ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡ ଦୁଇପାର୍ଶ୍ବ ଉଠାଦୋକାନୀଙ୍କୁ ଶ୍ରୀସେତୁ ଓ ଶ୍ରୀଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରେ ଥଇଥାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ ଓ ପୌରପ୍ରଶାସନ। ଇତିମଧ୍ୟରେ ଦୋକାନୀମାନେ ବଡ଼ଦାଣ୍ଡରୁ ହଟିବା ୮ ମାସ ବିତିଗଲାଣି। କିନ୍ତୁ ଥଇଥାନର ନା ଗନ୍ଧ ଧରୁନି ପୌର ପ୍ରଶାସନ। ଶ୍ରୀସେତୁ ଓ ଶ୍ରୀଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରଠାରେ ଭେଣ୍ଡିଂ ଜୋନ୍‌ ଖୋଲିବ କହି ଭଣ୍ଡାଇ ଚାଲିଛି। ସେପଟେ ଉଠାଦୋକାନୀଙ୍କୁ ମାସିକ ଭଡ଼ା ଦେବାରେ ଖାଲି ହେବାରେ ଲାଗିଛି ରାଜ୍ୟ ରାଜକୋଷ। ମାସିକ ଭଡ଼ା ବାବଦରେ ରାଜ୍ୟ ସରକାର ୧.୭୪ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରୁଛନ୍ତି। ଗତ ୮ ମାସରେ ମାସିକ ଭଡ଼ା ବାବଦରେ ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ସରକାର।

Advertisment

ଥଇଥାନ ଯେତେ ବିଳମ୍ବ ହେଉଛି, ଖର୍ଚ୍ଚ ଭାର ବି ସେତେ ବଢ଼ିଚାଲିଛି। ଦୋକାନୀ ବି ବ୍ୟବସାୟର ସୁଯୋଗ ନ ପାଇ ପ୍ରଭାବିତ ହେଉଛନ୍ତି। ଏଣୁ ତୁରନ୍ତ ଭେଣ୍ଡିଂ ଜୋନ୍‌ ଖୋଲି ବିସ୍ଥାପିତ ଉଠାଦୋକାନୀଙ୍କୁ ଥଇଥାନ ଓ ବ୍ୟବସାୟ କରିବାର ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ସରକାର ବି ଅର୍ଥ ଭାରରୁ ମୁକ୍ତ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ସୁଗମ କରିବା ସହ ଏସି ସେଡ୍‌ ନିର୍ମାଣ ପାଇଁ ମେଡିକାଲ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀଙ୍କୁ ହଟାଯାଇଥିଲା। ମେଡିକାଲ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀମୁକ୍ତ କରାଗଲା ଓ ନୋ ଭେଣ୍ଡିଂ ଜୋନ୍‌ ଘୋଷଣା ହେଲା। ଫଳରେ ଭକ୍ତ ଓ ସାଧାରଣ ଲୋକେ ବି ସୁବିଧାରେ ଶ୍ରୀମନ୍ଦିରକୁ ଯାଆସ କରି ପାରୁଛନ୍ତି। କିନ୍ତୁ ଯେଉଁ ଉଠାଦୋକାନୀମାନେ ବଡ଼ଦାଣ୍ଡରୁ ଉଠିଲେ, ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ସରକାର ଆର୍‌ ଆଣ୍ଡ୍‌ ଆର୍‌ ପ୍ୟାକେଜ୍‌ରେ ଆର୍ଥିକ ସହାୟତା ଘୋଷଣା କଲେ। ପ୍ରତି ଉଠାଦୋକାନୀଙ୍କୁ ଥଇଥାନ ପର୍ଯ୍ୟନ୍ତ ମାସିକ ୧୫ହଜାର ଟଙ୍କା, ଜିନିଷପତ୍ର ସ୍ଥାନାନ୍ତର ଖର୍ଚ୍ଚ ୫ହଜାର ଟଙ୍କା ଓ ନୂଆ ଦୋକାନ ଘର ନିର୍ମାଣ ପାଇଁ ୫୦ହଜାର ଟଙ୍କା ପ୍ରଦାନ କରାଗଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏହି ଆର୍ଥିକ ସହାୟତା ଯୋଗାଇ ଦେଲା।

ମିଳିଥିବା ତଥ୍ୟ ମୁତାବକ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡ଼ଦାଣ୍ଡରୁ ହଟିଥିବା ୧୧୬୬ ଉଠାଦୋକାନୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛି ପୁରୀ ପୌର ପ୍ରଶାସନ। ପ୍ରତି ଦୋକାନୀଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଦୋକାନ ଘର ନିର୍ମାଣ ଖର୍ଚ୍ଚ ପ୍ରଦାନ କରାଯାଇଛି। ସେହିଭଳି ସ୍ଥାନାନ୍ତର ଖର୍ଚ୍ଚ ୫ହଜାର ଟଙ୍କା ଲେଖାଏଁ ମୋଟ୍‌ ୫୮ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରାଯାଇଛି। ମାସିକ ୧୫ହଜାର ଟଙ୍କା ଲେଖାଏଁ ଭଡ଼ା ବାବଦରେ ୧୧୬୬ ଉଠାଦୋକାନୀଙ୍କୁ ମାସିକ ୧କୋଟି ୭୪ଲକ୍ଷ ୯୦ହଜାର ଟଙ୍କା ପ୍ରଦାନ କରାଯାଉଛି। ୮ ମାସ ହେଲାଣି ଏହି ମାସିକ ଭଡ଼ା ପ୍ରଦାନ କରାଯାଉଛି ଓ ଯେ ପର୍ଯ୍ୟନ୍ତ ଉଠାଦୋକାନୀ ଥଇଥାନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଏହି ସହାୟତା ରାଶି ପ୍ରଦାନ କରି ଚାଲିଥିବେ ରାଜ୍ୟ ସରକାର। ପୁରୀ ସହରବାସୀ, ବୁଦ୍ଧିଜୀବୀଙ୍କ କହିବା କଥା, ଡାକ୍ତରଖାନା ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ଉଠାଦୋକାନୀମୁକ୍ତ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ପୂର୍ବରୁ ଶ୍ରୀମନ୍ଦିର ଯା’ଆସ କରିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ୁଥିଲା। ଏବେ ପ୍ରଶସ୍ତ ରାସ୍ତାରେ ସହଜରେ ଶ୍ରୀମନ୍ଦିର ଓ ଆଖପାଖ ଗଳିକୁ ଯା’ଆସ କରି ହେଉଛି। କିନ୍ତୁ ପୌର ପ୍ରଶାସନ ଉଠାଦୋକାନୀଙ୍କୁ ଶ୍ରୀସେତୁ ତଳେ ଓ ଆଖପାଖରେ ଥଇଥାନ କରିବାକୁ କହିଥିଲା। ଏଠାରେ ସୌନ୍ଦର୍ଯ୍ୟୀକରଣ ସହ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଶ୍ରୀସେତୁ ତଳେ ଦୋକାନ ଘର ପଡ଼ିବାକୁ ଚଟାଣ ପ୍ରସ୍ତୁତି କାମ ଶେଷ ହୋଇଗଲାଣି। କିନ୍ତୁ ଦୋକାନ ଘର ଓ ଅନ୍ୟାନ୍ୟ ବ୍ୟବସ୍ଥା ଯଥାଶୀଘ୍ର କରି ଉଠାଦୋକାନୀଙ୍କୁ ଥଇଥାନ କରାଯାଉ।

ଭଡ଼ା ପାଇଁ ପ୍ରତିମାସରେ ଦିଆଯାଉଛି ୧.୭୪ କୋଟି
ଘର ପାଇଁ ପ୍ରତି ଦୋକାନୀଙ୍କୁ ମିଳିଛି ୫୦ ହଜାର
ସ୍ଥାନାନ୍ତର ପାଇଁ ଦିଆଯାଇଛି ୫୮ଲକ୍ଷ
୮ ମାସରେ ଖର୍ଚ୍ଚ ହୋଇଛି ୧୪ କୋଟି

ମହାପ୍ରଭୁଙ୍କ ଖଣିରୁ ବେଆଇନ ଉତ୍ତୋଳନ, ୧୯ ଖଣି ଲିଜ୍‌ ବାତିଲ୍‌

ପୁରୀ: ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ନେଇ ୧୯ ଲିଜ୍‌ଧାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ସମୟ ଅବଧି ଭିତର ରୟାଲିଟି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଓ ଜରିମାନା ପଇଠ କରି ନଥିବାରୁ ୧୯ ଲିଜ୍‌ଧାରୀଙ୍କ ଖଣି ଖନନ ଓ ବିସ୍ଫୋରଣ ଆଦି ଅନୁମତିକୁ ଖୋର୍ଦ୍ଧା ଜିଲ୍ଲାପାଳ ବାତିଲ୍‌ କରି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଅଧିକୃତ ଅଧିକାରୀ ତଥା ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତଦନ୍ତ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅପରପକ୍ଷେ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ୧୯ଜଣ ଖଣି ମାଲିକଙ୍କୁ ଚିଠି କରିଛନ୍ତି। କିଏ, କେତେ ପରିମାଣ ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କରିଛନ୍ତି, କିଏ, କେତେ ଜରିମାନା ଦେବେ, ତାର ବିସ୍ତୃତ ଚିଠି ସଂପୃକ୍ତ ଖଣି ଲିଜ୍‌ଧାରୀଙ୍କୁ ପଠାଇ ତୁରନ୍ତ ଜରିମାନା ପଇଠ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ଖଣିରୁ ୨୦୨୨-୨୩ ବର୍ଷ ୧୯ଜଣ ଖଣି ମାଲିକ ଧାର୍ଯ୍ୟ ଅନୁମତିଠାରୁ ଅଧିକ ଖଣି ଉତ୍ତୋଳନ କରିଥିବାରୁ ୨୨ କୋଟି ୬୫ ଲକ୍ଷ ୨୩ ହଜାର ୭ଶହ ୬୧ ଟଙ୍କା ଜରିମାନା କରାଯାଇଛି। କାଇପଦର ଧନିଆ ଖଣି ପାଇଁ ଅଜୟ ଅଗ୍ରୱାଲ୍‌ଙ୍କୁ ୨କୋଟି ୯୦ଲକ୍ଷ ୨୪ହଜାର ୭୦୨ଟଙ୍କା, ତାପଙ୍ଗ ନିଜିଗଡ଼ ଖଣି ପାଇଁ ନରେନ୍ଦ୍ର ଭାଉଳଙ୍କୁ ୯ଲକ୍ଷ ୪୧ହଜାର ୦୧୨, ଦକ୍ଷିଣେଶ୍ବର ଖଣି ପାଇଁ ରାଇବଲ୍ଲଭ ମହାନ୍ତିଙ୍କୁ ୧୦ଲକ୍ଷ ୯୯ହଜାର ୮୧୨ ଟଙ୍କା, ତାପଙ୍ଗ ନିଜିଗଡ଼ ଗୋଳପୁଟକୁଆ ଖଣି ପାଇଁ ସତ୍ୟପୀର ଶ୍ରୀଚନ୍ଦନଙ୍କୁ ୧୦ଲକ୍ଷ ୩୩ହଜାର ୮୮୦ ଟଙ୍କା, କାଇପଦର ଶଙ୍ଖାରି ଦକ୍ଷିଣ ନୂଆଖଣି ପାଇଁ ଦେବସ୍ମିତା ସାମନ୍ତରାୟଙ୍କୁ ୩ କୋଟି ୨୪ଲକ୍ଷ ୬ହଜାର ୭୫୩ ଟଙ୍କା ଜରିମାନା କରାଯାଇଛି। ସେହିପରି କାଇପଦର ଧନିଆ ଖଣି ପାଇଁ ଭିନିତ ଲାଲାନିଙ୍କୁ ୫୧ଲକ୍ଷ ୮୫ହଜାର ୩୪୦ ଟଙ୍କା ଜରିମାନା, ନିଜିଗଡ଼ ହାତିଆ ପାଇଁ ରବିନାରାୟଣ ସିଂହଙ୍କୁ ୧କୋଟି ୭୭ଲକ୍ଷ ୫୪ହଜାର ୯୦୨ ଟଙ୍କା, କାଇପଦର ଧନିଆ ଖଣି ପାଇଁ ସୁନିତା ସ୍ବାଇଁଙ୍କୁ ୧କୋଟି ୭୭ଲକ୍ଷ ୫୪ହଜାର ୯୦୨ ଟଙ୍କା, ଶଙ୍ଖାରି ଖଣି ପାଇଁ ଯୋଗୀନାଥ ବାହୁବଳେନ୍ଦ୍ରଙ୍କୁ ୧କୋଟି ୪୨ଲକ୍ଷ ୫୫ହଜାର ୪୯୩ ଟଙ୍କା, ଧନିଆ ଖଣି ପାଇଁ ଦେବଯାନୀ ପାଣିଗ୍ରାହୀଙ୍କୁ ସର୍ବାଧିକ ୩କୋଟି ୩୬ଲକ୍ଷ ୫୯ହଜାର ୨୨୨ ଟଙ୍କା, ହାତିଆ ଖଣି ପାଇଁ ସସ୍ମିତା ରାଉତରାୟଙ୍କୁ ୬୨ଲକ୍ଷ ୧୭ହଜାର ୨୫୨ ଟଙ୍କା, ଧନିଆ ଖଣି ପାଇଁ ଜଗଦୀଶ ବରାଳଙ୍କୁ ୧କୋଟି ୫୪ଲକ୍ଷ ୪୧ହଜାର ୯୬୫ ଟଙ୍କା, ଧନିଆ ପଶ୍ଚିମ ଖଣି ପାଇଁ ସୁବ୍ରତ କୁମାର ନାୟକଙ୍କୁ ୫୧ଲକ୍ଷ ୩୪ହଜାର ୯୪୮ ଟଙ୍କା, ଧନିଆ ଉତ୍ତର ଖଣି ପାଇଁ ସୌଭାଗ୍ୟ ଚନ୍ଦ୍ର ଦାସଙ୍କୁ ୫୧ଲକ୍ଷ ୪୩ହଜାର ୧୦୩ ଟଙ୍କା, ହାତିଆ ଖଣିର ଜଗଦୀଶ ଶଙ୍କର ସାହୁଙ୍କୁ ୧ କୋଟି ୧୨ଲକ୍ଷ ୯୮ହଜାର ୯୯୪ ଟଙ୍କା, ଡଙ୍ଗରପଡ଼ା କାଳଚୁଆ ଖଣିର ଦିଲୀପ କୁମାର ଜେନାଙ୍କୁ ୧କୋଟି ୭୩ଲକ୍ଷ ୨ହଜାର ୨୮୩ ଟଙ୍କା, ଧନିଆ ଦକ୍ଷିଣ-ପୂର୍ବ ଖଣି ପାଇଁ ସୌଭାଗ୍ୟ ଚନ୍ଦ୍ର ଦାସଙ୍କୁ ୫୬ଲକ୍ଷ ୬୩ହଜାର ୯୩୩ ଟଙ୍କା, ଧନିଆ ପଶ୍ଚିମ ଖଣି ପାଇଁ ଶ୍ୟାମସୁନ୍ଦର ମହାନ୍ତିଙ୍କୁ ୧କୋଟି ୧୮ଲକ୍ଷ ୫ହଜାର ୯ ଟଙ୍କା ଜରିମାନା କରାଯାଇଛି।