ପୁରୀ : ଶନିବାର ଦ୍ବିତୀୟ ଭୋଗମଣ୍ଡପ ନୀତିରେ ବିଳମ୍ବ ହୋଇଥିଲା। ଏହି କାରଣରୁ ଅନ୍ୟାନ୍ୟ ନୀତି ମଧ୍ୟ ବିଳମ୍ବ ହେବାସହ ସନ୍ଧ୍ୟାଧୂପ ନୀତି ବିଳମ୍ବିତ ହୋଇଥିଲା। ଏପରିକି ଲକ୍ଷ୍ମୀ ଠାକୁରାଣୀ ରାତି ୧ଟା ସୁଦ୍ଧା ଶ୍ରୀମନ୍ଦିରରୁ ବାହାରି ପାରିନଥିଲେ।
ପରମ୍ପରା ଅନୁଯାୟୀ, ସନ୍ଧ୍ୟାଧୂପ ଉଠି ପୂଜା ବସିବା ସମୟରେ ମା’ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି ଏବଂ ସେଠାରେ ହେରାପଞ୍ଚମୀ ନୀତି ଆରମ୍ଭ ହୋଇଥାଏ ଏବଂ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ରଥ ଭାଙ୍ଗିଥାନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ନୀତି-ବିଭ୍ରାଟ ଯୋଗୁ ସନ୍ଧ୍ୟାଧୂପ ରାତି ଗୋଟାଏ ଯାଏଁ ହୋଇପାରି ନଥିବାରୁ ଶ୍ରଦ୍ଧାଳୁମାନଙ୍କଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତିରେ ମଧ୍ୟ ଏହିପରି ବିଭ୍ରାଟ ଦେଖାଦେବା ସହ ବିଳମ୍ବ ହୋଇଥିଲା।