କାଶୀପୁର, ଟିକିରି ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ; ଝାଡ଼ାବାନ୍ତି ମୁକାବିଲା‌ ହେବ କେମିତି?

ରାୟଗଡ଼ା: କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ସୁପରିଟେଣ୍ଡଣ୍ଟ୍। ମେଡ଼ିସିନ୍, ସ୍ତ୍ରୀ ଓ ପ୍ରସୂତୀ, ସର୍ଜରୀ ବିଭାଗ ଡାକ୍ତର ପଦବି ମଧ୍ୟ ଖାଲି। ଅନ୍ୟ ୫ ସର୍ଜନଙ୍କ ମଧ୍ୟରୁ ୨ ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ଅଛନ୍ତି। ବ୍ଲକ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତଦାରଖ ଏବଂ ପରିଚାଳନା ଅଧିକାରୀ ମଧ୍ୟ ନାହାନ୍ତି। ଅନୁମୋଦିତ ୧୭ ଡାକ୍ତର ପଦବି ମଧ୍ୟରୁ ୯ ପଦବି ଖାଲି ପଡିଥିବାରୁ ମହାମାରୀ ଇଲାକା କାଶୀପୁରରେ ଝାଡ଼ାବାନ୍ତି ମୁକାବିଲା ସହ ଲୋକଙ୍କୁ କିପରି ସ୍ବାସ୍ଥ୍ୟସେବା ମିଳିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ?

କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି ୬ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। କିନ୍ତୁ ସୁଙ୍ଗେର, ଡଙ୍ଗାସିଲ୍ ପିଏଚସିକୁ ଛାଡ଼ିଲେ ଅନ୍ୟ ସବୁଠି ଫାର୍ମାସିଷ୍ଟ୍ ଭରସାରେ ଚାଲିଛି ହସପିଟାଲ୍। କୁଚେଇପଦର, ଗୋରଖପୁର, ଟିକିରି ପିଏଚସିରେ କେହି ଡାକ୍ତର ନଥିବା ବେଳେ ମାଣ୍ଡିବିଶି ପିଏଚସିରେ ଥିବା ଡାକ୍ତର ନେତ୍ରାନନ୍ଦ ନାୟକଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଭାବେ ଡେପୁଟେସନରେ ପଠାଯାଇଛି। ଖାଲି ପଡିଥିବା ୪ ପିଏଚସିରେ ଡାକ୍ତର ନିଯୁକ୍ତି ପାଇଁ ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କିନ୍ତୁ ଏହି ସବୁ ପିଏଚସିକୁ ଯେଉଁ ଡାକ୍ତରଙ୍କୁ ବି ବିଭାଗ ନିଯୁକ୍ତି ଦେଉଛି ସେଠାରେ ରହିବାକୁ କେହି ପ୍ରସ୍ତୁତ ହେଉନାହାନ୍ତି। ଗତ କିଛି ଦିନ ତଳେ ବିଭାଗ ପକ୍ଷରୁ ୨ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ଉଭୟେ ଛୁଟିରେ ଅଛନ୍ତି। ଫଳରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ଦେଇ ବିଭାଗ କାମ ଚଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନି।

କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଟିକିରି ପିଏଚସି ଉପରେ ସର୍ବାଧିକ ଲୋକ ରୋଗୀ ସେବା ପାଇଁ ନିର୍ଭର କରୁଛନ୍ତି। ଟିକିରି ସମେତ ବାଙ୍କାମ୍ବ, ପୋଡାପାଡି, ନାକଟିଗୁଡା, ଶଙ୍କରଡ଼ା, ସିରିପାଇ, ଗୋଡିବାଲି ପଞ୍ଚାୟତର ୪୦ ହଜାରରୁ ଉର୍ଧ୍ବ ଲୋକ ଟିକିରି ମେଡ଼ିକାଲକୁ ଆସୁଥିଲେ ମଧ୍ୟ ଗତ ୧ ବର୍ଷ ହେଲା ଡାକ୍ତର ନଥିବାରୁ ହୋମିଓପାଥିକ ଡାକ୍ତର ଏବଂ ଫାର୍ମାସିଷ୍ଟ୍ ରୋଗୀ ସେବା ଯୋଗଇ ଆସୁଛନ୍ତି। ଗତ ସପ୍ତାହେ ହେଲା ଟିକିରି ଝୋଡ଼ିଆ ସାହି ସମେତ ଦୁଡୁକାବାହଲରେ ଝାଡ଼ାବାନ୍ତି ବ୍ୟାପି ୫ ଜଣଙ୍କ ମୃତ୍ୟୁ ହେବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ଚାପରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ରାତି ଅଧିଆ ୨ ଡାକ୍ତରଙ୍କୁ ଡେପୁଟେସନରେ ଟିକିରି ମେଡ଼ିକାଲକୁ ପଠାଇଛନ୍ତି। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ପାର୍ଥ ସାରଥୀ ବେହେରା ଆସନ୍ତାକାଲି ଟିକିରି ମେଡ଼ିକାଲରେ ଯୋଗଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦେଶ ଦେଇଛନ୍ତି। ସେହିପରି ମୁନିଗୁଡ଼ା, କୋଲନରା, ଜଗନ୍ନାଥପୁର, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଲେଖାଁଏ ଡାକ୍ତରଙ୍କୁ ଟିକିରି ମେଡ଼ିକାଲରେ  ସପ୍ତାହେ ଧରି ରୋଗୀ ସେବା ଯୋଗାଇବାକୁ ନିର୍ଦେଶ ହୋଇଛି। ଏହି ୪ ଡାକ୍ତର ପାଳି କରି ଆସନ୍ତା ୧ ମାସ ପର୍ଯ୍ୟନ୍ତ ଟିକିରିରେ ରହିବେ।

ସମ୍ବନ୍ଧିତ ଖବର