ଡେଲାଙ୍ଗ: ଶନିବାର ବିଳମ୍ବିତ ରାତ୍ରୀରୁ କଣାସ ରେଳବାଇ ଷ୍ଟେସନ ପ୍ଲାଟ୍‌ଫର୍ମରେ ଜଣେ ଯୁବକଙ୍କର ଖଣ୍ଡବିଖଣ୍ଡିତ ଶବ ସକାଳ ଯାଏଁ ପଡ଼ି ରହିଥିବା ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରେଳ ରୋକ କରିଥିଲେ।

Advertisment

ଶବଟି ହେଉଛି ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ୨୭ ବର୍ଷିୟ ଧୀରେନ କୁମାର ରାଉତରାୟଙ୍କର। ଏ ସଂକ୍ରାନ୍ତରେ ଷ୍ଟେସନ୍‌ ମାଷ୍ଟର ଜିଆର୍‌ପିକୁ କୌଣସି ସୂଚନା ଦେଇ ନ ଥିଲେ ବୋଲି କୁହାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ କଥା ଷ୍ଟେସନ୍‌ ମାଷ୍ଟରଙ୍କୁ ଜଣାଇବା ସତ୍ତ୍ୱେ ସେ କୌଣସି ଗୁରୁତ୍ୱ ଦେଇ ନ ଥିଲେ।
ଶବଟିକୁ କୁକୁର ଓ କୁଆ ଖାଉଥିବା ଦେଖି ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜିତ ହୋଇପଡ଼ିଥିଲେ। ବହୁ ସଂଖ୍ୟକ ଲୋକେ ସେତେବେଳେ ଆସୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଟ୍ରେନ୍‌କୁ ଲେବେଲ୍‌ କ୍ରସିଂ ଠାରେ ଅଟକାଇଥିଲେ।

ଫଳରେ ଟ୍ରେନ୍‌ଟି ସକାଳ ୯ଟାରୁ ୧୦: ୩୦ ଯାଏଁ ଅଟକି ରହିବାରୁ ସେ ଧାରଣାରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ଟ୍ରେନ୍‌ ଲେବଲ୍‌ କ୍ରସିଂ ଉପରେ ଅଟକି ଯାଇଥିବାରୁ ଡେଲାଙ୍ଗ-କଣାସ ସଡ଼କ ପଥରେ ବି ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା।

ଖବର ପାଇ ରେଳ ବିଭାଗ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏସ୍‌ କେ ବାହିନୀପତି ସଦଳ ବଳେ ଘଟନାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବାରୁ ରେଳପଥ ଅବରୋଧ ହଟିଥିଲା।

ମୃତ ଯୁବକ ଗତ ରାତିରେ ଅନ୍ୟ କେତେକ ଯୁବକଙ୍କ ସମେତ ଉକ୍ତ ଷ୍ଟେସନ୍‌ ମାଷ୍ଟରଙ୍କ ଭୋଜିଭାତ କରି ଖାଇବା ସହ ମଦ୍ୟପାନ କରିଥିଲେ ବୋଲି କେତେକ କହୁଛନ୍ତି।
ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟନାର ତଦନ୍ତ ଆରମ୍ଭ କରିଛି।