟିଆ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ମେ ମାସରେ ସ୍ବାଭାବିକ ବର୍ଷା ୪୦.୬ ମିଲିମିଟର ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୫୯.୫୮ ମିଲିମିଟର ବର୍ଷା ହୋଇଥିଲା। ଅର୍ଥାତ ସ୍ବାଭାବିକ ଠାରୁ ୧୮.୯୮ ମିଲିମିଟର ବର୍ଷା ଅଧିକ ହୋଇଥିଲା। କିନ୍ତୁ ଜୁନ ମାସରେ ସ୍ବାଭାବିକ ବର୍ଷା ଠାରୁ ୧୮୯.୮୬ ମିଲିମିଟର କମ୍ ବର୍ଷା ହୋଇଥିଲା।

ଏହି ମାସରେ ସ୍ବାଭାବିକ ବର୍ଷା ୨୭୩.୪ ମିଲିମିଟର ଥିବା ବେଳେ ହୋଇଥିଲା ମାତ୍ର ୮୩.୫୪ ମିଲିମିଟର। ଜୁଲାଇରେ ସ୍ବାଭାବିକ ବର୍ଷା ୩୮୬.୪ ମିଲିମିଟର ଥିବା ବେଳେ ୨୬୫.୬୮ ମିଲିମିଟର ଅର୍ଥାତ ୧୨୦.୭୨ ମିଲିମିଟର କମ୍ ବର୍ଷା ହୋଇଛି। ଏସ୍ଥିତିରେ ଜିଲ୍ଲାର ଚାଷ କାର୍ଯ୍ୟ ବିଳମ୍ବିତ ହୋଇଛି। ଏହି ସମୟରେ ରୁଆ, ବେଉଷଣ ଶେଷ ହୋଇ ଚାଷୀ ଧାନ କ୍ଷେତରୁ ଘାସଲଟା ବାଛିଥାଏ। କିନ୍ତୁ ଆଜିର ତାରିଖ ଯାଏ ପାଣି ଅଭାବରୁ ଜିଲ୍ଲାର ଅଧା ଜମି ପଡ଼ିଆ ପଡ଼ିଛି। ଚଳିତ ବର୍ଷ ୨ ଲକ୍ଷ ୪ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାକୁ କୃଷି ବିଭାଗର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଏଯାଏ ୧ ଲକ୍ଷ ୨ ହଜାର ୮୭ ହେକ୍ଟର ଜମିରେ ଚାଷ କରାଯାଇପାରିଛି। ୧ ଲକ୍ଷ ୧ ହଜାର ୯୧୩ ହେକ୍ଟର ଜମିରେ ଚାଷ ଆରମ୍ଭ ହୋଇପାରି ନାହିଁ।

ସୁନ୍ଦରଗଡ଼ ସଦର ବ୍ଲକରେ ୧୨୮୯୪ ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ସେଥିମଧ୍ୟରୁ ୫୦୫୦ ହେକ୍ଟର ଜମିରେ ଚାଷ କରାଯାଇଛି। ସେହିପରି ସବଡେଗା ବ୍ଲକର ଲକ୍ଷ୍ୟ ଧାର୍ଯ୍ୟ ୧୧୨୦୪ ହେକ୍ଟର ଜମିରୁ ୮୯୮୯ ହେକ୍ଟର, ବାଲିଶଙ୍କରା ବ୍ଲକର ୧୨୨୪୦ ହେକ୍ଟର ଜମିରୁ ୯୨୭୪ ହେକ୍ଟର ଜମିରେ ଚାଷ କରାଯାଇଛି। ହେମଗିର ବ୍ଲକର ୧୧୩୭୧ ହେକ୍ଟର ଜମିରୁ ୫୨୯୯ ହେକ୍ଟର, ଲେଫ୍ରିପଡ଼ା ବ୍ଲକର ୧୦୨୬୩ ହେକ୍ଟରରୁ ୬୨୭୦ ହେକ୍ଟର, ଟାଙ୍ଗରପାଲି ବ୍ଲକର ୧୧୫୮୯ ହେକ୍ଟରରୁ ୬୧୭୭ ହେକ୍ଟର, ବଡ଼ଗାଁ ବ୍ଲକର ୧୦୭୫୧ ହେକ୍ଟରରୁ ୫୧୮୯ ହେକ୍ଟର, କୁତ୍ରା ବ୍ଲକର ୧୧୧୪୪ ହେକ୍ଟରରୁ ୪୯୩୬ ହେକ୍ଟର ଜମିରେ ଧାନ ଚାଷ କରାଯାଇପାରିଛି। ସେହିପରି ରାଜଗାଙ୍ଗପୁର ବ୍ଲକର ୧୦୨୩୬ ହେକ୍ଟରରୁ ୬୦୧୮ ହେକ୍ଟର, ଲାଠିକଟାର ବ୍ଲକର ୧୭୭୯୪ ହେକ୍ଟରରୁ ୮୮୩୨ ହେକ୍ଟର, କୁଆରମୁଣ୍ଡା ବ୍ଲକର ୧୫୦୧୩ ହେକ୍ଟରରୁ ୬୮୮୭ ହେକ୍ଟର, ନୂଆଗାଁ ବ୍ଲକର ୧୮୨୧୦ ହେକ୍ଟରୁ ୯୪୬୮ ହେକ୍ଟର, ବିଶ୍ରା ବ୍ଲକର ୫୫୦୩ ହେକ୍ଟରରୁ ୨୭୭୯ ହେକ୍ଟର, ବଣାଇ ବ୍ଲକର ୧୧୫୪୩ ହେକ୍ଟରରୁ ୪୬୫୪ ହେକ୍ଟର, ଲହୁଣୀପଡ଼ା ବ୍ଲକର ୧୩୫୧୪ ହେକ୍ଟରରୁ ୫୭୭୫, କୋଇଡ଼ା ବ୍ଲକର ୯୫୨୦ ହେକ୍ଟରରୁ ୪୪୬୫ ହେକ୍ଟର ଓ ଗୁରୁଣ୍ଡିଆ ବ୍ଲକର ୧୧୨୧୧ ହେକ୍ଟରରୁ ୨୪୨୫ ହେକ୍ଟର ଜମିରେ ଧାନ ଚାଷ କରାଯାଇପାରିଛି। ଏସବୁ ଜମିରେ ଆଉ ଚାଷ ହେବା ସମ୍ଭାବନା ଦିଶୁ ନଥିବା ବେଳେ ଆଗକୁ ବର୍ଷା ନହେଲେ ଅନ୍ୟ ଜମିର ଧାନ ଚାଷ ମଧ୍ୟ ଉଜୁଡ଼ିଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର