ବନୀକରଣ ମହାଦୁର୍ନୀତି: ଓମବାଡସି, ଡିଏମ୍‌ଏଫ୍‌ ଅନୁଦାନରେ ବି ହରିଲୁଟ୍‌

ଆଠଗଡ଼, ଖୋର୍ଦ୍ଧା, ‌ରାଜକନିକା, ଭୁବନେଶ୍ବର ବି ଶ୍ରମିକ ସାଜିଛନ୍ତି

ଯାଜପୁର: ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ କଳା କାରବାର ଲୋକଲୋଚନକୁ ଆସିବା ପରେ ବନୀକରଣ ମହାଦୁର୍ନୀତିର ଗୁମର ଖୋଲୁଛି। କଟକ ଡିଏଫ୍‌ଓଙ୍କ ଅଧୀନରେ ଯାଜପୁର ଜିଲ୍ଲାର ଥିବା ୪ଟି ରେଞ୍ଜ ଡ‌ାଲିଯୋଡ଼ା(ବୈରୀ), ସୁକିନ୍ଦା, ଟମକା ଓ ଯାଜପୁରରୋଡ୍‌ରେ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଅନୁଦାନ ହେରାଫେରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଡାଲିଯୋଡ଼ା ରେଞ୍ଜ‌ରେ କାମ୍ପା ଅନୁଦାନର ବ୍ୟାପକ ହେରାଫେରି ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଅଧିକାରୀମାନେ ରାତିଦିନ ଏକ କରି ଗଛ ଲଗାଉଛନ୍ତି। ଏବେ ସୁକିନ୍ଦା, ଟମକା ଓ ଯାଜପୁରରୋଡ୍‌ ରେଞ୍ଜରେ କାମ୍ପା ସହିତ ଓମବାଡ଼ସି ଓ ଡିଏମଏଫର କୋଟିକୋଟି ଟଙ୍କା ଅନୁଦାନ ହରିଲୁଟ୍ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଗତ ୩ବର୍ଷ ମଧ୍ୟରେ ଓମବାଡସି ଓ ଡିଏମଏଫ ଅନୁଦାନ ଅର୍ଥରେ ହୋଇଥିବା ବନୀକରଣରେ ବ୍ୟାପକ ଜାଲିଆତି କରାଯାଇ ଅସାଧୁମେଣ୍ଟ କୋଟିକୋଟି ଟଙ୍କା ହାତେଇ ନେଇଛନ୍ତି। ଏହି କେଳେଙ୍କାରୀ‌ରେ କେନ୍ଦ୍ରାପଡ଼ାର ରାଜକନିକା, ଖୋର୍ଦ୍ଧା, କଟକର ଆଠଗଡ଼, ଭୁବନେଶ୍ବର ପ୍ରଭୃତି ଅଞ୍ଚଳର ଶ୍ରମିକଙ୍କ ନାମରେ ବ୍ୟାପକ ଜାଲିଆତି କରାଯାଇଛି। ଏପରିକି ଆଠଗଡ଼ର ଟ୍ୟାଙ୍କର ଜରିଆରେ ଟମକାରେ ଲାଗିଥିବା ଗଛରେ ପାଣି ଦିଆଯାଇଥିବାର ତଥ୍ୟ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।

ଟମକା ଗଛରେ ପାଣି ଢାଳୁଛି ଆଠଗଡ଼ ଟ୍ୟାଙ୍କର୍‌

ସୂଚନା ଅଧିକାର ବଳରେ ମିଳିଥିବା ସରକାରୀ ତଥ୍ୟ ମୁତାବକ , ଓମବାଡ଼ସି ଅନୁଦାନରୁ ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ୫କୋଟି ୯୩ଲକ୍ଷ ୨ହଜାର ୯୪୦ଟଙ୍କା ବନୀକରଣରେ ବ୍ୟାପକ ଜାଲିଆତି କରାଯାଇଛି। ସେହିପରି ୨୦୧୮-୧୯ ରୁ ଚଳିତ ବର୍ଷ ସୁଦ୍ଧା ଡିଏମଏଫ୍ ଅନୁଦାନ ୧୩ କୋଟି ୩୭ଲକ୍ଷ ୬୩ହଜାର ୮୮ଟଙ୍କା ବ୍ୟୟ କରାଯାଇଛି। ବନୀକରଣ, ନର୍ସରି ବାବଦରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିବାର ଦର୍ଶାଯାଇଛି। ବାଡ଼ବନ୍ଦୀ, ଚାରା ଉତ୍ପାଦ, ଘାସ ସଫେଇ, ଜଳ ଯୋଗାଣ, ପଲିଥିନ୍ ବ୍ୟାଗ୍, ସାର, କୀଟନାଶକ, ମଞ୍ଜି, ବାଉଁଶ, ରଶି, ଅସ୍ଥାୟୀ ଗୃହ, ଶ୍ରମିକ ମଜୁରି, ଫିସିଂ ନେଟ୍, ତାରବାଡ଼ ବାବଦରେ ବ୍ୟାପକ ଅର୍ଥ ବ୍ୟୟ କରାଯାଇଥିବାର ଜାଲ୍‌ କାଗଜପତ୍ର କରାଯାଇଛି। ବିଶେଷକରି ଶ୍ରମିକ ମଜୁରି ବାବଦରେ ବଡ଼‌ ଘୋଟାଲା ଚର୍ଚ୍ଚାକୁ ଆସିଛି। ଏହି କାରବାରରେ ସ୍ଥାନୀୟ ଶ୍ରମିକମାନଙ୍କୁ କାମରେ ନଲଗାଇ ସୁଦୂର ଖୋର୍ଦ୍ଧା, କଟକର ଆଠଗଡ଼, କେନ୍ଦ୍ରାପଡ଼ାର ରାଜକନିକା, ଭୁବନେଶ୍ବର ଅଞ୍ଚଳର ଶ୍ରମିକମାନଙ୍କ ଜରିଆରେ କାମ କରାଯାଇଥିବାର ଦର୍ଶାଯାଇଛି। ଏପରିକି ଆଠଗଡ଼ର ଟ୍ୟାଙ୍କର ମାଲିକଙ୍କ ଗାଡ଼ି‌ରେ ଗଛ ମୂଳରେ ପାଣି ଦିଆଯାଇଥିବାର ବିଲ୍ କରାଯାଇଛି। ଯାହାର ସବିଶେଷ ତଥ୍ୟ ଭାଉଚରରେ ନାହିଁ। ସେପରି ବାଡ଼ବନ୍ଦୀ ପାଇଁ ସିମେଣ୍ଟ ଖୁଣ୍ଟ ବାବଦରେ ସମ୍ପୃକ୍ତ ଅଧିକାରୀ ମନଇଚ୍ଛା ଲକ୍ଷଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହି ବାବଦରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ନାମରେ ଜାଲ ଭାଉଚର କରି ଅନୁଦାନ ହଡ଼ପ କରିଛନ୍ତି। ବିଭିନ୍ନ ସାମଗ୍ରୀ କିଣାବିକାରେ କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ କରାଯାଇଥିବା ବେଳେ ଟେଣ୍ଡର କରାଯାଇ ନାହିଁ। ସିମେଣ୍ଟ ଖୁଣ୍ଟ ୨୭୦ ଟଙ୍କାରୁ ଆରମ୍ଭ କରି ୫୦୮ଟଙ୍କା ପର୍ଯ୍ୟନ୍ତ କିଣା ଯାଇଛି। ଯାହାର କିଣା ମୂଲ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ। ସରକାରଙ୍କର କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ କରାଯାଇଥିବା ବେଳେ କୌଣସି ନୀତିନିୟମକୁ ଅନୁସରଣ କରାଯାଇନାହିଁ। ଏପରିକି ଅଧିକାରୀ ନିଜ ଘର କଟକ ଆଠଗଡ଼ ଅଞ୍ଚଳର ଟ୍ରାକ୍ଟର ନାମରେ ବିଲ୍ କରିଛନ୍ତି। ବିନା ଟେଣ୍ଡରରେ କିପରି କୋଟିକୋଟି ଟଙ୍କାର କାମ ଓ କିଣାବିକା ହୋଇଛି? ସେ ନେଇ ବୁଦ୍ଧିଜୀବୀ ଅମଳେନ୍ଦୁ ବେହୁରା ବିସ୍ମୟ ପ୍ରକାଶ କରିବା ସହିତ ତଦନ୍ତ ଦାବି କରିଛନ୍ତି। ଯାଜପୁର ଜିଲ୍ଲାର ବହୁ କୋଟି ଟଙ୍କାର ବନୀକରଣ କେଳେଙ୍କାରୀ ଭିଜିଲାନ୍‌ସ ତଦନ୍ତ କଲେ ଅସାଧୁମେଣ୍ଟର ପର୍ଦ୍ଦାଫାସ ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର