ସୋନପୁର: ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନରେ ବିଳମ୍ବ ଦେଖା ଦେଇଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ସୋନପୁର ବ୍ଲକ ଛକରେ ସନ୍ଥକବି ଭୀମ ଭୋଇଙ୍କ ଏକ ପ୍ରତିମୂର୍ତ୍ତି ଥିଲା। ତେବେ ରାସ୍ତା ପ୍ରଶସ୍ତୀକରଣ ଯୋଗୁଁ ଏହି ପ୍ରତିମୂର୍ତ୍ତିକୁ ୨ବର୍ଷ ହେଲା ସେଠାରୁ ହଟାଯାଇଥିଲା। ସୋନପୁର ବ୍ଲକ ଛକରେ ଥିବା ପ୍ରତିମୂର୍ତ୍ତିକୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଗ୍ୟାରେଜରେ ରଖାଯାଇଛି। ପ୍ରତିମୂର୍ତ୍ତିରେ ବୁଢ଼ିଆଣୀ ଜାଲ ଏବଂ ଧୂଳି ଅଚ୍ଛାଦିତ ହୋଇରହିଛି। ତେବେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ନହେବା ଫଳରେ ଜିଲ୍ଲାର ବିଭିନ୍ନ ସଂଗଠନ ଏବଂ ସଚେତନ ନାଗରିକ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ।

Advertisment

ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଗ୍ୟାରେଜରେ ପଡ଼ି ରହିଛି
ଟେଣ୍ଡର ପକାଇଲେ ନାହିଁ କୌଣସି ଠିକା ସଂସ୍ଥା

ଏହାକୁ ଗୁରୁତ୍ବର ସହ ନେଇ ତତ୍କାଳୀନ ଅବୋଲି ସୁନୀଲ ନରୱଣେ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ପଦକ୍ଷେପ ନେଇଥିଲେ। ଏଥିପାଇଁ ସୋନପୁର ପୌର ପରିଷଦ ପକ୍ଷରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଛି। ସୋନପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ଏପରିକି ସୋନପୁର ପୌର ପରିଷଦ ପକ୍ଷରୁ ଏକାଧିକ ଥର ଟେଣ୍ଡର ମଧ୍ୟ ହୋଇଛି। ସ୍ଥାପତ୍ୟ କଳାର ଆବଶ୍ୟକତା ଥିବାରୁ ଜିଲ୍ଲାର କୌଣସି ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଲେ ନାହିଁ। ଫଳରେ ବାହାରର ଯଦି କୌଣସି ସ୍ଥାପତ୍ୟ କଳା ଅଭିଜ୍ଞ ସମ୍ପନ୍ନ ଠିକାଦାର ଯଦି ଏହି କାର୍ଯ୍ୟକୁ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। କିନ୍ତୁ ତାହା ମଧ୍ୟ ସମ୍ଭବ ହେଲାନାହିଁ।

ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପ୍ରାୟ ୧ ବର୍ଷ ହେବ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ସେଥିରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ସୋନପୁର ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟକୁ ଯୋଗଯୋଗ କରାଯିବାରେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସୋନପୁର ପୌର ପରିଷଦ ପକ୍ଷରୁ ଏକାଧିକ ଥର ଟେଣ୍ଡର ହୋଇଛି। କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟାରେ କୌଣସି ଠିକାଦାର ଭାଗ ନେଇ ନଥିଲେ। ତେଣୁ ଓଏସ୍‌ଆଇସିକୁ ଏହାର ନିର୍ମାଣ ଦାୟିତ୍ବ ଦେବା ପାଇଁ ସୋନପୁର ପୌର ପରିଷଦରେ ପ୍ରସ୍ତାବ ପାରିତ ହୋଇଛି। ଖୁବ ଶୀଘ୍ର କାର୍ଯ୍ୟାଦେଶ ଦିଆଯିବ ଏବଂ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।