ପୁରୀ : ରଥଯାତ୍ରା ବିଶୃଙ୍ଖଳାରେ ଆଜି ପର୍ଯ୍ୟନ୍ତ ବି ରୋକ୍ ଲାଗି ପାରୁନି। ଗତକାଲି ପୁନର୍ବାର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ଦେଖାଦେଇଛି। ଦଇତାପତି-ଦତ୍ତ ମହାପାତ୍ର ବିବାଦ କାରଣରୁ ଗତକାଲି ରାତି ୮ଟାରୁ ଆରମ୍ଭ ହେବାକୁ ଥିବା ବନକଲାଗି ନୀତି ରାତି ପ୍ରାୟ ୧୧ଟାରେ ଆରମ୍ଭ ହୋଇଛି। ସେହି ଅନୁସାରେ ବନକଲାଗି ନୀତି ବିଳମ୍ବ ହେବାରୁ ଗତକାଲି ବିନା ରାତ୍ର ପହୁଡ଼ରେ ଆଜିର ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି। ଗତକାଲିର ସନ୍ଧ୍ୟା ଆଳତି ଆଜି ସକାଳ ସାଢ଼େ ୬ରେ ସଂପନ୍ନ ହୋଇଛି।
ମିଳିଥିବା ସୂଚନା ମୁତାବକ, ଗତ ୨୨ ତାରିଖରେ ରାତ୍ର ପହୁଡ଼ ଭୋର ପ୍ରାୟ ୪ଟା ୪୫ରେ ହୋଇଥିଲା। କିନ୍ତୁ ଦ୍ବାରଫିଟା ନୀତି ସାଢ଼େ ୬ଟା ବେଳକୁ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଭଳି ଗତକାଲି ଦିନତମାମ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦ୍ବିତୀୟ ଭୋଗମଣ୍ଡପ ପରେ ପରେ ଅର୍ଥାତ୍ ରାତି ପ୍ରାୟ ୭ଟା ୧୫ରୁ ସର୍ବସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ପ୍ରତିବର୍ଷ ଦ୍ବିତୀୟ ଭୋଗମଣ୍ଡପ ପରେ ପରେ ବନକଲାଗି ନୀତି ଆରମ୍ଭ ହୋଇଥାଏ। କିନ୍ତୁ ଦର୍ଶନ ବନ୍ଦ ପରେ ବି ଦଇତାପତିମାନେ ସେମାନଙ୍କ ପରିଚିତ ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇ ଦର୍ଶନ କରାଇଥିଲେ। ଦତ୍ତ ମହାପାତ୍ର ସେବକମାନେ ଦର୍ଶନ ବନ୍ଦ କରିବାକୁ କହିଥିଲେ ବି କେହି ଶୁଣିନଥିଲେ। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ବିରକ୍ତି ଭାବ ପ୍ରକାଶ କରି ଦତ୍ତ ମହାପାତ୍ର ସେବକ ବନକ ପେଡ଼ିରେ ତାଲା ପକାଇ ପଳାଇଥିଲେ।
ବିବାଦ ଉଗ୍ରରୂପ ନେବା ପରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ପହଞ୍ଚି ଆପୋସ ବୁଝାସୁଝା କରିବାରୁ ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧୧ଟାରୁ ବନକଲାଗି ଆରମ୍ଭ ହୋଇଥିଲା। ବନକଲାଗି ପାଇଁ ଦତ୍ତ ସେବକ ପ୍ରବେଶ କରିଥିଲେ। ବନକଲାଗି ଦତ୍ତ ମହାପାତ୍ର ସେବକ ବାହାରିବା ବେଳକୁ ଭୋର ୪ଟା ୪୫ ହୋଇଯାଇଥିଲା। ଏଣୁ ଦତ୍ତ ମହାପାତ୍ର ସେବକ ବାହାରିବା ପରେ ମହାସ୍ନାନ ହୋଇ ଗତକାଲିର ପରବର୍ତ୍ତୀ ନୀତିକାନ୍ତି ଆରମ୍ଭ ହୋଇଥିଲା। ଆଜି ସକାଳ ସାଢ଼େ ୬ଟାରେ ସନ୍ଧ୍ୟା ଆଳତି ପରେ ଗତକାଲିର ନୀତିକାନ୍ତି ବନ୍ଦ ରଖି ଆଜି ସକାଳୁ ବିନା ପହୁଡ଼ରେ ସକାଳ ୭ଟା ୪୫ରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Gundicha-mandir-re-tini-ratha-2-2.jpg)