ଭୁବନେଶ୍ବର: ଆଗାମୀ ଦିନରେ ରାଜଧାନୀର ପରିବର୍ତ୍ତିତ ଚିତ୍ରକୁ ଆଖି ଆଗରେ ରଖି ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ସରକାର ୧୯୯୪ ମସିହାରେ ବିଡିଏ ଜରିଆରେ ବିସ୍ତୃତ ବିକାଶ ଯୋଜନା (ସିଡିପି) ପ୍ରସ୍ତୁତ ଆରମ୍ଭ କରିଥିଲେ। ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ୧୦ ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା। ଅର୍ଥାତ୍ ୧୦ ବର୍ଷରେ ପରବର୍ତ୍ତୀ ସିଡିପି ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ୧୬ ବର୍ଷ ପରେ ଅର୍ଥାତ ୨୦୧୦ରେ ଦ୍ବିତୀୟ ସିଡିପି ପ୍ରସ୍ତୁତ ହେଲା। ଏହା ପରେ ୧୩ ବର୍ଷ ହେଲାଣି ତୃତୀୟ ସିଡିପି ପ୍ରସ୍ତୁତି ଚାଲିଛି। କୌତୁହଳର କଥା ହେଉଛି ୧୯୯୪ ସିଡିପିରେ ଯେଉଁ ସବୁ ଯୋଜନା ସ୍ଥାନ ପାଇଥିଲା ସେଥିମଧ୍ୟରୁ ୮୦ ପ୍ରତିଶତ କାର୍ଯ୍ୟକ୍ଷମ ହୋଇନାହିଁ। ବଡ଼କଥା ହେଉଛି ଦ୍ବିତୀୟ ସିଡିପି ପ୍ରସ୍ତୁତ ସରିଥିଲେ ମଧ୍ୟ ୧୯୯୪ରେ ସ୍ଥାନ ପାଇଥିବା ଅଧିକାଂଶ ପ୍ରକଳ୍ପରେ କାମ ଆରମ୍ଭ ହୋଇ ନାହିଁ। କିନ୍ତୁ ସେହି ସବୁ ଜାଗାରେ ଗୃହ ନିର୍ମାଣ ଅନୁମତି ମିଳୁନାହିଁ। ଫଳରେ ୨୯ ବର୍ଷ ହେଲା ଜମି ମାଲିକ ଫସି ରହିଛନ୍ତି। ଭୁବନେଶ୍ବର ଓ ଉପକଣ୍ଠରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଏହାର ସୁଯୋଗ ନେଇ ଜମି ଦଲାଲ ମାତିଛନ୍ତି। ‘ସିଡିପିରେ ସାମିଲ ହୋଇଥିବାରୁ ଜମିରେ କିଛି କରିହେବ ନାହିଁ। ଏଣୁ ବିକ୍ରି କରିଦିଅନ୍ତୁ’ ବୋଲି କହି ଦଲାଲ ଜମି ମାଲିକଙ୍କ ପାଖରେ ପହଞ୍ଚୁଛନ୍ତି। ଅଧିକାଂଶ ମାଲିକ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଠିକ୍ ପରବର୍ତ୍ତୀ ସିଡିପିରେ ନକ୍ସା ବଦଳି ଯାଉଛି। ଯେଉଁଠି ‘ରାସ୍ତା’ ଥିଲା ତାହା ‘ଆବାସିକ’ ହୋଇଯାଉଛି। ଲାଗୁଛି ଯେମିତି କେବଳ ବଡ଼ବଡ଼ିଆଙ୍କ ସୁବିଧା ପାଇଁ ସରକାର ଏହି ସିଡିପି ପ୍ରସ୍ତୁତ କରୁଛନ୍ତି। ଏହାର ଏକ ବଡ଼ ଉଦାହରଣ ହେଉଛି ପଟିଆ ଅଞ୍ଚଳର ‘ମାଗ୍ନେଟ୍ ରୋଡ୍’। ୧୯୯୪ ସିଡିପିରେ ଏହି ପ୍ରକଳ୍ପ ନକ୍ସାରେ ସ୍ଥାନ ପାଇଥିବା ବେଳେ ୨୦୧୦ ସିଡିପିରେ ଏହା ଆବାସିକ ହୋଇଯାଇଛି। ଫଳରେ ଏଠାରେ ଯେଉଁମାନେ ଶାଗମାଛ ଦରରେ ଜମି ବିକି ଦେଇଥିଲେ ସେମାନେ ଭାଗ୍ୟକୁ ନିନ୍ଦୁଛନ୍ତି। ଜିମି କିଣିଥିବା ଲୋକ ଏବେ ମାଲେମାଲ୍ ହୋଇଛି।
ଆଉ ଗୋଟିଏ ରାସ୍ତା ହେଉଛି ଜାଗମରା ଟ୍ରାଫିକ୍ ଛକରୁ ଡୁମୁଡୁମା ଦେଇ ଏନ୍ଏଚ୍-୫ ପର୍ଯ୍ୟନ୍ତ ଶହେ ଫୁଟିଆ ରାସ୍ତା। ୧୯୯୪ ସିଡିପିରୁ ଏହି ଯୋଜନା ହୋଇଛି। ଏଥିରେ ପ୍ରାୟ ୨୪ଟି ଘରୋଇ ପ୍ଲଟ୍ ରହିଛି। ଏହି ସବୁ ପ୍ଲଟ୍ ଉପରେ ଘର କରିବା ପାଇଁ ଅନୁମତି ମିଳୁନାହିଁ। କିନ୍ତୁ ଅଧିକାଂଶ ଲୋକ କଟକଣା ନ ମାନି ଘର କରି ସାରିଥିବା ବେଳେ ଯେଉଁମାନେ ସରକାରୀ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି ବା ଘର କାଳେ ଭାଙ୍ଗି ଦିଆଯିବ ଡରୁଛନ୍ତି, ସେମାନେ ଘର କରିପାରୁ ନାହାନ୍ତି। ୨୯ ବର୍ଷ ହେଲା ସେମାନେ ସରକାରୀ ଖେଳର ଶିକାର ହୋଇ ଅସନ୍ତୋଷରେ କାଳ କାଟୁଛନ୍ତି। ଠିକ୍ ସେହିଭଳି ପଟିଆ କିଟ୍ ଛକରୁ ସେରିକଲ୍ଚର୍ ଅଫିସ୍ ପର୍ଯ୍ୟନ୍ତ ଗୋଟିଏ ୧୦୦ ଫୁଟିଆ ରାସ୍ତା ୨୦୧୦ ସିଡିପିରେ ସ୍ଥାନ ପାଇଛି। ଏଥିରେ ୧୧ରୁ ଊର୍ଦ୍ଧ୍ବ ଘରୋଇ ପ୍ଲଟ୍ ରହିଛି। ରାସ୍ତା ଯିବାକୁ ଥିବାରୁ ଘର କରିବାକୁ ଅନୁମତି ନାହିଁ। ଫଳରେ ଜମି ସେମିତି ପଡ଼ି ରହିଛି। କେତେକ ବଡ଼ ବଡ଼ ପ୍ଲଟ୍ର ମଝିରେ ଏହି ରାସ୍ତା ଯାଇଥିବାରୁ ଉଭୟ ପାର୍ଶ୍ବର ଜମିକୁ ବ୍ୟବହାର କରାଯାଇ ପାରୁ ନାହିଁ। ୧୩ ବର୍ଷ ହେଲା ଏଠାରୁ କିଛି ଜମି ମାଲିକ ଫସି ରହିଥିବା ବେଳେ କେତେକ କଟକଣା ନ ମାନି ଘର ତିଆରି କରିଛନ୍ତି। ସହର ଭିତରେ ଏଭଳି ଶତାଧିକ ଉଦାହରଣ ରହିଛି।
ରାସ୍ତା ହେଉନି କି ଘର କରିବାକୁ ସ୍ବୀକୃତି ନାହିଁ
କାହା ସ୍ବାର୍ଥରେ ଯୋଜନା?
୧୦ ବର୍ଷରେ ହେବା କଥା, ୧୬ ବର୍ଷରେ ହେଉଛି
ସହର ଉପକଣ୍ଠ କଥା ନ କହିବା ଭଲ। ଉପକଣ୍ଠରେ କେହି କଟକଣା ମାନୁ ନାହାନ୍ତି। କେହି ଜଗିବାକୁ ନଥିବାରୁ ସିଡିପିରେ ରାସ୍ତା ପାଇଁ ଉଦ୍ଦିଷ୍ଟ ଜମିରେ କୋଠା ଛିଡ଼ା ହୋଇଛି। ବିନା ପ୍ଲାନ୍ରେ ଲୋକେ ଘର ତିଆରି କରିଛନ୍ତି। ୧୩ ବର୍ଷ ହେଲା ସେମାନେ ଏହାକୁ ବ୍ୟବହାର କରିବା ସହ ଭଡ଼ା ଦେଇ ଅର୍ଥ ରୋଜଗାର କରୁଛନ୍ତି। ଯଦି ବାସ୍ତବରେ ସିଡିପି ଆଧାରରେ ସମସ୍ତ ପ୍ରକଳ୍ପ ପ୍ରସ୍ତୁତ କରାଯାଏ ତେବେ ସମ୍ପୃକ୍ତ ବେଆଇନ ନିର୍ମାଣ ସବୁକୁ ଭାଙ୍ଗିବା କାଠିକର ପାଠ ହେବ। ୨୦୧୦ ସିଡିପିରେ ୨୦୫ ରାଜସ୍ବ ଗ୍ରାମ ରହିଛି। ଏଥିରୁ ଅର୍ଦ୍ଧାଧିକ ଅର୍ଥାତ୍ ୧୫୦ ଗ୍ରାମରେ ଏଭଳି ବେଆଇନ ନିର୍ମାଣ ନିୟମିତ ଚାଲିଛି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ସିଡିପି ନେଇ ବିଜ୍ଞପ୍ତି ପ୍ରକାଶ କରେ। ବିଡିଏ କେବଳ ନକ୍ସା ପ୍ରସ୍ତୁତ କରେ। ଏହି ସିଡିପିକୁ ସରକାର ଅନୁମୋଦନ କରନ୍ତି। ଯେଉଁଠି ଯାହା ଯୋଜନା ଥାଏ ତାହା ସରକାର ବିଭିନ୍ନ ବିଭାଗ ଜରିଆରେ କରାଇଥାନ୍ତି। ଏଣୁ ଏହା ସମ୍ପୂର୍ଣ୍ଣ ସରକାରଙ୍କ କାର୍ଯ୍ୟ ପରିସରଭୁକ୍ତ। ବିଳମ୍ବରେ ବିଡିଏର କିଛି କରିବାର ନାହିଁ।
ଉଲ୍ଲେଖଯୋଗ୍ୟ, ୧୦ ବର୍ଷର ରାଜଧାନୀକୁ ଆଖି ଆଗରେ ରଖି ୧୯୯୪ ମସିହାରେ ପ୍ରଥମ ସିଡିପି ପ୍ରସ୍ତୁତ ହୋଇଥିଲା। କିନ୍ତୁ ୧୦ ବର୍ଷ ମଧ୍ୟରେ ରାଜଧାନୀ ଓ ଉପକଣ୍ଠର ଚିତ୍ର ଏମିତି ବଦଳିଗଲା ଯେ, ସିଡିପିରେ କଷା ଯାଇଥିବା ଗଣିତ ଓଲଟପାଲଟ ହୋଇଯାଇଥିଲା। ସିଡିପି ଆଧାରରେ ୪୦ ପ୍ରତିଶତ ବି କାମ ହୋଇପାରିନଥିଲା। ଏବେ ଯେଉଁ ସିଡିପି ପ୍ରସ୍ତୁତ ହେଉଛି ତାହା ଚଳିତ ବର୍ଷ ନୁହେଁ, ୨୦୨୪ରେ ପ୍ରସ୍ତୁତ ହେବ ବୋଲି କୁହାଯାଉଛି।