ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଲାଗି ସରକାରଙ୍କ ଅନାଗ୍ରହ : ବନ୍ଦ ହେବ ଡିଗ୍ରି କଲେଜ ବିଏଡ୍‌

ଯୁକ୍ତ୩ ମହାବିଦ୍ୟାଳୟରେ ବିଲୀନ ହେବ ବିଏଡ୍‌ କଲେଜ
ଡିଗ୍ରି କଲେଜ ବିଏଡ୍‌ରେ ନାମଲେଖା ହେବନି
ଜୁନ୍‌ରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ ବିଏଡ୍‌ କଲେଜ

ଭୁବନେଶ୍ୱର : ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନ(ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ)ରେ ଚାଲିଥିବା ବିଏଡ୍‌ ପାଠ୍ୟକ୍ରମ ବନ୍ଦ ହେବ। ତିନି ବର୍ଷ ତଳେ ସେଲ୍ଫ ଫାଇନା‌ନ୍ସିଂ ମୋଡ୍‌ରେ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପାଠ୍ୟକ୍ରମ ବନ୍ଦ ସହ ଚଳିତ ଶିକ୍ଷାବର୍ଷରେ ନାମଲେଖା ବନ୍ଦ ହୋଇଥିବା ୧୫ଟି ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନକୁ ସମ୍ପୃକ୍ତ ଡିଗ୍ରି କଲେଜ ସହ ମିଶ୍ରଣ କରାଯିବ। ଫଳସ୍ବରୂପ ଶିକ୍ଷକ ଶିକ୍ଷା ପାଇଁ ପ୍ରତିଷ୍ଠା ହୋଇଥିବା ୧୫ଟି ପୁରାତନ ଶିକ୍ଷାନୁଷ୍ଠାନ ଏବେ ନିଜର ସତ୍ତା ହରାଇବେ।

ଉଦାହରଣ ସ୍ବରୂପ ଭୁବନେଶ୍ବରର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଏବେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମ ଚାଲିଛି। ୨୦୨୦-୨୧ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମରେ ଆଉ ନାମଲେଖା ହେବ ନାହିଁ। ଚଳିତ ଶିକ୍ଷାବର୍ଷରେ ନାମଲେଖା ବନ୍ଦ ହୋଇଥିବା ନଳିନୀ ଦେବୀ ମହିଳା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ୨୦୨୧-୨୨ ଶିକ୍ଷାବର୍ଷରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଅଧୀନକୁ ଚାଲିଯିବ। ତେବେ ନଳିନୀ ଦେବୀ କଲେଜରେ ବିଏଡ୍‌ ପାଠ୍ୟକ୍ରମ ଚାଲିବ। ହେଲେ କଲେଜ ନାଁ ବଦଳିବ। ଏହା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ(ନଳିନୀ ଦେବୀ କ୍ୟାମ୍ପସ) ନାମରେ ନାମିତ ହେବ। ସେହିପରି ଅନ୍ୟାନ୍ୟ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିକଟସ୍ଥ ସେଲ୍ଫ ଫାଇନାନ୍ସିଂ ବିଏଡ୍‌ ଡିଗ୍ରି କଲେଜ ସହ ମିଶ୍ରଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୨୧ ଜୁନ୍‌ ମାସଠାରୁ ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ ଏବଂ ୨୦୨୧-୨୨ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ। ଶିକ୍ଷକ ଶିକ୍ଷାନୁଷ୍ଠାନର ସମସ୍ତ ସାମଗ୍ରୀ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଓଇଏସ୍‌(ସିବି) କ୍ୟାଡରର ଏଠାକାର ସମସ୍ତ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗରୁ ଉଚ୍ଚଶିକ୍ଷା ବିଭାଗକୁ ନିଆଯିବ। ଅନ୍ୟାନ୍ୟ ଶିକ୍ଷକ ଯଥା ଆର୍ଟ ଶିକ୍ଷା ଇନ୍‌ଷ୍ଟ୍ରକଟର, ଫିଜିକାଲ ଏଜୁକେସନ ଇନ୍‌ଷ୍ଟ୍ରକଟର, କ୍ରାଫ୍ଟ ଟିଚର, ଟ୍ରେଲରିଂ ଇନ୍‌ଷ୍ଟ୍ରକଟର, କମ୍ପ୍ୟୁଟର ଇନ୍‌ଷ୍ଟ୍ରକଟରମାନେ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବେ। ଯେପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ ନ ହୋଇଛନ୍ତି ସେପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତ ହୋଇଥିବା କର୍ମଚାରୀ କାର୍ଯ୍ୟ ଜାରି ରଖିବେ। ଉକ୍ତ ୧୫ଟି ଶିକ୍ଷାନୁଷ୍ଠାନ ଚାଲିବା ଲାଗି ୨୦୨୧-୨୨ ଶିକ୍ଷାବର୍ଷ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ହେବ।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବିରୋଧର ସ୍ବର ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସିଟ୍‌ ଅଭାବ ଯୋଗୁଁ ବିଏଡ୍‌ ଶିକ୍ଷା ଲାଗି ପ୍ରତିବର୍ଷ ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯାଉଥିବା ବେଳେ ଅନ୍ୟପଟେ ଭିତ୍ତିଭୂମି ନ ସଜାଡ଼ି ଶିକ୍ଷାନୁଷ୍ଠାନ ବନ୍ଦ କରିବା ପଛରେ କ’ଣ ଷଡ଼୍‌ଯନ୍ତ୍ର ରହିଛି ତାହାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୨ଟି କଲେଜର ୫୦ଟି ଲେଖାଏଁ ସିଟ୍‌ ସମେତ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କେତେକ ଶିକ୍ଷାନୁଷ୍ଠାନକୁ ମିଶାଇ ମୋଟ ଦୁଇ ହଜାର ବିଏଡ୍‌ ସିଟ୍‌ରେ ଏଥର ନାମଲେଖା ହେଉଛି। ୧୫ଟି ଶିକ୍ଷକ ଶିକ୍ଷାନୁଷ୍ଠାନରେ ଏବର୍ଷ ନାମଲେଖା ବନ୍ଦ ହେବା ଫଳରେ ୧୩୦୦ ସିଟ୍‌ କମିଛି। ନ ହେଲେ ଗତ ଦୁଇ ବର୍ଷ ହେଲା ରାଜ୍ୟର ୩୩୦୦ ଛାତ୍ରଛାତ୍ରୀ ବିଏଡ୍‌ ଶିକ୍ଷା କରିପାରୁଥିଲେ। ଏବେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଦୁର୍ଭାଗ୍ୟଜନକ। ସେଲ୍ଫ ଫାଇନାନ୍ସିଂ ବିଏଡ୍‌ ବନ୍ଦ କରିବା ପରିବର୍ତେ ପୂର୍ବଭଳି ଦୁଇଟି ଯାକ ଶିକ୍ଷାନୁଷ୍ଠାନରେ ବିଏଡ୍‌ ପାଠ୍ୟକ୍ରମ ଚାଲୁରଖନ୍ତୁ।

ସୂଚନାଯୋଗ୍ୟ ଯେ ଭିତ୍ତିଭୂମି ଅଭାବରୁ ଚଳିତ ଶିକ୍ଷାବର୍ଷରେ ରାଜ୍ୟର ୧୫ଟି ବିଏଡ୍‌ କଲେଜରେ ନାମଲେଖା ବନ୍ଦ ହୋଇଛି। ଯାହାକୁ ନେଇ ସାରା ରାଜ୍ୟରେ ବିରୋଧର ସ୍ବର ଶୁଣିବାକୁ ମିଳିଛି। ବହୁ ପୁରାତନ ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମଲେଖା ବନ୍ଦ ପରେ ପ୍ରବଳ ବିରୋଧ ହେବାରୁ ରାଜ୍ୟ ସରକାର ନିଷ୍ପତ୍ତିରେ କେତେକ ପରିବର୍ତନ ଆଣିଥିଲେ। ଶିକ୍ଷକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗଣଶିକ୍ଷା ବିଭାଗ ଅଧୀନରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଅଣିବାକୁ ସ୍ଥିର ହୋଇଥିଲା। ଏକାଧିକ ବୈଠକ ବସି ମାନସମନ୍ଥନ ହେବା ପରେ ଗୋଟିଏ ଶିକ୍ଷାନୁଷ୍ଠାନର ପୁନରୁଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର