ସାତକୋଶିଆରେ ଡେରାଡୁନ୍‌, ଜବଲପୁର ଟିମ୍‌ : ‘ସୁନ୍ଦରୀ’କୁ ଧରିବେ

ଖୋଜା ପଡ଼ିଛି ସୁରକ୍ଷିତ ଜାଗା,ବାଘୁଣୀର ଅପରାଧିକ ତଦନ୍ତ କରୁଛି ସିବି, ସିଆଇଡି, ଲୋକଙ୍କୁ ଯୋଡ଼ିବାକୁ ସ୍ୱତନ୍ତ୍ର ପ୍ୟାକେଜ୍‌

ଅନୁଗୁଳ : କଣ୍ଟ ମୁତାବକ ଆଜି ସାତକୋଶିଆରେ ପହଞ୍ଚିଛନ୍ତି ଡେରାଡୁନ୍‌ ଓ ଜବଲପୁରର ଦୁଇଟି ପୃଥକ୍‌ ପୃଥକ୍‌ ଟିମ୍‌। ଡେରାଡୁନ ସ୍ଥିତ ଓ୍ଵାଇଲ୍‌ଡ଼ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଟିମ୍‌ ବାଘୁଣୀ ‘ସୁନ୍ଦରୀ’ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଜବଲପୁର ଟିମ୍‌ ‘ସୁନ୍ଦରୀ’ର ଅପରାଧ ଅଭିଯୋଗର ତଦନ୍ତ ପାଇଁ ଆସିଛି। ‘ସୁନ୍ଦରୀ’କୁ ଅପରାଧୀ ଆଖ୍ୟା ଦେବା ପୂର୍ବରୁ ପ୍ରମାଣ ଯୋଗାଡ଼ ପାଇଁ ଜବଲପୁର ସ୍ଥିତ ଡବ୍ଲ୍ୟୁସିସିବି (ଓ୍ଵାଇଲ୍‌ଡ଼ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ)ର ସିବି ସିଆଇଡି, ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିକେସନ୍‌ ଟିମ୍‌) ଆଜି ସକାଳୁ ଜଙ୍ଗଲକୁ ଯାଇଛନ୍ତି। ଲୋକମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା ଆରମ୍ଭ କରିଛନ୍ତି।

ବାଘୁଣୀ ‘ସୁନ୍ଦରୀ’ର ଗତିବିଧି ଦେଖିବା ପାଇଁ ଓ୍ଵାଇଲ୍‌ଡ଼ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡ. ରମେଶଙ୍କ ନେତୃତ୍ୱରେ ଦ୍ୱିତୀୟ ଟିମ୍‌ ସାତକୋଶିଆକୁ ଯାଇଛି। ବାଘୁଣୀ ଜନ ବସତିକୁ କାହିଁକି ମୁହାଁଉଛି? କେତେବେଳେ ନିଜର ଉଗ୍ରରୂପ ଦେଖାଉଛି? ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛନ୍ତି। ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଆପାତତଃ ଏକ ପ୍ରକାର ନିଷ୍ପତ୍ତି ହୋଇଛି। କିନ୍ତୁ କେଉଁଠାରେ ‘ସୁନ୍ଦରୀ’କୁ ଧରାଯିବ, ଟ୍ରାଙ୍କୁଲାଇଜ ପାଇଁ ଉପଯୁକ୍ତ ଜାଗା କେଉଁଠି ଡବ୍ଲୁଆଇଆଇ ଟିମ୍‌ ଏହାର ସ୍ଥାନ ନିରୂପଣ କରିବ ବୋଲି ବନ ବିଭାଗ ପ୍ରେସ୍‌ ବିବୃତ୍ତିରେ ସ୍ପଷ୍ଟ କରିଛି। ଟ୍ରାଙ୍କୁଲାଇଜ୍‌ ପରେ ‘ସୁନ୍ଦରୀ’କୁ କ’ଣ କରାଯିବ ତାହା ଉପରେ କିଛି ଠୋସ୍‌ ନିଷ୍ପତ୍ତି ହୋଇନାହିଁ। ଏହା ବାଦ୍‌ ଟିକରପଡ଼ାରେ ହୋଇଥିବା ପୋଡ଼ାଜଳାର କ୍ଷୟକ୍ଷତି ଆକଳନ ପାଇଁ ତୃତୀୟ ଟିମ୍‌ ସାତକୋଶିଆ ଯାଇଥିବା ଜଣାପଡ଼ିଛି।

ସାତକୋଶିଆ ଅଧିବାସୀଙ୍କ ସହ ବନ ବିଭାଗର ସମନ୍ଵୟର ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ଏସ୍‌ପି ଓ ଜିଲ୍ଲାପାଳଙ୍କ ସହିତ ବନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସାତକୋଶିଆବାସୀଙ୍କୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ଯୋଡ଼ିବା ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ସେଥିପାଇଁ ସରକାରଙ୍କଠାରୁ ସ୍ୱତନ୍ତ୍ର ଅନୁଦାନ ଅଣାଯିବ ବୋଲି ସାତକୋଶିଆ କର୍ତୃପକ୍ଷ ଆଜି ସନ୍ଧ୍ୟାରେ ଏକ ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର