ଜୟପୁର: କୋରାପୁଟର ଜଳବାୟୁ ପାଇଁ ବିପଦ ଆଣୁଛି ପୋଡ଼ୁଚାଷ। ଅଙ୍ଗାର ବିକ୍ରି ସହ ଜଙ୍ଗଲ ଜମି ପଟ୍ଟା ହା‌ତେଇବାକୁ କଟା ଚାଲିଛି ଜଙ୍ଗଲ। ବାହାରକୁ ସବୁଜ ବନାନୀ ଦେଖାଯାଉଥିବାବେଳେ ଭିତରୁ ଜଙ୍ଗଲ ପଦା ହୋଇଗଲାଣି। ଅନିୟମିତ ବର୍ଷା, ତାପମାତ୍ରା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଏହାର ଗୋଟିଏ ଗୋଟିଏ ପ୍ରମାଣ। ଜୟପୁର ନିର୍ବାଚନମଣ୍ଡଳୀର ବାୟାଗୁଡ଼ା‌ ଗ୍ରାମରେ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମତ ରଖିଛନ୍ତି ଅତିଥି ଓ ପରିବେଶବିତ୍‌ମାନେ। ସଭିଁଏ ଜଙ୍ଗଲ ହ୍ରାସ, ମୃତ୍ତିକା କ୍ଷୟ, ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାରକୁ ନେଇ ଚିନ୍ତା ପ୍ରକାଟ କରିଛନ୍ତି। ଆଲୋଚନା, ସଚେତନତା ବଦଳରେ ନିଜ ସ୍ତରରୁ ପରିବେଶ ସୁରକ୍ଷା ଆରମ୍ଭ କରିବାକୁ ମତ ପ୍ରକାଶ ପାଇଥିଲା।
ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ କହିଲେ, ପରିବେଶର ସୁରକ୍ଷା ପାଇଁ ଚର୍ଚ୍ଚା ଅଧିକା ହେଉଛି କିନ୍ତୁ ପଦକ୍ଷେପ ଶୂନ।

Advertisment

ଗଛ କଟା ଅଧିକା ହେଉଥିବା ବେଳେ ସେହି ପରିମାଣର ଲାଗିପାରୁନି। ନିଜେ ଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ କରିବା ଦିଗରେ ସମସ୍ତେ ଦାୟିତ୍ବବାନ ହୁଅନ୍ତୁ। ଔଷଧୀୟ ବୃକ୍ଷରୋପଣ ସହ ଫଳନ୍ତି ଗଛ ଲଗାଇଲେ ଆଗାମୀ ପିଢ଼ି ଉପକୃତ ହେବେ। ପୂର୍ବରୁ କୋରାପୁ‌ଟରେ ଯେଉଁ ପରିମାଣର ଜଙ୍ଗଲ ଥିଲା ଏବେ ଆଉ ନାହିଁ। ବନ ବିଭାଗ ମାଫିଆଙ୍କ ପ୍ରତି କୋହଳ ମନୋଭାବ ରଖୁଥିବାରୁ ଜଙ୍ଗଲ ହ୍ରାସ ହେଉଛି। ପ୍ରତିଦିନ ସହରକୁ ଶହ ଶହ ବସ୍ତା ଅଙ୍ଗାର ବିକ୍ରି ପାଇଁ ଆସୁଛି। ବନ ବିଭାଗ ଜାଣିଶୁଣି ପଦକ୍ଷେପ ନେଉନାହିଁ। ପରିବେଶ ସୁରକ୍ଷା ପାଇଁ ଏଣିକି ପ୍ରତିବର୍ଷ ୧ଲକ୍ଷ ଗଛ ଲଗାଇବା ସହ ଏହା ବାବଦକୁ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ବିଧାୟକ ଶପଥ ନେଇଥିଲେ।

ଜୟପୁର ଭାରପ୍ରାପ୍ତ ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ା କହିଲେ, ଜଙ୍ଗଲ ନଷ୍ଟ ପାଇଁ କେବଳ ବନ ବିଭାଗ ଦାୟୀ ନୁହେଁ; ଜନସାଧାରଣଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଲେ ୧୯୭୨ ମସିହାର ଆଇନରେ ପରିବର୍ତ୍ତନ ହେବା ଦରକାର। ସ୍ବେଚ୍ଛାସେବୀ ଅନୁଷ୍ଟାନ ସିୱାର ସଭାପତି ସୁଧାକର ପଟ୍ଟନାୟକ କହିଥିଲେ, ଜଙ୍ଗଲ ହ୍ରାସକୁ ରୋକିବା ସହିତ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଆବଶ୍ୟକ। ଏମ୍‌ଏସ୍ ସ୍ବାମୀନାଥନ୍ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଶାନ୍ତ ପରିଡ଼ା ନିଜ ବାଡ଼ିରୁ ପରିବେଶ ସୁରକ୍ଷାର ବାର୍ତ୍ତା ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଜୟପୁର ସହରରେ ତ୍ରୁଟିପୂର୍ଣ୍ଣ ଟାଉନ ପ୍ଲାନିଂ ବ୍ୟବସ୍ଥା ଯୋଗୁଁ ସାହି ଏବଂ ଘର ଆଗରେ ଗଛ ଲଗାଇବାକୁ ଜାଗା ଖଣ୍ଡିଏ ନାହିଁ ବୋଲି ଶ୍ରୀ ପରିଡ଼ା କହିଥିଲେ। ଯେଉଁ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ମା’ ବୋଲି ଲୋକେ ଭାବିବେ ନାହିଁ ସେ ପର୍ଯ୍ୟନ୍ତ ସୁରକ୍ଷା ଦେବା ମୁସ୍କିଲ୍ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।