ଇଟା ପୋଡ଼ିବା ପାଇଁ ପଦା ହେଉଛି ଜଙ୍ଗଲ, ତଳିଆ କର୍ମଚାରୀ ସାଜିଛନ୍ତି ହାତବାରିଶି; ଜଙ୍ଗଲ ବିଭାଗ ଜଳକା

ନୂଆଗାଁ : ନୂଆଗାଁ ଅଞ୍ଚଳରେ କାଠମାଫିଆ ଓ ଇଟା ବେପାରୀ ମାନେ ଜଙ୍ଗଲକୁ ଲୁଟି ରାତାରାତି ମାଲାମାଲ ହେଉଥିବା ବେଳେ ଜଙ୍ଗଲ ବିଭାଗ ଜଳକା ସାଜିବା ସମସ୍ତଙ୍କୁ ଚକିତ କରୁଛି। ଏଠାରେ କାଠମାଫିଆମାନେ ଯେଉଁ ହାରରେ ଗଛ କାଟି ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି ଇଟା ବେପାରୀମାନେ ମଧ୍ୟ ସେହି ହାରରେ ଜଙ୍ଗଲରୁ କାଠ ଲୁଟି ନିଜ ବ୍ୟବସାୟକୁ ବଢ଼ାଇ ସାରିଲେଣି।

ମିଳିଥିବା ସୂଚନା ଅନୁଯାୟୀ, ବନ ବିଭାଗ ଅଧୀନରେ ଥିବା ଉଜୁଡ଼ି ଯାଇଥିବା ଜଙ୍ଗଲ, ପଡ଼ିଆ ରହିଥିବା ଅଞ୍ଚଳରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସହ ପୁରାତନ ଏବଂ ନୂତନ ଜଙ୍ଗଲର ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥି ସହିତ ଜଙ୍ଗଲର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଅଧିକ କର୍ମଚାରୀ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଏବଂ ଅନୁଦାନ ମିଳୁଛି। ସରକାରଙ୍କର ଜଙ୍ଗଲ ସୁରକ୍ଷା ପାଇଁ ଚିନ୍ତା ଥିବା ବେଳେ ଏତେ ସବୁ ପରେ ବି ଜଙ୍ଗଲକୁ ସୁରକ୍ଷା ଦେବାରେ ମହିପୁର ବନ ବିଭାଗ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହେଉଛି। ମହିପୁର ବନ ବିଭାଗ ଅଧୀନରେ ଥିବା ଗାତେରୀ ବିଟ୍ ଅଞ୍ଚଳରୁ ବଡ଼ ବଡ଼ କାଠ ଜିଲ୍ଲା ବାହାରକୁ ଚାଲାଣ ହେଉଥିବା ବେଳେ ବହ୍ଲାଗୁଡ଼ିକୁ ଇଟା ଭାଟିରେ ବ୍ୟବହାର ପାଇଁ ଅଣାଯାଉଛି। ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ମାଟିଇଟା ଉପରେ ରୋକ୍‌ ଲଗାଇଛନ୍ତି। କିନ୍ତୁ କିଛି ଅସାଧୁ ବ୍ୟକ୍ତି କେତେଜଣ ପ୍ରଶାସନିକ ତଳିଆ କର୍ମଚାରୀଙ୍କୁ ହାତବାରିଶି କରି ଅସାଧୁ ଉପାୟରେ ଅଧିକ ରୋଜଗାର ଲକ୍ଷ୍ୟରେ ମାଟି-ଇଟା ବେପାରୀଙ୍କୁ ସହଯୋଗ କରୁଛନ୍ତି।

ଅନ୍ୟ ଏକ ଦିଗରେ ଦେଖିବାକୁ ଗଲେ ଖରାଦିନେ ଅସହ୍ୟ ତାତି ସାଙ୍ଗକୁ ଏହି ଇଟା ପୋଡ଼ିବା ଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ଲୋକମାନେ ନିଃଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହେଉଛି। ତେବେ ଗତ ୧୧ ତାରିଖରେ ଜଙ୍ଗଲ ଲୁଟ୍‌ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ବନ ବିଭାଗ ତତ୍ପରତା ଦେଖାଇ ଇଟା ଭାଟି ନିକଟରୁ କିଛି ବହ୍ଲା ଜବତ କରି ଚୁପ୍‌ ବସିଯାଇଛି। ହେଲେ ଇଟା ବେପାରୀଙ୍କ ଜଙ୍ଗଲ ଲୁଟ୍‌ କମିବାର ନାଁ ଧରୁନାହିଁ। ଏ ବିଷୟରେ ପ୍ରଶାସନିକ ଅଧିକାରୀ ଅବଗତ ଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେବାକୁ କାହିଁକି ଡରୁଛନ୍ତି ତାହା ଜଣାପଡ଼ୁନାହିଁ। ତେବେ ଏନେଇ ମହିପୁର ବନପାଳ ବବୁଲ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆମର ବନରକ୍ଷୀ ସେଠାରୁ କିଛି ବହ୍ଲା ଜବତ କରିଥିବା ବେଳେ ଇଟା ବେପାରୀଙ୍କର ଦେଖା ପାଇପାରି ନଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଜଣେ ସାଧାରଣ ଲୋକ ଇଟା ବେପାରୀଙ୍କୁ ଭେଟି ପାରୁଥିବା ବେଳେ ବିଭାଗୀୟ ଅଧିକାରୀମାନେ କିଭଳି ସେମାନଙ୍କ ଭେଟ ପାଇପାରୁନାହାନ୍ତି? ଜଙ୍ଗଲ ଲୁଟ୍‌ ଓ ପରିବେଶ ପ୍ରଦୂଷଣ ରୋକିବାରେ ପ୍ରଶାସନ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର