ଜନନେତାର ସଂଜ୍ଞା

ଅରୁଣ ଦେ’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ

ଅରବିନ୍ଦ ଦାସ

ଗୋଟିଏ ଅବସୋସ ରହିଗଲା। ଦାଦା ଚାଲିଯିବେ, ଅଥଚ ବାଲେଶ୍ବରବାସୀ ତାଙ୍କ ମରଶରୀରର ଶେଷଦର୍ଶନ ସୁଦ୍ଧା କରିପାରିବେନି! ମରଶରୀରକୁ ବାଲେଶ୍ବର ନେଇଥିଲେ ଯୋଉ ଦାଦାଙ୍କୁ ଶ୍ରଦ୍ଧାଂଜଳି ଦେବାପାଇଁ ଜନସମୁଦ୍ର ହୋଇଥା’ନ୍ତା, ସେହି ଦାଦାଙ୍କୁ କୋଭିଡ୍ ପ୍ରଟୋକଲ ପାଇଁ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ନିଜ ଘରଠୁ ୨୦୦ କି.ମି. ଦୂର ରାଜ୍ୟ ରାଜଧାନୀରେ ବିଦାୟ ଦିଆଗଲା। ଦାଦା ପ୍ରତିଟି ନିର୍ବାଚନ ଜିଣିନଥିଲେ। ଶେଷ ଆଡ଼କୁ ତ ତିନି ନମ୍ବରକୁ ମଧ୍ୟ ଖସିଯାଇଥିଲେ। ‌େହଲେ ଯେତେଥର ଜିତିଥିଲେ କିମ୍ବା ନିର୍ବାଚନମାନଙ୍କରେ ଯେତେ ଭୋଟ୍ ପାଉଥିଲେ ସେଥିରୁ ସିଂହଭାଗ ତାଙ୍କ ନିଜର ଥିଲା। ଦାଦା ମନ୍ତ୍ରୀ ସୁଦ୍ଧା ହେଇନଥିଲେ। ହେଲେ ଦିନ ଥିଲା, ଭୁବନେଶ୍ବରର କ୍ଷମତା କରିଡର୍‌ରେ ବାଲେଶ୍ବର କହିଲେ ଦାଦାଙ୍କୁ ବୁଝାଉଥିଲା। ତାଙ୍କ ଭଳି ଜଣେ ଅତ୍ୟନ୍ତ ଜନପ୍ରିୟ ନେତାଙ୍କ ପାଇଁ ଶେଷ ଶୋଭାଯାତ୍ରା ହୋଇପାରିଲା ନାହିଁ, ସତ। ଯଦି ହୋଇଥା’ନ୍ତା, ସେଦିନ ବାଲେଶ୍ବର ସହର ତା’ର ଅନ୍ୟତମ କୃତୀ ସନ୍ତାନକୁ ଚିର ବିଦାୟ ଦେବାବେଳେ କେତେ ଯେ ରୋମାଂଞ୍ଚିତ ହୋଇଥା’ନ୍ତା, ତାହା ଅନୁମାନ କଲାବେଳେ ସେହି ଦିବଙ୍ଗତ ଜନନେତାଙ୍କ ପାଇଁ ମୁଣ୍ଡ ସ୍ବତଃ ନଇଁଯାଏ। ଦାଦାଙ୍କ ପାଇଁ କେଇପଦ…

ଅଶୀ ଦଶକର ପ୍ରଥମ ଭାଗ। ବାଲେଶ୍ବରର ସିପିଆଇ ବିଧାୟକ ଅରୁଣ ଦେ’ ବିଧାନସଭାରେ ଏକରକମ ଛାଇଯାଉଥା’ନ୍ତି। କେତେବେଳେ କେମିତି ଦର୍ଶକ ଗ୍ୟାଲେରୀରୁ ମଧ୍ୟ ସେ ସମୟର ବିଧାନସଭା ଆଲୋଚନା ଦେଖିଛୁ। ଅଧିକାଂଶ ଆଲୋଚନାରେ ଦେଖିବାକୁ ମିଳନ୍ତି ସେଇ ଅରୁଣ ଦେ’। ଏମିତିରେ ଯୁବାବସ୍ଥାର ବିପ୍ଳବୀ ଉଦ୍ଦାମତା ଆମ ଭଳି ପିଲାଙ୍କ ମନକୁ ସାମ୍ୟବାଦୀ ବିଚାର ଆଡ଼କୁ ଟାଣିନେଉଥାଏ। ସେଥିରେ ପୁଣି ଅରୁଣ ଦା’ଙ୍କ ବ୍ୟାଚେଲର୍ ଜୀବନ! କୋଉଠି ବାଲେଶ୍ବର! କୋଉଠି ଆମ ଘର ବଲାଙ୍ଗୀର ସହର!! ୫୦୦ କି.ମି. ଦୂରରେ ଥାଇ ମଧ୍ୟ ଆମେ କିଛି ସହପାଠୀ ସେତେବେଳେ ତାଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇଥିଲୁ। ବେଳେବେଳେ ଲାଗୁଥାଏ, ଆମ ଜିଲ୍ଲାର ବିଧାୟକମାନେ ଏମିତି ହୁଅନ୍ତେନି!

ଅଶୀ ଦଶକର ଶେଷ ଭାଗ। ବାଣୀବିହାରରେ ପିଜି କଲାବେଳେ ହଷ୍ଟେଲ୍‌ କମନ୍‌ ରୁମ୍‌ର କୋଣାର୍କ ରେନ୍‌ବୋ ଡିଲକ୍ସ ଟିଭି ପରଦାରେ ସଂଜବେଳର ଓଡ଼ିଆ ଖବର ଦେଖୁ। ଦାଦା ୧୯୮୫ ନିର୍ବାଚନରେ ହାରିଯାଇଥିଲେ। ତେଣୁ ବିଧାୟକ ନଥିଲେ। ଅଥଚ ଓଡ଼ିଆ ସମାଚାର ଓ ଖବରକାଗଜ ପୃଷ୍ଠାରେ ବରାବର ନିଜ ଉପସ୍ଥିତି ଜାହିର କରୁଥିଲେ। ମନେ ଅଛି, କ୍ୟାମ୍ପସ୍‌ରେ ସମଭାବାପନ୍ନ ସହପାଠୀଙ୍କ ମଧ୍ୟରେ ଓଡ଼ିଶା ରାଜନୀତି ବିଷୟରେ ଆଲୋଚନା ହେଲେ ଅନ୍ୟମାନଙ୍କ ମଧ୍ୟରେ ପ୍ରାୟତଃ ଦାଦାଙ୍କ କଥା ମଧ୍ୟ ପଡ଼ୁଥିଲା।

ତା’ପରେ ତାଙ୍କୁ ଆଉଟିକେ ଅଧିକ ଜାଣିବାର ସୁଯୋଗ ପାଇଲୁ ନବେ ଦଶକରେ। ପିଏମ୍‌ଜି ଛକ ପାଖ ତାଙ୍କ ବାସଭବନ ସାମନାରେ ‘ମହାରାଜା’ ବସ୍ ଲାଗେ। ବାଲେଶ୍ବରରୁ ପ୍ରଶାନ୍ତ ଭାଇ, ଶାନ୍ତନୁ ଭାଇଙ୍କ ଭଳି ଅଧ୍ୟାପକ ବନ୍ଧୁମାନେ ସେଥିରେ ଆସନ୍ତି। ସାଙ୍ଗହୋଇ ଦାଦାଙ୍କ ପାଖକୁ କେତେଥର ଯାଇଛୁ। ପ୍ରତିଥର ଦେଖୁ, କାମ ହେଉ ନହେଉ, ତାଙ୍କ ପାଖରେ ପ୍ରବଳ ଭିଡ଼। ଦାଦା ମନ୍ତ୍ରୀ ନଥିଲେ। ଅଥଚ ସେତେବେଳେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବାସଭବନର ଭ୍ରମ ସୃଷ୍ଟି କରୁଥାଏ ତାଙ୍କ ଘର।

୨୦୦୪ରେ ମୁଁ ବାଲେଶ୍ବର ଆସିବା ବେଳକୁ ଦାଦା ବିଧାୟକ ଥା’ନ୍ତି। ସେତେବେଳକୁ ସେ ଅବଶ୍ୟ ଆଉ ସିପିଆଇରେ ନଥା’ନ୍ତି।  ଓଡ଼ିଶା ଗଣପରିଷଦ ବିଧାୟକ। ଆହୁରି ନିକଟରୁ ତାଙ୍କୁ ଜାଣିବାର ସୁଯୋଗ ମିଳିଲା। ତାଙ୍କର ଶାନ୍ତିକାନନ ଘରେ ସବୁ କିଛି ଖୋଲାମେଲା। ପ୍ରାଇଭେସି ବୋଲି କିଛି ନାହିଁ। ତାଙ୍କ ଶୟନକକ୍ଷ ଯାଏ ସମସ୍ତଙ୍କ ଅବାଧ ପ୍ରବେଶ। ବାଲେଶ୍ବରର ଅଧିବାସୀଙ୍କ ବିଷୟରେ ଦାଦା ସତେ ଯେମିତି ଜଣେ ଚଲ୍‌ତା-ଫିର୍‌ତା ଅଭିଧାନ! କେହି ଜଣେ ଆସି ନିଜ ପରିଚୟ ଦେଉ ଦେଉ ଦାଦା’ଙ୍କ ପାଟିରୁ ବାହାରିଆସିବ, ‘‘ତୁ ଅମୁକ ସାହିର ସମୁକ ଲୋକର ପୁଅ ତ! ମୁ କ’ଣ ଜାଣିନି? ମୋତେ କ’ଣ ବୁଝଉଛୁ..?’’ ଏସବୁ ଦେଖି ମନ ଭିତରେ ‘ଜନନେତା’ର ପ୍ରକୃତ ସଂଜ୍ଞା ଅଲକ୍ଷ୍ୟରେ ଆପେଆପେ ନିରୂପିତ ହୋଇଯାଉଥିଲା।

ବାଲେଶ୍ବରରେ ‘ଦାଦା’ କହିଲେ ଅରୁଣ ଦା’ଙ୍କୁ ବୁଝାଏ। ଜିଲ୍ଲାର ବିଶେଷ କରି ସହରର ଜନଜୀବନକୁ ସେ ସମୟରେ ତାଙ୍କଠୁ ଅଧିକ ଆଚ୍ଛାଦିତ କରି ରଖିଥିବା ଲୋକ ବିରଳ। ବିଧାୟକ ଥିବାବେଳେ ତ ସ୍ବାଭାବିକ ଭାବେ ତାଙ୍କ ଶାନ୍ତିକାନନ ବାସଭବନରେ ଭିଡ଼ ହୁଏ। ସେ ହାରିଗଲେ ମଧ୍ୟ ନିର୍ବାଚିତ ବିଧା‌ାୟକଙ୍କ ଠାରୁ ତାଙ୍କ ଘରେ ଅଧିକ ଭିଡ଼ ହେଉଥିବା ସମସ୍ତେ ଅନୁଭବ କରନ୍ତି। ତାଙ୍କ ବେପରୁଆ ଠାଣି ଯଦିଓ ସ୍ଥଳ ବିଶେଷରେ ବେଳବେଳେ ଅସ୍ବସ୍ତି ସୃଷ୍ଟି କରୁଥିଲା, ତାହା ମଧ୍ୟ ତାଙ୍କ ମୁରବୀପଣିଆକୁ ଜାହିର କରୁଥିଲା। ଏ କ୍ଷେତ୍ରରେ ବିଜୁବାବୁଙ୍କ ସହ ତାଙ୍କର କିଛିଟା ସାମଞ୍ଜସ୍ୟ ଥିଲା। ଏମିତି ବି ହୋଇଛି, ଆୟୋଜକମାନେ ପ୍ରସ୍ତୁତ ଥା’ନ୍ତୁ ନଥା’ନ୍ତୁ, ଉଦ୍‌ଘୋଷକ ମଞ୍ଚ ଆବାହନ କରନ୍ତୁ ନକରନ୍ତୁ, ସିଧା ଆସି ହଠାତ୍ ମଞ୍ଚକୁ ଉଠିଯାଇ ପ୍ରଦୀପ ପ୍ରଜ୍ଜଳନ ପାଇଁ ତୟାର୍ ହୋଇଯିବେ। ତାଙ୍କର ଏପରି ଅପାରମ୍ପରିକ ଆଚରଣକୁ ଲୋକେ କିନ୍ତୁ ବିଶେଷ ଖରାପ ଭାବୁନଥିଲେ। ତାଙ୍କ ମୁହଁରେ ବାଟୁଳି ବାଜୁନଥିଲା। କିଏ କ’ଣ ଭାବିବ ସେ ନେଇ ଆଦୈା ଭାବୁନଥିଲେ। ନମସ୍କାରର ପତ୍ୟୁତ୍ତର ଭଳି ଔପଚାରିକତା ନଥିଲା ତାଙ୍କର। ଫୋନ୍ କଲେ, ସିଧା ପ୍ରଶ୍ନ, ‘କେଇଠି କିରେ?’

ବହୁତ ଡେରି ରାତିଯାଏ ପଢ଼ାପଢ଼ି କରନ୍ତି ଦାଦା। ସମ୍ଭବତଃ ଜ୍ଞାନର କିଛିଟା ଗର୍ବ ଥାଇପାରେ; ସବୁ କଥାକୁ ବେଖାତିର କରିବା ଅସ୍ଥିମଜ୍ଜାଗତ ଥିଲା ତାଙ୍କର। ଅତି ସାଧାରଣ ଜୀବନ ଜିଇଁବା ଭିତରେ ତାଙ୍କ ଆଚରଣରେ ଯେ ଆଦୋୖ ବିରୋଧାଭାସ ନଥିଲା ସେ କଥା ନୁହେଁ। ତାଙ୍କ ଭଳି ମୂଳ ସାମ୍ୟବାଦୀ କେମିତି ଦାମୀ ସିଗାରେଟ୍ ଟାଣୁଛନ୍ତି, ସେ ନେଇ ଚର୍ଚ୍ଚା ତ ହୁଏ। ହେଲେ ସାଧାରଣ ଜୀବନରେ ସେ ଥିଲେ ନିଆରା। ତାଙ୍କ ଜୀବନକୁ ଏକ ଖୋଲାବହି ବୋଲି ସମସ୍ତେ ଧରିନେଇଥିଲେ। ଗରିବ ଲୋକଙ୍କ ଭିତରେ ସେ ଯେମିତି ସ୍ବାଭାବିକ ଥିଲେ, ଧନାଢ଼୍ୟ ବ୍ୟକ୍ତି ଓ ଶିଳ୍ପପତିଙ୍କ ଗହଣରେ ମଧ୍ୟ ସମସ୍ତ ସନ୍ଦେହର ଊର୍ଦ୍ଧ୍ବରେ ତାଙ୍କୁ ରଖୁଥିଲେ ବାଲେଶ୍ବରବାସୀ।

ମନେ ଅଛି, ଥରେ ବିର୍ଲା ଟାୟାର୍ସରେ ବାଲେଶ୍ବରର ଏକ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା ଚାଲିଥାଏ। ସେଥିରେ ସ୍ବାଭାବିକ ଭାବେ ଜିଲ୍ଲା ପ୍ରଶାସନ ଓ ଶ୍ରମିକ ସଙ୍ଗଠନଗୁଡ଼ିକର ଭୂମିକା ଥାଏ। ସରକାରୀ ଆଇଟିଆଇର ଶତାଧିକ ପିଲା ଶିକ୍ଷାନବୀଶ ଭାବେ ଯୋଗଦେବା ପ୍ରକ୍ରିୟାରେ ଅର୍ଥସଂଗ୍ରହର ଅଭିଯୋଗ ହେଲା। ‘ସମ୍ବାଦ’ ପୃଷ୍ଠାରେ ପ୍ରମୁଖତାର ସହ ଖବର ପ୍ରକାଶ ପାଇଲା। ଦାଦାଙ୍କ ସହଯୋଗୀ ତଥା ଆମ ସାମ୍ବାଦିକ ବନ୍ଧୁ ଶ୍ରୀ ରଂଜନ ବାଗ ଆମ କାର୍ଯ୍ୟାଳୟକୁ ଆସି ସେଇ ଖବରଟି କାଳେ ଦାଦାଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିବ ସେ ନେଇ ଆଶଙ୍କା ପ୍ରକଟ କଲେ। ହେଲେ ସମସ୍ତ ଦିଗକୁ ନେଇ କିଛି ସମୟ ଆଲୋଚନା ପରେ ଦୁହେଁ ଆଶ୍ବସ୍ତ ହେଲୁ ଯେ ତାଙ୍କ ଭାବମୂର୍ତ୍ତିରେ କିଛି ଆଞ୍ଚ ଆସିବାର ହିଁ ନାହିଁ। କାରଣ ଦାଦାଙ୍କ ଜୀବନଶୖଳୀ ଯାହା ସେଥିରେ କାଳିମା ଲାଗିବାର ହିଁ ନାହିଁ। ରାଜ୍ୟର ଜଣେ ଆଗଧାଡ଼ିର ଶ୍ରମିକ ନେତା ଭାବେ ପାଣ୍ଠିସଂଗ୍ରହ ତାଙ୍କ ସଂଗଠନଗୁଡ଼ିକ ପାଇଁ ଏକ ସ୍ବାଭାବିକ ପ୍ରକ୍ରିୟା। ହେଲେ ଜଣେ ରାଜନେତା ଭାବେ ତାଙ୍କ ନିତିଦିନିଆ ଖର୍ଚ୍ଚର ସିଂହଭାଗ ଲୋକଙ୍କ ପାଇଁ ହିଁ ଖର୍ଚ୍ଚ ହେଉଥିବା ନେଇ ଯାହା ଆଲୋଚନା ହୁଏ, ତାହା ଜିଲ୍ଲା ରାଜନୀତିର ଲୋକକଥା ହୋଇଯାଇଛି। ସେ ବର୍ଷକୁ ଥରେ ଆମେରିକାରେ ଥିବା ନିଜ ଦିଦିଙ୍କ ଘରକୁ ଯାଇ ଛୁଟି କଟାନ୍ତି। ଦିଦି ତାଙ୍କର ସବୁକିଛି ବୁଝନ୍ତି।

ବିପ୍ଳବୀ ଛାତ୍ରନେତା ଭାବେ କ୍ୟାରିଅର ଆରମ୍ଭ କରି ଜୀବନର ଦୀର୍ଘ ସମୟ ସିପିଆଇରେ ରାଜନୀତି କରିଥିବା ତାଙ୍କ ଭଳି ମେଧାବୀ ରାଜନେତା କିନ୍ତୁ ଆଦର୍ଶକୁ ନେଇ ବହୁତ ବେଶି ଅନମନୀୟ ବି ହୋଇନାହାନ୍ତି। ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ଚେଷ୍ଟା କରିଛନ୍ତି। ରେଳସେଲୁନ୍ ନେଇ ବାଲେଶ୍ବର ଷ୍ଟେସନ୍‌ରେ କିଛି ଘଣ୍ଟା ରେଳମନ୍ତ୍ରୀ ଲାଲୁ ଯାଦବ ଅବସ୍ଥାନ କରିବା ଭିତରେ ବାଲେଶ୍ବରବାସୀଙ୍କ ତରଫରୁ ଆତିଥ୍ୟର ପ୍ରତୀକ ସ୍ବରୂପ ଦାଦା ତାଙ୍କୁ ଚୁଙ୍ଗୁଡ଼ିପମ୍ଫ୍ରେଟ୍ ଭେଟି ଦେଇଛନ୍ତି। ଉଦ୍ଦେଶ୍ୟ ଅତି ସ୍ପଷ୍ଟ। କାଳେ ବାଲେଶ୍ବର ପାଇଁ ଏହି ମାଡ଼ରେ କିଛି ହାସଲ କରିଦିଆଯାଇପାରିବ!  ଯଦିଓ ସେ ରାଜ୍ୟ ଓ ସ୍ଥାନୀୟ ରାଜନୀତିକୁ ଭଲଭାବେ ବୁଝିଥିଲେ, ରାଜ୍ୟର ଜଣେ ବରିଷ୍ଠ ରାଜନେତା ଭାବେ ଯେ ତାଙ୍କର ପ୍ରତିଟି ରାଜନୈତିକ ଗୋଟିଚାଳନା ସଠିକ୍ ଥିଲା ସେ କଥା ନୁହେଁ। ୨୦୦୯ରେ ଶିଷ୍ୟ କୁନା ଦାସଙ୍କୁ ବାଟ ଛାଡ଼ିବା ନିମନ୍ତେ  ସେ ନିଜପାଇଁ ଯେଉଁ ବିକଳ୍ପ ବାହାର କଲେ ତାକୁ ନେଇ ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସେଇତ ଶେଷ ବେଳକୁ ବିଜେଡିରେ ମିଶିଲେ, ସେତେବେଳେ ସିଧା ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥଲେ ହୁଏତ ଜିତିବା ସମ୍ଭାବନା ଢେର୍ ଅଧିକ ହୋଇଥା’ନ୍ତା (ମେଣ୍ଟ ରାଜନୀତିର ବାଧ୍ୟବାଧକତାରେ ଏନ୍‌ସିପିକୁ ଗୋଟିଏ ଆସନ ଛାଡ଼ିବାକୁ ନବୀନ ନୀତିଗତ ଭାବେ ବାଧ୍ୟ ଥିଲେ ବୋଲି ମଧ୍ୟ ଯୁକ୍ତି କରାଯାଏ)। ଆଚ୍ଛାଆଚ୍ଛା ବିଜ୍ଞ ରାଜନେତା ନିଜ ବିଷୟରେ ନିଷ୍ପତ୍ତି ନେଲାବେଳେ ହଡ଼ବଡ଼େଇ ଯା’ନ୍ତି। ହୁଏତ ଦାଦା ମଧ୍ୟ ବ୍ୟତିକ୍ରମ ନଥିଲେ। ଅବଶ୍ୟ ଏ କଥା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଦେଶରୁ ବିଶେଷ କରି ଆମ ରାଜ୍ୟରେ କମ୍ୟୁନିଷ୍ଟ ଦଳଗୁଡ଼ିକ ଶିଘ୍ର ଅପ୍ରାସଙ୍ଗିକ ହେବାଦ୍ବାରା ଶ୍ରୀ ଦେ’ଙ୍କୁ ସବୁବେଳେ ପ୍ରତିକୂଳ ରାଜନୈତିକ ପରିବେଶରେ ରହିବାକୁ ହୋଇଥିଲା। କେବଳ ଯେ ଜଣେ ମନ୍ତ୍ରୀ ହେଲେ ଯାଇ ରାଜନୈତିକ ପତିଆରା ପାଇବ, ସେ କଥା ନୁହେଁ। ଦାଦାଙ୍କ କ୍ଷେତ୍ରରେ ତ ଆଦୈା ନୁହେଁ। ତେବେ ଆଉ ଟିକେ କୁଶଳୀ ଗୋଟିଚାଳନା କରିପାରିଥିଲେ ହୁଏତ ଦାଦାଙ୍କୁ ଏକାଧିକ ଥର ଦଳବଦଳ କରିବାକୁ ପଡ଼ିନଥା’ନ୍ତା। ସିପିଆଇ ପରେ ତାଙ୍କ କ୍ୟାରିଅରରେ ହୁଏତ ଓଜିପି-ଏନ୍‌ସିପି-କଂଗ୍ରେସ-ବିଜେଡି ଭଳି ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ଆସିନଥା’ନ୍ତା। ୧୯୭୪, ୧୯୮୦, ୧୯୯୦, ୧୯୯୫ ଓ ୨୦୦୪ରେ ବିଧାୟକ ଭାବେ ବିଜୟ (୩ ଥର ସିପିଆଇ, ଥରେ ସ୍ବାଧୀନ ଓ ଥରେ ଗଣପରିଷଦ) ତାଙ୍କ ପ୍ରତିଷ୍ଠାକୁ ଯେତିକି ଦୃଢ଼ କରିଥିଲା, ୧୯୭୭, ୧୯୮୫, ୨୦୦୦ ଓ ୨୦୧୪ରେ ବିଧାୟକ ପ୍ରାର୍ଥୀ ଭାବେ ତଥା ୨୦୦୯ରେ ସାଂସଦ ପ୍ରାର୍ଥୀ ଭାବେ ପରାଜୟ ବରଣ କରିବା ତାଙ୍କୁ ସେତିକି ପଛକୁ ଟାଣିନେଉଥିଲା। ଅବଶ୍ୟ ମଝିମଝିରେ ବିପର୍ଯ୍ୟୟ ସତ୍ତ୍ବେ ଦାଦା ଯେ ନିଜକୁ ଉଭୟ ରାଜ୍ୟ ଓ ସ୍ଥାନୀୟ ରାଜନୀତିରେ ଦୀର୍ଘ ଚାରି ଦଶନ୍ଧି କାଳ ପ୍ରାସଙ୍ଗିକ ରଖିପାରିଥିଲେ, ସେଇଟା କିଛି କମ୍ କଥା ନୁହେଁ। ଭିନ୍ନ ପ୍ରକାର ଗୋଟିଚାଳନା କରି ଶାସନ ସହ ଜଡ଼ିତ ଥିଲେ ହୁଏତ ଜିଲ୍ଲାର ବିକାଶକୁ ନେଇ ତାଙ୍କ ପ୍ରଦର୍ଶନକୁ ଆକଳନ କରିବା ନେଇ ଏକ ସୁଯୋଗ ରହନ୍ତା! ତାଙ୍କ କ୍ୟାରିଅର୍‌ର ଅଧିକାଂଶ ସମୟ ବିରୋଧୀ ଶିବିରରେ ଗଲା।

ଜନ ପ୍ରତିନିଧିମାନଙ୍କୁ ନେଇ ସାଧାରଣରେ ଦୁଇପ୍ରକାର ଧାରଣା ଥାଏ। ଭୋଟ୍ ଦେଇକି ଜିତାଇଥିଲେ ବି କିଛି ପ୍ରତିନିଧିଙ୍କୁ ନେଇ ସଂପୃକ୍ତ ଅଞ୍ଚଳର ଲୋକେ ବାହାରେ ଉତ୍ସାହ ଦେଖାଇ ପାରନ୍ତିନି। ଆଉ କିଛି ପ୍ରତିନିଧିଙ୍କ ସାମାଜିକ-ରାଜନୈତିକ  ପ୍ରତିଷ୍ଠା ଓ ଭାବମୂର୍ତ୍ତି ଅଞ୍ଚଳବାସୀଙ୍କ ଓଜନ ବଢ଼ାଇବା ଭଳି ଲାଗେ। ରାଜ୍ୟର ସାଧାରଣ ଜନଜୀବନରେ ଦାଦାଙ୍କ ବେଶ କିଛି ଓଜନ ଥିଲା। ଯେଉଁ କେତେଜଣ ରାଜନେତାଙ୍କ ପ୍ରତିନିଧିତ୍ବ ବାଲେଶ୍ବର ଭଳି ଏକ ସଂସ୍କୃତି ସମ୍ପନ୍ନ ସ୍ଥାନର ମର୍ଯ୍ୟାଦା ଅନୁରୂପ ଥିଲା, ସେମାନଙ୍କ ମଧ୍ୟରେ ସ୍ବର୍ଗତ ଅରୁଣ ଦେ’ ଅନ୍ୟତମ। ସେହିଭଳି ଓଡ଼ିଶାର ବ୍ୟବସ୍ଥାପକ ଇତିହାସକୁ ଯେଉଁ କେତେଜଣ ଜନନେତା ଋଦ୍ଧିମନ୍ତ କରିଛନ୍ତି, ତାଙ୍କ ମଧ୍ୟରେ ବି ଅରୁଣ ଦେ’ ନିଶ୍ଚୟ ଆସିବେ।

ବାର୍ତ୍ତା ସମ୍ପାଦକ, ‘ସମ୍ବାଦ’

ସମ୍ବାଦ ଭବନ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର

ସମ୍ବନ୍ଧିତ ଖବର