ଯୁକ୍ତ୨ ମୂଲ୍ୟାୟନରେ ବିଳମ୍ବ, ଆସୁନାହାନ୍ତି ୩୦% ଅଧ୍ୟାପକ

ଭୁବ‌ନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ବିଳମ୍ବ ହେବ। ନିର୍ଧାରିତ ସମୟରେ ଖାତାଦେଖା ସରିବ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ଧାର୍ଯ୍ୟ ସମୟ ତଥା ଜୁନ୍‌ ୨୩ ଡେଇଁଯିବ। ଏମିତିକି ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଖାତା ଦେଖା ସରିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। କାରଣ ଜୁନ୍‌ ୧୩ ସୁଦ୍ଧା ସରିବାକୁ ଥିବା ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏବେ ବି ଜାରି ରହିଛି। ତେଣୁ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ପାଖାପାଖି ୭ ଦିନ ବିଳମ୍ବରେ ମୂଲ୍ୟାୟନ ଚାଲୁଥିବାରୁ ସମସ୍ତ ବିଷୟର ଖାତା ଦେଖା ଶେଷ ହେଲା ବେଳକୁ ଜୁଲାଇ ମାସ ହୋଇଯିବା ନେଇ ସିଏଚ୍‌ଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ଅଫ୍‌ଲାଇନ୍‌ ଖାତାଦେଖା ମଧ୍ୟରୁ ଅଧିକାଂଶ ବିଷୟର ମୂଲ୍ୟାୟନ ଇତି ମଧ୍ୟ‌ରେ ସରିଛି। ଦୁଇରୁ ତିନି ବିଷୟର ଖାତା ଦେଖା ଏବେ ବି ଜାରି ରହିଛି। ଅନ୍‌ଲାଇନ୍‌ ମୂଲ୍ୟାୟନ ମଧ୍ୟ ମନ୍ଥର ଗତିରେ ହେଉଛି। ଅଫ୍‌ଲାଇନ୍‌ରେ ଯେଉଁ କିଛି ବିଷୟର ମୂଲ୍ୟାୟନ ବାକି ରହିଛି, ତାହାକୁ ଆସନ୍ତା ୨୦ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ସମୟ ଆହୁରି ଡେରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଏପର୍ଯ୍ୟନ୍ତ ଶତ ପ୍ରତିଶତ ମୂଲ୍ୟାୟନକାରୀ ଆସୁନାହାନ୍ତି। ପ୍ରାୟ ୩୫% ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ଅଧ୍ୟାପକ ଆସୁ ନଥିବାରୁ ଖାତା ଦେଖା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଏମିତିକି କିଛି ମୂଲ୍ୟାୟନ କେନ୍ଦ୍ରରେ ୫୦ ପ୍ରତିଶତ ଅଧ୍ୟାପକ ବି ଆସୁ ନାହାନ୍ତି। ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ କରିବାକୁ ହେଲେ ମୂଲ୍ୟାୟନ କେନ୍ଦ୍ରରେ ଅଧିକ ସଂଖ୍ୟକ ମୂଲ୍ୟାୟନକାରୀ ନିୟୋଜିତ କରିବାର ଆବଶ୍ୟକତା ରହିଛି। ତେଣୁ ପରିଷଦ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମୂଲ୍ୟାୟନକାରୀଙ୍କୁ ଛାଡ଼ିବା ଲାଗି କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର