ପତିତ ଜଙ୍ଗଲ ଜମିରେ ହେବ ବନୀକରଣ

୨୬,୫୦୦ ଏକର ଜମିରେ ହେବ, ସମୟସୀମା ମଧ୍ୟରେ ସ୍କୁଲ୍, କଲେଜକୁ ମିଳିବ ଜମି ପଟ୍ଟା

ଭୁବନେଶ୍ବର : ୨୬,୫୦୦ ଏକର ପତିତ ଜଙ୍ଗଲ ଜମିରେ ନୂଆ ବନୀକରଣ ହେବ। ରାଜସ୍ବ ବିଭାଗ ପକ୍ଷରୁ ଗତ ଏକ ମାସ ମଧ୍ୟରେ ଏହି ଜମି ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି। ସରକାରଙ୍କ ଏହି ପ୍ରୟାସ ଦ୍ବାରା ଭବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସନ୍ତୁଳନ ଦିଗରେ ଏହା ସହାୟକ ହୋଇପାରିବ। ଅନ୍ୟ ପକ୍ଷରେ ଏହା ଦ୍ବାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ଭରଣା ହୋଇପାରୁ ନ ଥିବାରୁ ସରକାରୀ ପ୍ରକଳ୍ପଗୁଡ଼ିକ ସହଜରେ ସମ୍ପୂର୍ଣ୍ଣ ହୋଇପାରିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।

ସ୍କୁଲ ଓ କଲେଜଗୁଡ଼ିକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଯୁକ୍ତ ଦୁଇ ଓ ଡିଗ୍ରି କଲେଜର ଅଧ୍ୟକ୍ଷ, ତହସିଲଦାର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯାଇ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି କମିଟି ଜମିଜମା ସମସ୍ୟାକୁ ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଇବେ। ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହିସବୁ ଅନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯିବ। ଏହି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀମାନେ ଯୋଗଦେଇଥିଲେ।

ରେଳପଥ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ପରି ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡ଼ିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି ରୋକିବା ସହ ଲଘୁ ଖଣିଜ ଉତ୍ସଗୁଡ଼ିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ବୈଠକ କରି ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।

ସମ୍ବନ୍ଧିତ ଖବର